ଆଜି ଭୁବନେଶ୍ବରରେ ପହଞ୍ଚିବେ ଭାରତ-ଦ.ଆଫ୍ରିକା ଟିମ୍‌

କମିସନରେଟ୍‌ ପୁଲିସର କାରକେଡ୍‌ ରିହର୍ସାଲ

ଆଜି ଭୁବନେଶ୍ବରରେ ପହଞ୍ଚିବେ ଭାରତ-ଦ.ଆଫ୍ରିକା ଟିମ୍‌

ଭୁବନେଶ୍ବର: ଶୁକ୍ରବାର ଭାରତ ଓ ଦ. ଆଫ୍ରିକା କ୍ରିକେଟ୍‌ ଟିମ୍‌ ଅପରାହ୍‌ଣ ୧ଟା ୫୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ଦୁଇ ଟିମ୍‌କୁ ସ୍ବାଗତ କରିବା ପାଇଁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ଓ ହୋଟେଲ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଖେଳାଳିମାନେ ବିମାନବନ୍ଦରରେ ପହଞ୍ଚିବା ପରେ ଶଙ୍ଖନାଦ ସହ ଘୋଡ଼ାନାଚରେ ସେମାନଙ୍କୁ ସ୍ବାଗତ କରାଯିବ। ପରେ ଖେଳାଳିମାନଙ୍କୁ ଦୁଇଟି ବସ୍‌ରେ କମିସନରେଟ୍‌ ପୁଲିସର କଡ଼ା ସୁରକ୍ଷା ବଳୟରେ ହୋଟେଲ ମେ’ ଫେୟାର୍‌କୁ ନିଆଯିବ। ଏଥିପାଇଁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି ଅପରାହ୍‌ଣରେ ପୁଲିସ୍‌ ପକ୍ଷରୁ କାରକେଡ୍‌ ରିହର୍ସାଲ କରାଯିବା ସହ ସୁରକ୍ଷା ବ୍ୟବସ୍ଥାର ତଦାରଖ କରାଯାଇଥିଲା।

ହୋଟେଲରେ ପହଞ୍ଚିବା ପରେ ଖେଳାଳିମା‌ନେ ପୂରା ଦିନ ବିଶ୍ରାମ ନେବେ। ପର ଦିନ, ୧୧ ତାରିଖ‌ରେ ଉଭୟ ଦଳର ଖେଳାଳି ବାରବାଟୀ ଷ୍ଟାଡିୟମ୍‌ ଯାଇ ସେଠାରେ ଅଭ୍ୟାସ କରିବେ। ଉକ୍ତ ଦିନ ପ୍ରଥମେ ଦ. ଆଫ୍ରିକାର ଖେଳାଳି ଅପରାହ୍‌ଣ ୧ଟାରୁ ୪ଟା ପର୍ଯ୍ୟନ୍ତ ଓ ପରେ ଭାରତୀୟ ଖେଳାଳିମାନେ ଅପରାହ୍‌ଣ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅଭ୍ୟାସ କରି ହୋଟେଲକୁ ଫେରି ଆସିବେ। ଏହା ପରଦିନ ଅର୍ଥାତ୍‌ ୧୨ ତାରିଖ ଅପରାହ୍‌ଣ ୩ଟାରେ ଦୁଇ ଦଳର ଖେଳାଳି ବାରବାଟୀ ଅଭିମୁଖେ ବାହାରିବେ। ୧୩ ତାରିଖ ଅପରାହ୍‌ଣ ୪ଟା ୧୫ରେ ଖେଳାଳିମାନେ ଭୁବନେଶ୍ୱରରୁ ଭାଇଜାଗ୍ ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡ଼ିଛି।

ବାରବାଟୀ ମ୍ୟାଚ୍‌: ରାସ୍ତା ପାର୍ଶ୍ବ ରଙ୍ଗ, ଝୋଟି ପାଇଁ ସିଏମ୍‌ସି ଖର୍ଚ୍ଚ କରିବ ୧୫ ଲକ୍ଷ

ବାରବାଟୀ ଟି-୨୦ ମ୍ୟାଚ ପାଇଁ ସିଏମ୍‌ସି ପକ୍ଷରୁ ଷ୍ଟାଡିୟମ ଆଖପାଖ ଅଞ୍ଚଳକୁ ସୌନ୍ଦର୍ଯ୍ୟୀକରଣ କାମ ଆରମ୍ଭ ହୋଇଛି। ରିଙ୍ଗ୍‌ ବନ୍ଧର ମାତାମଠ ଛକରୁ କ୍ୟାଣ୍ଟେନ୍‌ମେଣ୍ଟ ଥାନା ମଧ୍ୟରେ ଥିବା ରାସ୍ତା ପାର୍ଶ୍ବ ପାଚେରିକୁ ରଙ୍ଗ କରାଯିବା ସହ ଝୋଟି ଚିତ୍ର ଅଙ୍କା ଯାଉଛି। ଏହାସହ ରାସ୍ତା ପାର୍ଶ୍ବରେ ଥିବା ତାର ବାଡ଼ ଓ ଫୁଟ୍‌ପାଥକୁ ମଧ୍ୟ ରଙ୍ଗ କରାଯାଉଛି। ଫୁଟ୍‌ପାଥ୍‌ର ଯେଉଁ ସ୍ଥାନରେ ପେଭର ବ୍ଲକ୍‌ ଭାଙ୍ଗି ଯାଇଛି ସେଠାରେ ମରାମତି କରାଯାଉଛି। ଏଥିପାଇଁ ସିଏମ୍‌ସି ପକ୍ଷରୁ ୧୫ ଲକ୍ଷରୁ ଅଧିକ ଟଙ୍କାର ବଜେଟ୍‌ କରାଯାଇଛି।

ତଳପଡ଼ିଆ ସମତଳ ପାଇଁ ଖର୍ଚ୍ଚ କୋଟିଏ ୯୫ ଲକ୍ଷ

ବାଲିଯାତ୍ରା ତଳ ପଡ଼ିଆରେ ଖେଳ ଦେଖିବାକୁ ଆସୁଥିବା ଦର୍ଶକଙ୍କ ଗାଡ଼ି ରଖିବାକୁ ପାର୍କିଂର ବ୍ୟବସ୍ଥା କରାଯାଉଛି। ଏଠାରେ ୧୫ ହଜାରରୁ ଅଧିକ ସଂଖ୍ୟ‌ାର ଦୁଇରୁ ଚାରି ଚକିଆ ଗାଡ଼ି ରଖିବା ପାଇଁ ବାଲି ଉପ‌ରେ ଲାଲ ମହରମ ପକାଯାଉଛି। ଏଥିପାଇଁ ପଡ଼ିଅାର ୩୫ ଏକର ଜାଗା ଉପରେ ଆରଆଣ୍ଡବି ବିଭାଗ ପକ୍ଷରୁ ମହରମ ବିଛାଯାଇ ଏହାକୁ ସମତଳ କରାଯାଉଛି। ଏଥିରେ ୭ଟି ଜେସିବି ଓ ୫ଟି ରୋଲର ବ୍ୟବହାର କରାଯାଉଛି। ବିଭାଗ ପକ୍ଷରୁ ରାସ୍ତାର ଡିଭାଇଡ୍‌ରକୁ ମଧ୍ୟ ରଙ୍ଗ କରାଯାଉଛି। ଏଥିରେ କୋଟିଏ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe