ଜୁନ୍‌ରେ ଆସିପାରେ ପୂର୍ଣ୍ଣାଙ୍ଗ ବଜେଟ୍‌

Advertisment

୩୦ ସୁଦ୍ଧା ପ୍ରସ୍ତାବ ଦାଖଲ ପାଇଁ ବିଭାଗଙ୍କୁ ନିର୍ଦ୍ଦେଶ

୩୦ ସୁଦ୍ଧା ପ୍ରସ୍ତାବ ଦାଖଲ ପାଇଁ ବିଭାଗଙ୍କୁ ନିର୍ଦ୍ଦେଶ

ଜୁନ୍‌ରେ ଆସିପାରେ ପୂର୍ଣ୍ଣାଙ୍ଗ ବଜେଟ୍‌

ଭୁବନେଶ୍ବର: ଅର୍ଥମନ୍ତ୍ର ବିକ୍ରମ କେଶରୀ ଆରୁଖ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ ଲେଖାନୁଦାନ ବିଧାନସଭାରେ ଗତ ଫେବ୍ରୁଆରି ୮ ତାରିଖରେ ଉପସ୍ଥାପିତ କରିଥିଲେ। ଷୋଡ଼ଶ ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ଏବଂ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ସରକାର ଚଳାଇବା ପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର କରିବା ଲାଗି ଏହା କରାଯାଇଥିଲା। ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ୪ ମାସ ଅର୍ଥାତ୍‌ ଏପ୍ରିଲରୁ ଜୁଲାଇ ପାଇଁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର ଲେଖାନୁଦାନ ଅର୍ଥମନ୍ତ୍ରୀ ଆଗତ କରିଥିଲେ। ଫେବ୍ରୁଆରି ୯ ତାରିଖରେ ଏହି ଲେଖାନୁଦାନକୁ ବିଧାନସଭାରେ ଗୃହୀତ କରାଯାଇଥିଲା। ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ଯୋଜନା, ପ୍ରକଳ୍ନ ଆଦି ବାବଦ ଖର୍ଚ୍ଚ ତୁଲାଇବା ପାଇଁ ଏହା ହୋଇଥିଲା।

ନୂଆ ସରକାର ଗଠନ ପରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଜୁନ ମାସରେ ହେବାର ସମ୍ଭାବନା ରହିଛି। ଏଥିରେ ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ନୂଆ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଗତ କରିବେ। ଏଥିରେ ୪ ମାସର ଲେଖାନୁଦାନ ବାବଦ ଖର୍ଚ୍ଚକୁ ମିଶାଯିବ। ପୂର୍ଣ୍ଣାଙ୍ଗ ବଜେଟ୍‌ ବିଧାନସଭାରେ ଗୃହୀତ ହେବାପରେ ବିଭାଗଗୁଡ଼ିକୁ ସଂପୂର୍ଣ୍ଣ ଆର୍ଥିକ ବର୍ଷ ପାଇଁ ଖର୍ଚ୍ଚ କରିବାର ଅଧିକାର ମିଳିବ। ବର୍ତ୍ତମାନ ‌ନୂଆ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ସମେତ ରାଜ୍ୟର ନୂଆ କାର୍ଯ୍ୟକ୍ରମ ଆଦିକୁ ନେଇ ପ୍ରଶାସନିକ ବିଭାଗଗୁଡ଼ିକୁ ସେମାନଙ୍କ ବଜେଟ ଆବଣ୍ଟନ ରାଶିରେ କିଛିଟା ଏପଟସେପଟ କରିବାକୁ ପଡ଼ିପାରେ। କେତେକ କ୍ଷେତ୍ରରେ ଆବଶ୍ୟକ ନଥିବା ଖର୍ଚ୍ଚ ବାବଦ ରାଶିକୁ ଦାଖଲ କରିବାକୁ ଏବଂ କେତେକ କ୍ଷେତ୍ରରେ ଅଧିକ ରାଶି ନେବାକୁ ପଡ଼ିପାରେ। ବଜେଟ୍‌ ପ୍ରସ୍ତୁତ‌ିରେ ମଧ୍ୟ ଏସବୁ ସମସ୍ୟାକୁ ଦୂର କରିବାକୁ ହେବ।

ଏଭଳି ସ୍ଥିତିରେ ଅର୍ଥ ବିଭାଗ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂଶୋଧିତ ଅଟକଳ ଏବଂ ୨୦୨୪-୨୫ ବର୍ଷ ପାଇଁ ବଜେଟ ଆକଳନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ମର୍ମରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ସବୁ ବିଭାଗକୁ ଏକ ଚିଠି ଲେଖିଛନ୍ତି। ଏଥିରେ କୁହାଯାଇଛି ଯେ ଉପରୋକ୍ତ ଦୁଇ ବର୍ଷର ବଜେଟ୍‌ ସଂକ୍ରାନ୍ତ କାର୍ଯ୍ୟ ପାଇଁ ଗତ ନଭେମ୍ବର ୧୦ ତାରିଖରେ ବିଭାଗ ପକ୍ଷରୁ ଏକ ଚିଠି ଲେଖାଯାଇଥିଲା। କିନ୍ତୁ ବିଧାନସଭାର ଅବଧି ଶେଷ, ନିର୍ବାଚନ ଏବଂ ଲେଖାନୁଦାନ ଉପସ୍ଥାପନ ପରିପ୍ରେକ୍ଷୀରେ ସମସ୍ତ ପ୍ରଶାସନିକ ବିଭାଗକୁ ଏବେ ଅତିରିକ୍ତ କିମ୍ବା ସମଯୋଜିତ ବଜେଟ୍‌ ପ୍ରସ୍ତାବ (ଯଦି କିଛି ଥାଏ) ଦାଖଲ କରିବାକୁ କୁହାଯାଇଛି। ବିଟା ସିଷ୍ଟମରେ ପୂର୍ବରୁ ଯେଉଁ ସୀମା ଧାର୍ଯ୍ୟ କରାଯାଇ ସୂଚନା ଦିଆଯାଇଥିଲା ତାହାରି ଆଧାରରେ ଉକ୍ତ ପ୍ରସ୍ତାବଗୁଡ଼ିକୁ ଚଳିତମାସ ୩୦ ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏସବୁ ପ୍ରସ୍ତାବ ଓସ୍ବାସ୍‌ ବ୍ୟବସ୍ଥାରେ ଇଲେକ୍ଟ୍ରୋନିକ ରୂପରେ ଯୋଜନା ଓ ସଂଯୋଜନ ବିଭାଗ ଏବଂ ଅର୍ଥ ବିଭାଗର ମଞ୍ଜୁରି କିମ୍ବା ସଂପୃକ୍ତ ବିଭାଗର ସଚିବଙ୍କ ଦ୍ବାରା ୟୁଓଆଇ ନୋଟ୍‌ରେ ଉପଯୁକ୍ତ ଭା‌ବେ ମଞ୍ଜୁର ହୋଇଥିବା ଆବଶ୍ୟକ ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe