ନୂଆଦିଲ୍ଲୀ: ଆମାଜନ୍ ଓ ଫ୍ଲିପ୍କାର୍ଟ ଭଳି ଇ-କମର୍ସ ସଂସ୍ଥାଗୁଡ଼ିକ ନିମନ୍ତେ ଅନେକ ନିୟମକୁ ସରକାର କଡ଼ାକଡ଼ି କରିଛନ୍ତି। ସେମାନେ ନିଜ ଇଚ୍ଛାରେ କାରବାର କରିପାରିବେନି। ସରକାରୀ ନିୟମକୁ ପାଳନ କରି ସେମାନଙ୍କୁ କାରବାର କରିବାକୁ ପଡ଼ିବ। ଏହିସବୁ ନିୟମ ଆସନ୍ତା ବର୍ଷ ଫେବ୍ରୁଆରି ୧ରୁ ଲାଗୁ କରାଯିବ। ଅନଲାଇନ୍ରେ ଉତ୍ପାଦ ବିକ୍ରି କରୁଥିବା ଏହି ସଂସ୍ଥାଗୁଡ଼ିକ କୌଣସି ନିର୍ଦିଷ୍ଟ ବ୍ରାଣ୍ଡ୍ ସହିତ ବିକ୍ରି ପାଇଁ ସ୍ବତନ୍ତ୍ର ବୁଝାମଣା କରିପାରିବେ ନାହିଁ। ଯେଉଁ ସଂସ୍ଥାରେ ଇ-କମର୍ସ କଂପାନିର ପ୍ରତ୍ୟକ୍ଷ ଭାବେ ପରୋକ୍ଷ ଭାବେ ଅଂଶଧନ ରହିଛି, ସେହି ସବୁ ସଂସ୍ଥାର ଉତ୍ପାଦକୁ ନିଜ ଅନ୍ଲାଇନ୍ ପ୍ଲାଟଫର୍ମରେ କଂପାନିଗୁଡ଼ିକ ବିକ୍ରି କରିପାରିବେ ନାହିଁ। ଏବେ କେତେକ ବ୍ରାଣ୍ଡ୍ ଫ୍ଲିପ୍କାର୍ଟ କିମ୍ବା ଆମାଜନ୍ ସହିତ ସ୍ବତନ୍ତ୍ର ବୁଝାମଣା (ଏକ୍ସକ୍ଲୁସିଭ୍ ଡିଲ୍) କରି ଲୋକପ୍ରିୟ ଉତ୍ପାଦ ବିକ୍ରି କରୁଛନ୍ତି। ଗ୍ରାହକମାନେ ସେହି ଉତ୍ପାଦକୁ ସେହି ନିର୍ଦିଷ୍ଟ ଇ-କମର୍ସ ସଂସ୍ଥା ଠାରୁ କିଣିବାକୁ ବାଧ୍ୟ ହେଉଛନ୍ତି। ସେହିଭଳି ଏକ୍ସକ୍ଲୁସିଭ୍ ଡିଲ୍ ଉପରେ କଟକଣା ଜାରି କରାଯାଇଛି। କ୍ୟାସ୍ବ୍ୟାକ୍ରେ ରହୁଥିବା ଅସଙ୍ଗତିକୁ ଦୂର କରିବାକୁ ମଧ୍ୟ ନିୟମ କଡ଼ାକଡ଼ି କରାଯାଇଛି। ଇ-କମର୍ସ କଂପାନିଗୁଡ଼ିକ କ୍ୟାସବ୍ୟାକ୍ରେ ପକ୍ଷପାତିତା ନୀତି ଗ୍ରହଣ କରିପାରିବେ ନାହିଁ। ଯୁକ୍ତି ସଙ୍ଗତ ଭିତ୍ତିରେ କ୍ୟାସ୍ବ୍ୟାକ୍ ପ୍ରଦାନ କରିବେ। ଏହା ବ୍ୟତୀତ, ଇ-କମର୍ସ ସଂସ୍ଥାଗୁଡ଼ିକୁ ପ୍ରତିବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ଏକ ପୂର୍ବ ଆର୍ଥିକ ବର୍ଷର ଏକ ବୈଧାନିକ ଅଡିଟର୍ ରିପୋର୍ଟ ଓ ସାର୍ଟିଫିକେଟ୍ ଦାଖଲ କରିବାକୁ ହେବ। ସବୁ ନିୟମକୁ ପାଳନ କରି କାରବାର କରାଯାଇଛି ବୋଲି ଇ-କମର୍ସ ସଂସ୍ଥାଗୁଡ଼ିକ ନିଜ ଆଡ଼ୁ ଘୋଷଣା କରିବେ। ଦୀର୍ଘ ଦିନ ହେଲାଣି, ଇ-କମର୍ସ ସଂସ୍ଥାଗୁଡ଼ିକ ବିରୋଧରେ ସ୍ଥାନୀୟ ଖୁଚୁରା ବ୍ୟବସାୟୀମାନେ ଅଭିଯୋଗ କରୁଥିଲେ। ଇ-କମର୍ସ ସଂସ୍ଥାଗୁଡ଼ିକ ଉପରେ ଲଗମା କଷିବା ନିମନ୍ତେ କଠୋର ନିୟମ ଲାଗୁ କରିବାକୁ ଦାବି କରୁଥିଲେ।
ଅନ୍ଲାଇନ୍ ବିକ୍ରେତାଙ୍କ ଉପରେ କଟକଣା
Advertisment
Follow Us