ଯୁକ୍ତ୨ ସିଟ୍ ବୃଦ୍ଧି ହେଲେ କେମିତି ହେବ ପାଠପଢ଼ା? ୪ଶହ ପିଲାରେ ଅଛନ୍ତି ଜଣେ ଅଧ୍ୟାପକ

Advertisment
ଯୁକ୍ତ୨ ସିଟ୍ ବୃଦ୍ଧି ହେଲେ କେମିତି ହେବ ପାଠପଢ଼ା? ୪ଶହ ପିଲାରେ ଅଛନ୍ତି ଜଣେ ଅଧ୍ୟାପକ

ନବରଙ୍ଗପୁର : ଚଳିତ ବର୍ଷ ମାଟ୍ରିକ୍‌ ପାସ୍‌ ହାର ତୁଳନାରେ କମ୍‌ ରହିଛି ଯୁକ୍ତ୨ ସିଟ୍‌ ସଂଖ୍ୟା। ତେଣୁ ପିଲା ଯେମିତି ଉଚ୍ଚଶିକ୍ଷାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ସରକାର ଯୁକ୍ତ୨ ସିଟ୍‌ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ହେଲେ, ସିଟ୍‌ ସଂଖ୍ୟା ବୃଦ୍ଧିକଲେ ସୁଦ୍ଧା ନବରଙ୍ଗପୁର ଜିଲ୍ଲାରେ ବିଶେଷ ଫଳପ୍ରଦ ହେବ ନାହିଁ ବୋଲି ଶିକ୍ଷାବିତ୍‌ କହିଛନ୍ତି। କାରଣ ଜିଲ୍ଲାରେ ଉଚ୍ଚଶିକ୍ଷା ନିମନ୍ତେ ଠୋସ୍‌ ଭିତ୍ତିଭୂମିର ଅଭାବ ରହିଛି। ସେହିପରି ଯୁକ୍ତ୨ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବାକୁ ପର୍ଯ୍ୟାପ୍ତ ଅଧ୍ୟାପକ ନାହାନ୍ତି। ସ୍ଥିତି ଏମିତି ଯେ ପ୍ରତି ୪ଶହ ପିଲାଙ୍କ ପାଇଁ ଜଣେ ମାତ୍ର ଅଧ୍ୟାପକ ରହିଛନ୍ତି। ଯଦି ବି ପିଲା ନାମ ଲେଖାଇବେ ତେବେ ପଢ଼ିବେ କେଉଁଠି ଏବଂ କିଏ ପାଠ ପଢ଼ାଇବ ବୋଲି ପ୍ରଶ୍ନ ଉଠିଲାଣି।

ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି, ରାଇଘର, ଝରିଗାଁ, କୋଡିଙ୍ଗା, ମଇଦଲପୁର, ଖାତିଗୁଡା, ନବରଙ୍ଗପୁର ଓ ଉମରକୋଟଠାରେ ଅନୁଦାନପ୍ରାପ୍ତ ବ୍ଲକ୍‌ ଗ୍ରାଣ୍ଟ କଲେଜ ରହିଛି। ନବରଙ୍ଗପୁର, ଡାବୁଗାଁ ଓ ଉମରକୋଟ ଠାରେ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଯୁକ୍ତ୨ କଲେଜ ରହିଛି। ପୂର୍ଣ୍ଣ ଅନୁଦାନପ୍ରାପ୍ତ କଲେଜ ଗୁଡିକରେ ଅଧ୍ୟାପକଙ୍କୁ ଷ୍ଟାଫ୍‌ ସିଲେକ୍ସନ କମିସନ ନିଯୁକ୍ତି ଦେଉଛି। କିନ୍ତୁ, ଡାବୁଗାଁ କଲେଜରେ ଏପର୍ଯ୍ୟନ୍ତ ଆବଶ୍ୟକ ଅଧ୍ୟାପକ ପଦବି ପୂରଣ ହୋଇପାରିଲା ନାହିଁ। ସେହିପରି ସରକାରୀ ଅନୁଦାନପ୍ରାପ୍ତ ବ୍ଲକ୍‌ ଗ୍ରାଣ୍ଟ କଲେଜ ଗୁଡିକରେ ସରକାର ନୂଆ ଅଧ୍ୟାପକ ନିଯୁକ୍ତି ଦେଉନାହାନ୍ତି, କଲେଜ ଗୁଡ଼ିକ ମଧ୍ୟ ଆର୍ଥିକ ସମସ୍ୟା ଯୋଗୁ ଅଧ୍ୟାପକ ନିଯୁକ୍ତିରେ ବିଶେଷ ଆଗ୍ରହ ଦେଖାଉନାହାନ୍ତି।

ଯଦି ପାଠ୍ୟକ୍ରମ କଥା ବିଚାରକୁ ନିଆଯିବ ତେବେ ଜିଲ୍ଲାରେ ବିଜ୍ଞାନ ପଢ଼ିବା ପାଇଁ ଅଧିକାଂଶ ଛାତ୍ରଛାତ୍ରୀ ପ୍ରତିବର୍ଷ ଆଗ୍ରହ ଦେଖାଉଛନ୍ତି। କିନ୍ତୁ ସେହି ତୁଳନାରେ ସିଟ୍‌ ଜିଲ୍ଲାରେ ଉପଲବ୍ଧ ନାହିଁ। ଚନ୍ଦାହାଣ୍ଡିରେ ୪୧୬ ସିଟ୍, ଝରିଗାଁରେ ୩୮୪ ସିଟ୍, କୋଡିଙ୍ଗାରେ ୩୨୦ ସିଟ୍, ନବରଙ୍ଗପୁର ଓ ଉମରକୋଟ ମହିଳା ମହାବିଦ୍ୟାଳୟରେ ୩୨୦ ଲେଖାଏଁ ସିଟ୍, ମଇଦଲପୁରରେ ୨୫୬ ସିଟ୍, ରାଇଘରରେ ୩୨୪ ସିଟ୍, ଖାତିଗୁଡାରେ ୨୫୬ ସିଟ୍ ରହିଛି। ଏହି ମହାବିଦ୍ୟାଳୟ ଗୁଡ଼ିକରେ ‌ପ୍ରତ୍ୟେକ ବିଭାଗରେ ମାତ୍ର ଜଣେ ଲେଖାଏଁ ଅଧ୍ୟାପକ ଅଛନ୍ତି। ପ୍ରତ୍ୟେକ ମହାବିଦ୍ୟାଳୟରେ ୬୪ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଅଧ୍ୟାପକ ନିଯୁକ୍ତି ପାଇବା କଥା। ଜିଲ୍ଲାର ଅଧିକାଂଶ ମହାବିଦ୍ୟାଳୟରେ ଏହି ଅନୁପାତରେ ଅଧ୍ୟାପକ ନାହାନ୍ତି। ଯଦି ସରକାର ସିଟ୍ ସଂଖ୍ୟା ବଢ଼ାଇବାକୁ ଘୋଷଣା କରିବେ ତେବେ କଲେଜ ଗୁଡ଼ିକ ଉପରେ ଅତିରିକ୍ତ ଚାପ ପଡ଼ିବ। କାରଣ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିଲେ ଅତିରିକ୍ତ ଶ୍ରେଣୀଗୃହର ଆବଶ୍ୟକତା ବଢ଼ିବ। ନୂଆ ଭିତ୍ତିଭୂମି ନିର୍ମାଣ କରିବାକୁ ସମୟ ଲାଗିବ। ଏମିତି ସ୍ଥିତିରେ ଗୋଟିଏ ଶ୍ରେଣୀରେ ଶହେରୁ ଅଧିକ ପିଲାଙ୍କୁ ବସାଇ ପାଠ ପଢ଼ାଇବାକୁ ବାଧ୍ୟ ହେବେ କଲେଜ କର୍ତ୍ତୃପକ୍ଷ। କିଛି ନିର୍ଦ୍ଦିଷ୍ଟ ବିଭାଗରେ ଜଣେ କିମ୍ବା ଆଦୌ ଅଧ୍ୟାପକ ନଥିବାରୁ ପିଲାଙ୍କ ପାଠପଢ଼ା ପ୍ରଭାବିତ ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe