ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି: ବାମପନ୍ଥୀ ବିଚାରଧାରା ଓ ଆଧ୍ୟାତ୍ମିକତାର ଅପୂର୍ବ ସମନ୍ବୟ ସୌରୀବନ୍ଧୁ; ସୌମ୍ୟରଞ୍ଜନ

Advertisment
ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି: ବାମପନ୍ଥୀ ବିଚାରଧାରା ଓ ଆଧ୍ୟାତ୍ମିକତାର ଅପୂର୍ବ ସମନ୍ବୟ ସୌରୀବନ୍ଧୁ; ସୌମ୍ୟରଞ୍ଜନ

ଭୁବନେଶ୍ବର: ବାମପନ୍ଥୀ ବିଚାର ଉପରେ ବିଶ୍ବାସ କରୁଥିବା ବ୍ୟକ୍ତିମାନଙ୍କୁ ଆମେ ଏକ ଭିନ୍ନ ଦୃଷ୍ଟିରେ ଦେଖୁ। ଏଭଳି ବ୍ୟକ୍ତିମାନଙ୍କ ଭିତରେ ଯେତେବେଳେ ଆମେ ସ୍ବାମୀ ବିବେକାନନ୍ଦଙ୍କର ଦର୍ଶନ ପ୍ରତି ରୁଚି ଏବଂ ଆଗ୍ରହ ଦେଖୁ ଆମକୁ ଟିକେ ଅଡ଼ୁଆ ଲାଗେ। ସତେ ଯେମିତି ବାମପନ୍ଥୀ ହେବାର ଅର୍ଥ ଆଧ୍ୟାତ୍ମିକତାଠାରୁ ଦୂରେଇଯିବା। କିନ୍ତୁ ବିଶିଷ୍ଟ ଶ୍ରମିକ ନେତା ସ୍ବର୍ଗତ ସୌରୀବନ୍ଧୁ କରଙ୍କ ବ୍ୟକ୍ତିତ୍ବରେ ଉଭୟର ଏକ ଅପୂର୍ବ ସମନ୍ବୟ ଦେଖିବାକୁ ମିଳିଥିଲା। ଏଣୁ ମୁଁ ତାଙ୍କ ବ୍ୟକ୍ତିତ୍ବରେ ବିଶେଷ ଭାବେ ପ୍ରଭାବିତ ହୋଇଥିଲି। ଜଣେ ଲେଖକ ହିସାବରେ ଓ ବ୍ୟକ୍ତିଗତ ଜୀବନରେ ନିଜ ପ୍ରତି କମ୍‌ ଓ ଅନ୍ୟପ୍ରତି ଅଧିକ ସଂପୃକ୍ତ ହେବାର ଯେଉଁ ଅଭ୍ୟାସ, ତାହା ବହୁତ କମ୍‌ ଲୋକଙ୍କ ମଧ୍ୟରେ ‌ଦେଖିବାକୁ ମିଳେ। ଆଜି ବିଶିଷ୍ଟ ଶ୍ରମିକ ନେତା ସୌରୀବନ୍ଧୁ କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଂଜିନିୟର୍ସ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ମୃତି ସଭାରେ ଏଭଳି ମତ ବ୍ୟକ୍ତ କରିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ସ୍ବର୍ଗତ କରଙ୍କ ସାଂଗଠନିକ ଶକ୍ତି ତଥା ତାଙ୍କ ସହନଶୀଳତା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ। ସେ ଯେକୌଣସି ବିଚାରଧାରାରେ ବିଶ୍ବାସ କରନ୍ତୁ ନା କାହିଁକି; ଭିନ୍ନ ବିଚାରଧାରାରେ ବିଶ୍ବାସ କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ତାଙ୍କ ସହନଶୀଳତାରୁ ସମସ୍ତେ ଶିଖିବାର ଅଛି। ଆଜିର ଦୁନିଆରେ ଅନ୍ୟ ମତ ଓ ସମାଲୋଚନା ପ୍ରତି ଟିକେ ସହନଶୀଳତାର ଅଭାବ ଦେଖାଯାଉଥିବା ବେଳେ ସ୍ବର୍ଗତ ସୌରୀବନ୍ଧୁ କରଙ୍କ କଥା ସ୍ମରଣ ଯଥାର୍ଥ ବୋଲି ସେ କହିଥି‌ଲେ।

ସ୍ମୃତିସଭାରେ ଭୁବନେଶ୍ବର ରାମକୃଷ୍ଣ ମିସନର ସମ୍ପାଦକ ଆତ୍ମପ୍ରଭାନନ୍ଦଜୀ, ସିପିଆଇର ରାଜ୍ୟ ସମ୍ପାଦକ ଦିବାକର ନାୟକ, ମହାବୋଧି ସୋସାଇଟିର ଉପସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ‘ନିତିଦିନ’ର ସମ୍ପାଦକ ମନୋଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଶ୍ରୀ କରଙ୍କ ସ୍ମୃତିଚାରଣ କରିଥିଲେ। ଶ୍ରୀ କରଙ୍କ ଶ୍ରମିକ ପ୍ରାଣ, ନିର୍ଭୀକ ନେତୃତ୍ବ, ଗାନ୍ଧୀବାଦ ଓ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ କିଭଳି ଅନ୍ୟପାଇଁ ବଞ୍ଚି ଚାଲିଥିଲେ ‌ସେ କଥା ଅତିଥିମାନେ ବର୍ଣ୍ଣନା କରିଥିଲେ। ଏହି ଅବସରରେ ‘ସ୍ମୃତିରେ ସୌରୀବନ୍ଧୁ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ଫର୍‌ୱାର୍ଡ ବ୍ଲକ୍‌ର ରାଜ୍ୟ ସଂପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ସମାଜସେବୀ ଧୀରେନ୍ଦ୍ର କର, ପୂର୍ବତନ ଆଇଆର୍‌ଏସ୍‌ ଅଧିକାରୀ ଶୋଭନ କର, ପୂର୍ବତଟ ରେଳବାଇର ବରିଷ୍ଠ ଅଧିକାରୀ ଜ୍ୟୋତିପ୍ରକାଶ ମିଶ୍ର ଓ ସ୍ବର୍ଗତ କରଙ୍କ ଶିକ୍ଷକ ରାମଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରୀ କରଙ୍କ ସ୍ମୃତିଚାରଣ କରିଥିଲେ। ରମାକାନ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ସୁଭାଷ ଶତପଥୀ ସ୍ବାଗତ ଭ‌ାଷଣ ଦେଇଥିଲେ। ସ୍ବର୍ଗତ କରଙ୍କ ପୁତୁରା ଶୁଭାଶିଷ କର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe