ଡକାୟତି ଯୋଜନା ପଣ୍ଡ, ୬ ଗିରଫ

Advertisment
ଡକାୟତି ଯୋଜନା ପଣ୍ଡ, ୬ ଗିରଫ

ଭୁବନେଶ୍ୱର : ନୂଆପଲ୍ଲୀ ଏନ୍‌-୬ ଅଞ୍ଚଳରେ ଏକ ବଡ଼ଧରଣ ଡକାୟତି ଯୋଜନାକୁ କ୍ୟୁଏଟି ଓ ନୂଆପଲ୍ଲୀ ଥାନା ପୁଲିସ ମିଳିତ ଚଢ଼ଉ କରି ପଣ୍ଡ କରିଛନ୍ତି। ଗ୍ୟାଙ୍ଗର ୬ଜଣ ଡକାୟତଙ୍କୁ ପୁଲିସ ଗିରଫ କରିଥିବା ବେଳେ ସେଠାରୁ ୨ଜଣ ଡକାୟତ କାର ଧରି ଫେରାର ହୋଇଯାଇଛନ୍ତି। ପୁଲିସ ଗିରଫ କରିଥିବା ଡକାୟତମାନଙ୍କଠାରୁ କେତେକ ମାରଣାସ୍ତ୍ର, ବମ୍‌, ଲଙ୍କାଗୁଣ୍ଡ ଓ ୩ଟି ବାଇକ୍‌ ଜବତ କରିଛି। ସେମାନେ ହେଲେ ଯାଜପୁର ଜିଲ୍ଲା ଯାଜପୁର ରୋଡ୍‌ ଅଞ୍ଚଳର ଅକ୍ଷୟ କୁମାର ପାଢ଼ୀ(୩୦), ଶ୍ରୀକାନ୍ତ ସାହୁ(୨୨), ନୟାଗଡ଼ ଜିଲ୍ଲାର ବିଜୟ ବିଶ୍ୱାଳ(୨୧), ଜଗତସିଂହପୁର ଜିଲ୍ଲାର ରାକେଶ ବଳ(୧୯), କଟକ ଜିଲ୍ଲାର ଏସ୍‌କେ ଆୟୁବ ଓରଫ ଭିକି(୨୫) ଓ ଗଞ୍ଜାମ ଜିଲ୍ଲାର ଗଣେଶ୍ୱର ପ୍ରଧାନ ଓରଫ ସନ୍ତୋଷ(୧୯)। ତେବେ ଏଠାରେ ବିଜୟ, ରାକେଶ ଓ ଗଣେଶ ସାଲିଆସାହି ଅଞ୍ଚଳରେ ରହୁଥିଲେ।

ପୁଲସ ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ପୁଲିସ ସାଲିଆସାହି ଆଦ୍ୟାଶୁଣୀ ମନ୍ଦିର ଅଞ୍ଚଳରେ କେତେକ ଦୁର୍ବୃତ୍ତ ଏକ ବୋଲେରୋରେ ବସି ରହିଥିବା କ୍ୟୁଏଟି ପୁଲିସ ଖବର ପାଇଥିଲା। ସେମାନେ ନୂଆପଲ୍ଲୀ ଏନ୍‌-୬ ଅଞ୍ଚଳରୁ ଡକାୟତି ପାଇଁ ଯୋଜନା କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ଏନେଇ କ୍ୟୁଏଟି ନୂଆପଲ୍ଲୀ ଥାନା ପୁଲିସକୁ ଜଣାଇଥିଲା। ଏହାପରେ ଯୋଜନା ମୁତାବକ ବାଇକ୍‌ରେ ପୁଲିସର ଦୁଇ ଜଣ କର୍ମଚାରୀ ସାଦା ପୋଷାକରେ ଯାଇଥିଲେ। ପଛେ ପଛେ କ୍ୟୁଏଟି ଓ ନୂଆପଲ୍ଲୀ ଥାନା ପୁଲିସ ଟିମ୍‌ ୨ଟି ଭ୍ୟାନ୍‌ରେ ଯାଇଥିଲା। ବାଇକ୍‌ରେ ଯାଉଥିବା ପୁଲିସ କର୍ମଚାରୀମାନେ ପୂର୍ବରୁ ଠିଆ ହୋଇଥିବା ବୋଲେରୋ ଆଡ଼କୁ ଯାଇଥିଲେ। ଆଉ ୨ଟି ଭ୍ୟାନ୍‌ କିଛି ଦୂରେରେ ରହିଥିଲା। ବାଇକ୍‌ରେ ଯାଉଥିବା ପୁଲିସ କର୍ମଚାରୀଙ୍କୁ ଦେଖି ଦୁର୍ବୃତ୍ତମାନେ ବୋଲେରୋରୁ ବାହାରକୁ ଆସି ଉଭୟଙ୍କୁ ଅଟକାଇଥିଲେ।

publive-imageପୁଲିସ କର୍ମଚାରୀଙ୍କୁ ଅଟକାଇବା ମାତ୍ରେ କିଛି ଦୂରରେ ଥିବା ପୁଲିସର ୨ଟି ଭ୍ୟାନ୍‌ ତୁରନ୍ତ ଦୁର୍ବୃତ୍ତଙ୍କୁ ଆଗ ଓ ପଛ ହୋଇ ଘେରିଯାଇଥିଲା। ପୁଲିସକୁ ଦେଖି ଦୁର୍ବୃତ୍ତମାନେ ଖସିପଳାଇବାକୁ ଉଦ୍ୟମ କରିଥିଲେ। ଏମିତିକି ପୁଲିସ ସହ ଧସ୍ତାଧସ୍ତି କରିଥିଲେ। ହେଲେ ପୁଲିସ ୬ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଅନ୍ୟ ଦୁଇଜଣ ବୋଲେରୋ ନେଇ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ପୁଲିସ ସେମାନଙ୍କଠାରୁ ୩ଟି ବାଇକ୍‌, ଲୁହାରଡ୍‌, ୩ଟି କଟୁରି, ୬ଟି ହାତଭିଡ଼ା ବମ୍‌ ଓ ଲଙ୍କାଗୁଣ୍ଡ ଜବତ କରିଥିଲା। ଏନେଇ ଏସ୍‌ଆଇ ମିନତି ନାୟକଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ୬ଜଣ ଡକାୟତଙ୍କୁ କୋର୍ଟ ଚାଲାଣ କରିଛି। ଫେରାର୍‌ ଥିବା ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe