ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ: ବର୍ଷକ ପରେ ଗ୍ରେଡ୍‌-୧କୁ ବଦଳିଲା ମାଟ୍ରିକ ପରୀକ୍ଷାଫଳ

ଯୁକ୍ତ ୨ ବିଜ୍ଞାନର ପାସ୍‌ କରିଥିବା ଦୁଇ ଛାତ୍ରଛାତ୍ରୀ ଫେଲ୍‌

ଯୁକ୍ତ୨ ଥିଓରି ପରୀକ୍ଷା: ପ୍ରଶ୍ନପତ୍ର ତଥ୍ୟ ମାଗିଲା ପରିଷଦ

ରାଜନଗର : ପରୀକ୍ଷାଫଳ ପ୍ରକାଶନରେ ବିଭ୍ରାଟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଉଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସ୍‌ଇ) କର୍ତ୍ତୃପକ୍ଷରେ ଏଭଳି ତ୍ରୁଟି କିଛି ନୂଆ ହୋଇ ନଥିଲେ ବି ରାଜନଗର ଅଞ୍ଚଳର ତିନିଟି ଘଟଣା ଶିକ୍ଷାବିତ୍‌ ଏବଂ ଅଭିଭାବକ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି।

ରାଜନଗର ବ୍ଲକ୍‌ ଯଦୁଚନ୍ଦ୍ରପୁର ଗାଁର ବୈଦ୍ୟନାଥ ବରାଳଙ୍କ ପୁଅ ବ୍ୟାସଦେବ ବରାଳ ଏଭଳି ଘଟଣାର ଶିକାର ହୋଇଛନ୍ତି। ବ୍ୟାସଦେବ ଚାନ୍ଦିବାଉଁଶମୂଳସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ବେଳେ ୨୦୨୦ ମସିହାରେ ମାଟ୍ରିକ ପରୀକ୍ଷା ଦେଇଥିଲେ। ପରୀକ୍ଷାଫଳ ବାହାରିବା ସମୟରେ ସେ ୫୩୨ ନମ୍ବର ରଖି ଏ-୨ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିଲେ। କିନ୍ତୁ ସେ ଅଧିକ ନମ୍ବର ପାଇବାକୁ ନିଶ୍ଚିତ ଥିବା ବେଳେ ନିୟମ ଅନୁଯାୟୀ ବୋର୍ଡରେ ଟଙ୍କା ଦାଖଲ କରି ତାଙ୍କର ଉତ୍ତର ଖାତା ଆଣିଥିଲେ। ସାମାଜିକ ବିଜ୍ଞାନରେ ଠିକ ଉତ୍ତର ଦେଇ ମଧ୍ୟ କେତେକ ପ୍ରଶ୍ନର ଉତ୍ତରରେ ତାଙ୍କୁ ଶୂନ ନମ୍ବର ଦିଆଯାଇଥିବା ଜଣାପଡ଼ିଥିଲା। ଫଳରେ ସେ ବୋର୍ଡ କାର୍ଯ୍ୟାଳୟରେ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିଥିଲେ। ବୋର୍ଡରେ ୪ ଜଣ ବିଶେଷଜ୍ଞଙ୍କ ଦ୍ବାରା ଉତ୍ତର ଖାତା ପୁନଃ ମୂଲ୍ୟାୟନ କରାଯିବା ପରେ ତାଙ୍କୁ ସାମାଜିକ ବିଜ୍ଞାନରେ ୭୯ ନମ୍ବର ମିଳିଥିଲା। ପୂର୍ବରୁ ତାଙ୍କୁ ସାମାଜିକ ବିଜ୍ଞାନରେ ୬୭ ନମ୍ବର ମିଳିଥିବା ବେଳେ ଗୋଟିଏ ବିଷୟରେ ୧୨ ନମ୍ବର ବଢି ଯିବାରୁ ମୋଟ ନମ୍ବର ୫୪୪କୁ ବୃଦ୍ଧି ପାଇଥିଲା। ଫଳରେ ସେ ଏ-୨ ଗ୍ରେଡ ବଦଳରେ ଏ-୧ ଗ୍ରେଡ ( ୯୦.୪୪ ପ୍ରତିଶତ) ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ସଂଶୋଧିତ ସାର୍ଟିଫିକେଟ୍ ପାଇଛନ୍ତି। କିନ୍ତୁ ଏଥିପାଇଁ ତାଙ୍କୁ ଦୀର୍ଘ ଏକ ବର୍ଷ ଲାଗିଗଲା। ବ୍ୟାସଦେବ ଏବେ ଯୁକ୍ତ ବିଜ୍ଞାନରେ ଦ୍ବିତୀୟ ବର୍ଷରେ ପଢୁଥିବା ବେଳେ ଏଭଳି ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ କରାଯାଇ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳା ନଯାଉ ବୋଲି ବ୍ୟାସଦେବ କହିଛନ୍ତି।

ସେହିଭଳି ଘଟଣା ଘଟିଛି ରାଜନଗର ବ୍ଲକର ଦୁଇ ଜଣ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ। ତରପଦା ଗାଁର ସୁକାନ୍ତ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ ରାଜନଗରସ୍ଥିତ ଶ୍ରୀଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନରେ ପଢୁଥିଲେ। କରୋନା ମହାମାରୀ ଯୋଗୁଁ ପରୀକ୍ଷା ହୋଇନଥିଲା। ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ ବାହାରିବା ପରେ ସୁନୀତା ୨୫୮ ନମ୍ବର ରଖି ପାସ୍‌ କରିଥିଲେ। ଅନଲାଇନ୍ ମାର୍କସିଟ୍‌ରେ ତାଙ୍କର ସାହିତ୍ୟରେ ୩୫, ଇଂରାଜୀରେ ୪୯, ଫିଜିକ୍ସରେ ୪୯, କେମେଷ୍ଟ୍ରିରେ ୪୯, ଗଣିତରେ ୩୨, ବାୟୋଲୋଜିରେ ୪୪ ନମ୍ବର ରହିଥିଲା। ସେ ଯୁକ୍ତ ୩ ବିଜ୍ଞାନ ପଢ଼ିବା ପାଇଁ ଅଗଷ୍ଟ ମାସରେ କମନ ଆପ୍ଲିକେସନ ଫର୍ମରେ ଅନଲାଇନରେ ଆବେଦନ କରିଥିଲେ। କିନ୍ତୁ ତାଙ୍କର ପ୍ରଥମ ଓ ଦ୍ବିତୀୟ ସିଲେକ୍ସନରେ ଇଂଟିମେସନ ନ ଆସିବାରୁ ଅକ୍ଟୋବର ୯ ତାରିଖରେ ସ୍ପଟ ଆଡିମିସନ୍‌ ପାଇଁ ସେ କମନ ଆପ୍ଲିକେସନ ଫର୍ମ ପକାଇବା ବେଳେ ଅନଲାଇନ୍ ଫର୍ମରେ ସେ ଫେଲ ବୋଲି ଦେଖାଇଥିଲା। ଆଉଥରେ ମାର୍କସିଟ ଅନଲାଇନରୁ କାଢିବାରୁ ତାଙ୍କର ମାର୍କ ୨୩୧କୁ ଖସି ଆସିଥିବା ଦେଖିଥିଲେ। ତାଙ୍କର ସାହିତ୍ୟ ଏବଂ ଗଣିତରେ ମାର୍କ ସମାନ ଥିବା ବେଳେ ଫିଜିକ୍ସରେ ୪୧, କେମେଷ୍ଟ୍ରିରେ ୪୧, ଗଣିତରେ ୨୧, ବାୟୋଲୋଜିରେ ୩୨ ନମ୍ବର ହୋଇଯାଇଥିଲା। ସେହିପରି ବାଲିକଣା ଗାଁର ବୃନ୍ଦାବନ ରାଉତଙ୍କ ପୁଅ ରୁଦ୍ର ନାରାୟଣ ରାଉତ ଯୁକ୍ତ ୨ ବିଜ୍ଞାନରେ ୨୩୮ ନମ୍ବର ରଖି ପାସ୍‌ କରିଥିଲେ। ତାଙ୍କର ସାହିତ୍ୟ, ଇଂରାଜୀ ଓ ଗଣିତରେ ୩୦ ନମ୍ବର ଲେଖାଏଁ, ଫିଜିକ୍ସ ଓ କେମେଷ୍ଟ୍ରିରେ ୪୯ ଏବଂ ଆଇଟିରେ ୫୦ ନମ୍ବର ଥିଲା। ସେ ପ୍ରଥମେ ଯୁକ୍ତ ୩ରେ ପାଠ ପଢିବା ପାଇଁ କରିଥିବା ଆବେଦନରେ ମାର୍କ ୨୩୮ ରହିଥିଲା। କୌଣସି କଲେଜରେ ତାଙ୍କର ଇଂଟିମେସନ ନଆସିବାରୁ ସେ ସ୍ପଷ୍ଟ ଆଡମିସନ୍‌ ପାଇଁ ଆବେଦନ କରିବା ବେଳେ ତାଙ୍କର ମାର୍କ ୨୧୮କୁ ଖସି ଆସିଥିବା ଅନଲାଇନରେ ଦେଖାଯାଇଥିଲା। ତାଙ୍କର ସାହିତ୍ୟ ଓ ଇଂରାଜୀ, ଆଇଟିରେ ମାର୍କ ସମାନ ଥିବା ବେଳେ ଫିଜିକ୍ସ, କେମେଷ୍ଟ୍ରିରେ ୪୩, ଗଣିତରେ ୨୨ ନମ୍ବର ରହିଛି। ପ୍ରଥମେ ପାସ୍‌ କରିଥିବା ଛାତ୍ରଛାତ୍ରୀ କେଉଁ ଆଧାରରେ ଏଭଳି ଫେଲ୍‌ ହୋଇଗଲେ, ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ଏହି ଦୁଇ ଛାତ୍ରଛାତ୍ରୀ ପରୀକ୍ଷାରେ ଫେଲ ହୋଇଥିଲେ, ତେବେ ସେ ପାସ୍‌ କରିଥିବାର ମାର୍କସିଟ କିପରି ଅନଲାଇନରେ ଆସିଥିଲା? ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଗଣଶିକ୍ଷା ବିଭାଗର ଏଭଳି ଖେଳ ଏବେ ପ୍ରତିକ୍ରିୟାର କାରଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe