ଭୁବନେଶ୍ବର/ ରାଜନଗର : ବେଶ କିଛିଦିନ ଧରି କେରଳର ଏର୍ଣ୍ଣାକୁଲମରେ ଫସି ରହିଥିବା ୧୬୯ ଓଡ଼ିଆ ଝିଅ ଆଜି ଭୁବନେଶ୍ବରରେ ପହଞ୍ଚି ନିଜ ନିଜ ଗାଁକୁ ଫେରି ଯାଇଛନ୍ତି। ଦେଶବ୍ୟାପୀ ଲକ୍ଡାଉନ୍ ଯୋଗୁଁ କେରଳର ଏର୍ଣ୍ଣାକୁଲମ୍ର ଏକ ଘରୋଇ କାରଖାନାରେ ସିଲାଇ ଏବଂ ଏମ୍ପ୍ରଡରି କାର୍ଯ୍ୟ କରୁଥିବା ଏହି ଝିଅମାନେ ଓଡ଼ିଶା ଆସିବା ଲାଗି ଉଦ୍ୟମ କରୁଥିଲେ ମଧ୍ୟ ସୁବିଧା ପାଇପାରୁ ନ ଥିଲେ। ସେମାନଙ୍କ ସମସ୍ୟା ସଂପର୍କରେ ଅବଗତ ହେବା ପରେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ସହାୟତାର ହାତ ବଢ଼ାଇଥିଲେ। ଯାହାଫଳରେ ଆଜି ଏହି ଓଡ଼ିଆ ଝିଅମାନେ ଏୟାର ଏସିଆର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ବିମାନରେ ଆସିଥିବା ମଧୁସ୍ମିତା ସାମଲ ସେମାନେ ସୋନୁ ସୁଦଙ୍କ ଉଦ୍ୟମ ଯୋଗୁଁ ଘରକୁ ଫେରିପାରିଛନ୍ତି ବୋଲି କହିଛନ୍ତି। କେବଳ ମଧୁସ୍ମିତା ନୁହନ୍ତି, ସୋନୁଙ୍କର ଏହି ସହାୟତା ଲାଗି ବିମାନରେ ରାଜ୍ୟକୁ ଫେରିଥିବା ସମସ୍ତ ପ୍ରବାସୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
New Indian Expressଏୟାର ଏସିଆ ପକ୍ଷରୁ କୁହାଯାଇଛି କି କୋଚିରୁ ଭୁବନେଶ୍ବର ଆସିଥିବା ସ୍ବତନ୍ତ୍ର ବିମାନର ଭଡା ଅଭିନେତା ସୋନୂୁ ସୁଦ୍ ବହନ କରିଛନ୍ତି। ତେବେ ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିବାରେ ସହାୟତା କରିପାରିଥିବାରୁ ଏୟାର ଏସିଆ ମଧ୍ୟ ଖୁସି ବ୍ୟକ୍ତ କରିଛି। ଅନ୍ୟ ପକ୍ଷରେ ସୋନୁ ସୁଦ୍ କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ସେମାନଙ୍କ ଆତ୍ମୀୟଙ୍କ ସହ ମିଶାଇବା ଲାଗି ମୁଁ ଉଦ୍ୟମ ଚଳାଇଛି। ତେବେ ଏହି କ୍ଷେତ୍ରରେ ଏୟାର ଏସିଆ ମୋତେ ସହଯୋଗ କରିଛି । ଉଡାଣ ସଂସ୍ଥାର ଯେଉଁ କର୍ମଚାରୀମାନେ ଏହି ବିମାନରେ ରହି ପ୍ରବାସୀଙ୍କୁ ଘରେ ପହଞ୍ଚାଇଲେ ସେମାନେ ହେଉଛନ୍ତି ପ୍ରକୃତ କୋଭିଡ୍ ଯୋଦ୍ଧା । ଓଡ଼ିଆ ଝିଅଙ୍କର ଏହି ବିମାନ ଯାତ୍ରାକୁ ସେ ‘ଉମିଦକି ଉଡାନ୍’ ବୋଲି ଅଭିହିତ କରିଛନ୍ତି।
ସୂଚନା ଅନୁସାରେ, ଘଟଣା ସଂପର୍କରେ ଅବଗତ ହେବା ପରେ ଓଡ଼ିଆ ଝିଅଙ୍କର ଦାୟିତ୍ବ ନେବା ଲାଗି ସୋନୁ ସୁଦ୍ ନିଷ୍ପତ୍ତି ନେବା ପରେ ଉଦ୍ୟମ ଆରମ୍ଭ କରିଥିଲେ। ଏଥିଲାଗି ସେ ଉଭୟ କେରଳ ଓ ଓଡ଼ିଶା ସରକାରଙ୍କ ସହ ଯୋଗାଯୋଗ କରି ଅନୁମତି ନେଇଥିଲେ। ଏହାପରେ ଝିଆମାନେ ବିମାନରେ ଫେରିବା ନିଷ୍ପତ୍ତି ହୋଇଥିଲା। ଆଜି ସକାଳ ୭ଟାରେ ଝିଅମାନଙ୍କୁ କୋଚିରୁ ଭୁବନେଶ୍ବର ନେଇ ଯିବାକୁ ବାଙ୍ଗାଲୋର୍ରୁ ଏକ ବିମାନ ଆସି ପହଞ୍ଚିଥିଲା । ସମସ୍ତେ ଏହି ବିମାନରେ ଆଜି ଦିନ ପ୍ରାୟ ୧୧ଟା ବେଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି।ଏମାନଙ୍କ ମଧ୍ୟରୁ ପ୍ରାୟ ୧୫୦ ଜଣ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର, ପଟାମୁଣ୍ଡେଇ ଓ ମହାକାଳପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ଭୁବନେଶ୍ବରରୁ ୪ଟି ବସରେ ସେମାନଙ୍କୁ ଘରକୁ ଫେରାଇ ନେବା ଲାଗି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।
Follow Us