ଡାକ୍ତରଟିଏ ଭଲ ମଣିଷ ହେବା ଜରୁରି: ବିଦ୍ୟୁତ

Advertisment

‘ସିଟିଜେନ୍‌ ଫୋରମ୍‌’ର ଉତ୍କଳ ଦିବସ ସମାରୋହ

‘ସିଟିଜେନ୍‌ ଫୋରମ୍‌’ର ଉତ୍କଳ ଦିବସ ସମାରୋହ

ଡାକ୍ତରଟିଏ ଭଲ ମଣିଷ ହେବା ଜରୁରି: ବିଦ୍ୟୁତ

ଭୁବନେଶ୍ବର: ମୋ’ ପରିବାରର ଚାହୁଥିଲା, ମୁଁ ଜଣେ ପ୍ରଶାସକ ହୁଏ। ହେଲେ ମୁଁ ଡାକ୍ତର ହେଲି। ଏହା ଭିତରେ ଲକ୍ଷାଧିକ ରୋଗୀଙ୍କୁ ଚିକିତ୍ସା କରିବାର ସୌଭାଗ୍ୟ ଅର୍ଜନ କରିଛି। ଡାକ୍ତର ହୋଇ ଜନସାଧାରଣଙ୍କ ଯେଉଁଭଳି ସେବା କରିପାରିଛି, ପ୍ରଶାସକ ହୋଇଥିଲେ ହୁଏ ତ ତାହା କରିପାରିନଥା’ନ୍ତି। ରୋଗୀଙ୍କଠାରୁ କେବେ ଅର୍ଥ ଆଶା କରିନାହିଁ। ସେହିଭଳି ‌ଓଡ଼ିଶା ବାହାରକୁ ଯାଇ କେବେ ବହୁ ଅର୍ଥ ଉପାର୍ଜନ କରିବାକୁ ଚେଷ୍ଟା ବି କରିନାହିଁ। ସାଙ୍ଗସାଥୀ, ଆତ୍ମୀୟସ୍ବଜନ ଅର୍ଥର ପ୍ରାଚୁର୍ଯ୍ୟରେ ଥାଇ ମୋତେ ଅର୍ଥ ସଂଚୟ ବିଷୟରେ ପଚାରିଲେ, ରୋଗୀ ସେବା ମୋର ମୂଳ ଧର୍ମ ବୋଲି ତାଙ୍କୁ ଉତ୍ତର ଦେଇଛି। ସବୁବେଳେ ରୋଗୀର ମନ କଥା ବୁଝି ଚିକିତ୍ସା କରିବାକୁ ଚେଷ୍ଟା କରିଛି। ଜଣେ ଭଲ ଡାକ୍ତର ହେବା ପୂର୍ବରୁ ଜଣେ ଭଲ ମଣିଷ ହେବା ନିହାତି ଜରୁରି। ୮୮ତମ ଉତ୍କଳ ଦିବସ ଓ ‘ସିଟିଜେନ୍‌ ଫୋରମ୍‌’ ଗ୍ରେଟର୍‌ ଗାଡ଼କଣର ଅଷ୍ଟମ ବାର୍ଷିକ ଉତ୍ସବ ଅବସରରେ ‘ସିଟିଜେନ୍‌ ଲିଜେଣ୍ଡ୍‌ ଆୱାର୍ଡ’ରେ ସମ୍ବର୍ଦ୍ଧିତ ଆଣ୍ଠୁଗଣ୍ଠି ବାତ ବିଶେଷଜ୍ଞ ଡାକ୍ତର ବିଦ୍ୟୁତ କୁମାର ଦାସ ଆଜି ଏହା କହିଛନ୍ତି।

ଗୁରୁ କେଳୁଚରଣ ପାର୍କ ସମ୍ମୁଖରେ ଅନୁଷ୍ଠିତ ଏହି ଉତ୍ସବକୁ ବିଶିଷ୍ଟ ସ୍ତମ୍ଭକାର ଭଗବାନ ପ୍ରକାଶ ଉଦ୍‌ଘାଟନ କରି କହିଲେ, ସମାଜରେ ସିଟିଜେନ୍‌ ସେକ୍ଟର ଏକତ୍ରିତ ସରକାରଙ୍କ ଉପରେ ଚାପ ସୃଷ୍ଟି କରି ସମାଜରେ ପରିବର୍ତ୍ତନ ଆଣିପାରିବେ। ସରକାର, ବଜାର, ଗଣମାମଧ୍ୟମ ତିନୋଟି ବିଶ୍ବ ହୋଇଥିବା ବେଳେ ସିଟିଜେନ୍‌ ଫୋରମ୍‌ ହେଉଛି ଚତୁର୍ଥ ବିଶ୍ବ। ଏହାସହ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ଗଠନ ପଛରେ ଥିବା ପୂର୍ବସୂରୀମାନଙ୍କ ଇତିହାସକୁ ସେ ଏହି ଅବସରରେ ଆଲୋକପାତ କରିଥିଲେ।

ମୁଖ୍ୟ ଅତିଥି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ପୂର୍ଣ୍ଣାଙ୍ଗ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କ ଭିତରେ ଭାବଗତ ଏକତା ନିତାନ୍ତ ଜରୁରି। ସୀମା ସୁରକ୍ଷାକୁ ଦୃଢ଼ୀଭୂତ କରିବାକୁ ହେଲେ ନାଗରିକମାନଙ୍କୁ ସଚେତନ ହେବା ସହ ସେଠାରେ ଥିବା ସରକାରୀ ଅଧିକାରୀମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତୁ।

ସେ ଆହୁରି କହିଥିଲେ ଯେ ଦେଶର ପ୍ରଧାନମନ୍ତ୍ରୀ ଏବେ ବିଶ୍ବଗୁରୁ ହେବାକୁ ଚାହୁଛନ୍ତି। ସେ ଓଡ଼ିଶା ଆସନ୍ତୁ, ଏଠାରେ ଥିବା ହିନ୍ଦୁ-ମୁସଲମାନମାନଙ୍କ ଭିତରେ ଥିବା ଏକତାଭାବକୁ ଅନୁଭବ କରନ୍ତୁ। ବା‌ଲେଶ୍ବର ଭୁଜାଖିଆ, କାଇପଦରର ପୀର ବାବା ଓ କଟକର କଦମରସୁଲକୁ ଥରେ ବୁଲି ଦେଖନ୍ତୁ। ଏଠାରେ ଥିବା ଧର୍ମଗତ ଏକାତକୁ ଅନୁଭବ କରନ୍ତୁ। ଏହାସହ ଆମ ଜାତିର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କୁ ପାଖକୁ ଯାଆନ୍ତୁ। ତେ‌ବେ ଯାଇ ପ୍ରକୃତ ବିଶ୍ବଗୁରୁ ହେବାର ତାଙ୍କର ଲକ୍ଷ୍ୟ ପୂରଣ ହୋଇପାରିବ ‌ବୋଲି ସେ କହିଥିଲେ।

ସମ୍ମାନିତ ଅତିଥି ପ୍ରଫେସର୍‌ ହରେକୃଷ୍ଣ ଶତପଥୀ ଶ୍ରୀ ପଟ୍ଟନାୟକଙ୍କ ଭାବଗତ ଏକତାକୁ ସମର୍ଥନ କରିବା ସହ ‘ଉତ୍କ‌େଳ ନେତାର ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ବୟଂ ନାରାୟଣ’ ବୋଲି କହିଥିଲେ। ଏହାସହ ଓଡ଼ିଶାର ମୂଲ୍ୟ‌ବୋଧ ଓ ଗଣତାନ୍ତ୍ରିକ ଅବକ୍ଷୟକୁ ରୋକିବାକୁ ହେଲେ ନେତାମାନେ ନିଜକୁ ଗୌଣ ମନେ କରି ମହାପ୍ରଭୁଙ୍କୁ ନେତା ଭାବେ ମଣନ୍ତୁ ବୋଲି ଆହ୍ବାନ ଦେଇଥିଲେ।
ଅନୁଷ୍ଠାନର ସଭାପତି ପ୍ରଫେସର୍‌ ସୁରେନ୍ଦ୍ର ମୋହନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଅମୂଲ୍ୟ କୁମାର ଦାସ ସ୍ବାଗତ ଭାଷଣ ଦେଇଥିଲେ। ସମ୍ପାଦକ ଜଗବନ୍ଧୁ ପାଣି ବ‌ାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ନିଃସ୍ବାର୍ଥପର ବିଏମ୍‌ସିର ସ୍ବଚ୍ଛସାଥୀ ପୂଜାରାଣୀ ସିଂହ ଓ ସଫଳ ଉଦ୍ୟୋଗୀ ତଥା ଅନୁଷ୍ଠାନର ଉପସଭାପତି ପ୍ରଦୀପ କୁମାର ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଚଳିତ ବର୍ଷର ମୁଖପତ୍ର ‘ଅଗ୍ରଗାମୀ’ ଉନ୍ମୋଚିତ ହୋଇଥିଲା। ଅନସୂୟା ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଗଣମାଧ୍ୟମ ଆବାହକ ଦିଲ୍ଲୀପ ଦାଶଶର୍ମା, ଯୁଗ୍ମ ସମ୍ପାଦକ ଜଗବନ୍ଧୁ ନାୟକ, ସଞ୍ଜୟ ମିଶ୍ର, କୋଷାଧ୍ୟକ୍ଷ ସିଲା କେଶବ ପାତ୍ର ଓ ଅନୁଷ୍ଠାନର ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe