ମୁଖ୍ୟମନ୍ତ୍ରୀଙ୍କ ଅଡିଓ ଟେପକୁ ନେଇ ପ୍ରଶ୍ନ ଉଠାଇଲେ ଶରତ

Advertisment
ଶରତଙ୍କ ପାଇଁ କଣ୍ଟା ଘାସିରାମ

ଭୁବନେଶ୍ବର: ଗରଗଡ଼ ଗସ୍ତରେ ଥିବା ସମୟରେ ୫-ଟି ସଚିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଅଡିଓ ବାର୍ତା ଶୁଣାଇଥିଲେ। ଏହି ଅଡିଓ ବାର୍ତା ସାମ୍ନାକୁ ଆସିବା ପରେ ରାଜନୀତି ଆହୁରି ସରଗରମ ହୋଇଛି। ଏହି ଅଡିଓକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ‌ଯେଉଁ ଅଡିଓ ବାର୍ତା ସାମ୍ନାକୁ ଆସିଛି ତାହା ମୁଖ୍ୟମନ୍ତ୍ରୀ ନା ଆଉ କାହାର। ଏହି ଅଡିଓ ବାର୍ତାକୁ ଆର୍ଟିଫିସିଆଲ ଭାବେ ପ୍ରସ୍ତୁତ କରାଯାଇନି ତ ? ଏହି ଅଡିଓଟି ମୁଖ୍ୟମନ୍ତ୍ରୀଙ୍କ ବୋଲି ପ୍ରମାଣ କ’ଣ ? ଏଭଳି ଅଡିଓ ବାର୍ତା ଗ୍ରହଣୀୟ ନୁ‌ହେଁ, ଶ୍ବେତପତ୍ର ଦିଅନ୍ତୁ। ଯଦି ମୁଖ୍ୟମନ୍ତ୍ରୀ ତାଙ୍କୁ ବିଭିନ୍ନ ଜିଲ୍ଲାକୁ ପଠାଉଛନ୍ତି ତାହାଲେ ତାହାକୁ ଲିଖିତଭାବେ ରାଜ୍ୟବାସୀଙ୍କୁ ଅବଗତ କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଲାଗି ଯେଉଁ ରାଜସ୍ବ ଖର୍ଚ୍ଚ ହେଉଛି, ଅନ୍ୟ ସଚିବଙ୍କ ପାଇଁ ସେତିକି ଖର୍ଚ୍ଚ କରିବେ କି ମୁଖ୍ୟମନ୍ତ୍ରୀ ? ଓଡ଼ିଶାବାସୀଙ୍କ ଅର୍ଥକୁ କ’ଣ ଏମିତି ଆତ୍ମସାତ କରି ଦିଆଯିବ। ବିକାଶକୁ ଆମେ ମନା କରୁନାହିଁ। ମାତ୍ର ବିକାଶ ନାଁରେ ଲୁଟ୍‌କୁ କେବେ ବି ବରଦାସ୍ତ କରାଯିବ ନାହିଁ। ଲୋକମାନେ ନେତାଙ୍କୁ ଭୋଟ୍‌ ଦେଉଛନ୍ତି ସଚିବଙ୍କୁ ନୁହେଁ ବୋଲି ସେ କହିଛନ୍ତି।

ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ଟେପ୍‌କୁ ନେଇ କଟାକ୍ଷ କରିଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ ଗତ ୫୦ବର୍ଷର ରାଜନୀତିରେ ଏଭଳି ବ୍ୟବସ୍ଥା କେବେ ଦେଖିବାକୁ ମିଳି ନ ଥିଲା। ବିଜେଡିରେ ଏବେ ଅଚଳାବସ୍ଥା ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ଯେ କୌଣସି ସଚିବଙ୍କୁ ପଠାଇପାରିବେ। ହେଲେ ଜଣକୁ କାହିଁକି ବାରମ୍ବାର ପଠାଉଛନ୍ତି। ମନ୍ତ୍ରୀ କି ମୁଖ୍ୟ ଶାସନ ସଚିବଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଆଉ ଭରସା ନାହିଁ କି ବୋଲି ଶ୍ରୀ ଜେନା ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe