ୱାର୍ଡ ନଂ୧୨: କୁଆଡ଼େ ଗଲା ୬୦୦ ଶଯ୍ୟାର ହସ୍ପିଟାଲ?

Advertisment
ୱାର୍ଡ ନଂ୧୨: କୁଆଡ଼େ ଗଲା ୬୦୦ ଶଯ୍ୟାର ହସ୍ପିଟାଲ?

ୱାର୍ଡ ପରିସୀମା
ସୈନିକ ସ୍କୁଲ, ଆଦିମାତା କଲୋନି, ସାମନ୍ତବିହାର, ନାଲକୋ ଛକ, ଓଏସ୍‌ଏପି ୭ମ ବାଟାଲିଆନ୍‌, ଜାଭିଅର ଛକ, ଗାନ୍ଧୀ ପାର୍କ ଅଞ୍ଚଳ, ସ୍ବସ୍ତି ପ୍ରିମିୟମ୍‌ ଅଞ୍ଚଳ, ଆଇଏମ୍‌ଏମ୍‌ଟି, ପଠାଣି ସାମନ୍ତ ପ୍ଲାନିଟାରିୟମ୍‌, ଦୂରଦର୍ଶନ କେନ୍ଦ୍ର, ରେଲୱେ କଲୋନି ଅଞ୍ଚଳ, ପାତ୍ର ସାହିର କିଛି ଅଞ୍ଚଳ

ଭୋଟର୍: ୧୦,୭୮୦
ପୁରୁଷ: ୫୮୫୮
ମହିଳା: ୪୯୨୧
ତୃତୀୟ ଲିଙ୍ଗ: ୧

ଚନ୍ଦ୍ରଶେଖରପୁର : ୪ ବର୍ଷ ତଳେ ହସ୍ପିଟାଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ପଡ଼ିଥିଲା। ଆନ୍ଧ୍ରପ୍ରଦେଶର ଏକ ହସ୍ପିଟାଲ ସହ ରାଜ୍ୟ ସରକାର ରାଜିନାମା କରିଥିଲେ। ଜାଗା ଚିହ୍ନଟ ସରିଥିଲେ ମଧ୍ୟ କାମ ଆଗେଇ ପାରି ନାହିଁ। ସେତିକିରେ ହିଁ ଅଟକି ରହିଛି ସବୁ କିଛି। ବିଏମ୍‌ସି ୧୨ ନମ୍ବର ୱାର୍ଡରେ ନିର୍ମାଣ ହେବାକୁ ଥିବା ୬୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଭାଗ୍ୟ ଏବେ ବି ଅଧାରେ। କେବେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିବ ଏବଂ ଦେଖାଇଥିବା ସ୍ବପ୍ନ ସାକାର ହେବ ତାହାକୁ ଅନେଇ ରହିଛନ୍ତି ଅଞ୍ଚଳବାସୀ।

ସୈନିକ ସ୍କୁଲ ପଛପାର୍ଶ୍ବ ଅସ୍ଥାୟୀ ଡର୍ମ୍ପିଂୟାର୍ଡର ଦୁର୍ଗନ୍ଧରେ ଲୋକେ ରୁନ୍ଧି ହେଉଛନ୍ତି। ନାକରେ ଲୁଗା ନ ଦେଲେ ଘରୁ ବାହାରିପାରୁ ନାହାନ୍ତି। ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବିଭିନ୍ନ ସମୟରେ ଲୋକେ ଦାବି କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନି। ୱାର୍ଡର ବିଭିନ୍ନ ସ୍ଥାନରୁ ଆସୁଥିବା ଅଳିଆ ଆବର୍ଜନା ନିର୍ମାଣଧୀନ କଳାମଣ୍ଡଳ ନିକଟରେ ଜମା ହେଉଥିବାରୁ ନ୍ୟୁ ଗଭର୍ଣ୍ଣମେଣ୍ଟ କଲୋନିବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଲକ୍ଷ୍ମୀବିହାରରେ ଲାଗି ରହିଥିବା ଡ୍ରେନେଜ୍‌ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଲୋ‌କେ ସୁଫଳ ପାଇପାରି ନାହାନ୍ତି। ଯେଉଁଥିପାଇଁ ଆଗାମୀ ନିର୍ବାଚନରେ ଏସବୁ ସମସ୍ୟା ପ୍ରସଙ୍ଗ ହେବ ବୋଲି ଆକଳନ କରାଯାଉଛି।

ଗତ ଦୁଇ ଥରର ନିର୍ବାଚନ ଦୃଶ୍ୟପଟ୍ଟ ଉପରେ ନଜର ପକାଇଲେ, ଏହା ବିଜେଡି କବ୍‌ଜାରେ ହିଁ ରହିଛି ବୋଲି ସ୍ପଷ୍ଟ। ୨୦୦୮ରେ ବିଜେଡି ପ୍ରାର୍ଥୀ ପ୍ରମିଳା ପରିଡ଼ା ବିପୁଳ ଭୋଟରେ ବିଜୟ ହୋଇଥିବା ବେଳେ ୨୦୧୪ରେ ସଞ୍ଜୟ ସେଠୀ କର୍ପୋରେଟର ହୋଇଥିଲେ। ମାତ୍ର ୱାର୍ଡର ସ୍ଥାୟୀ ବାସିନ୍ଦା ଏପର୍ଯ୍ୟନ୍ତ କର୍ପୋରେଟର ପଦବିରେ ବସିପାରି ନାହାନ୍ତି। ପ୍ରମିଳାଙ୍କ ଘର ରଙ୍ଗମାଟିଆ ଏବଂ ସଞ୍ଜୟଙ୍କ ଘର ପଟିଆ। ତେଣୁ ଏଥର ୱାର୍ଡବାସିନ୍ଦା ଭାବେ ପ୍ରାର୍ଥୀ ହୋଇ ଭୋଟ ହାତେଇବାକୁ କେତେଜଣ ଆଶା ରଖିଛନ୍ତି। ବିଜେଡିର ଦୁର୍ଗ ଭାବେ ପରିଚିତ ଏହି ୱାର୍ଡ ଏଥର ମହିଳାଙ୍କ ଲାଗି ସଂରକ୍ଷଣ ରହିଥିବାରୁ ସଞ୍ଜୟ ଏଥର ଏଠାରୁ ପ୍ରାର୍ଥୀ ହୋଇପାରିବେନାହିଁ। ତେଣୁ ତାଙ୍କ ପତ୍ନୀଙ୍କୁ ବିଜେଡିରୁ ପ୍ରାର୍ଥୀ କରିବାକୁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି। ସେହିପରି ବିଜେଡି ଭୁବନେଶ୍ବର ଜିଲ୍ଲା ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ସାହୁଙ୍କ ପତ୍ନୀ ତଥା ସମାଜସେବୀ ଜୟନ୍ତୀ ସାହୁ ମଧ୍ୟ ବିଜେଡିରୁ ପ୍ରାର୍ଥୀ ହେବାକୁ ଅନ୍ୟତମ ଦାବିଦାର ରହିଛନ୍ତି। ବହୁ ଦିନ ଧରି ଦଳୀୟ ସଙ୍ଗଠନକୁ ଏଠାରେ ମଜବୁତ କରି ରଖିଥିବାରୁ ତାଙ୍କୁ ବିଜେଡିରୁ ଟିକେଟ୍‌ ମିଳିବା ନେଇ ଆଶା ବାନ୍ଧିଛନ୍ତି। ବିଜେପିରୁ ପ୍ରାର୍ଥୀ ହେବା ନେଇ ଦୁଇ ଜଣଙ୍କ ନାଁ ଚର୍ଚ୍ଚା ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କଂଗ୍ରେସ ଏପର୍ଯ୍ୟନ୍ତ କିଛି ରଣନୀତି ହିଁ କରିନାହିଁ ବୋଲି କୁହାଯାଉଛି।

ପୂର୍ବତନ କର୍ପୋରେଟର ସଞ୍ଜୟ ସେଠୀଙ୍କ କହିବାନୁଯାୟୀ ତାଙ୍କ ସମୟରେ ସାମନ୍ତପୁରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଛି। ଡ୍ରେନ୍‌ ସମସ୍ୟାର ସମାଧାନ ସହ ପ୍ରମୁଖ ଅଞ୍ଚଳକୁ ଆଲୋକୀକରଣ କରାଯାଇଛି। ନ୍ୟୁ ଗଭର୍ଣ୍ଣମେଣ୍ଟ କଲୋନିରେ ଅବ୍ୟବହୃତ ହୋଇ ପଡ଼ିଥିବା ପଡ଼ିଆର ପୁନରୁଦ୍ଧାର କରାଯାଇ ଖେଳପଡ଼ିଆ, ଚିଲ୍‌ଡ୍ରେନ୍‌ ପାର୍କ, ଯୋଗ ସେଣ୍ଟର ହୋଇଛି। ସ୍ବସ୍ତି ପ୍ରିମିୟମ୍‌ ହୋଟେଲଠାରୁ ଆପୋଲୋ ହସ୍ପିଟାଲ ପର୍ଯ୍ୟନ୍ତ ରାସ୍ତାର ଆଲୋକୀରକରଣ କରାଯାଇଛି। ୭ମ ବାଟାଲିୟନ୍‌ ଭିତରେ ଥିବା ପୋଖରୀର ପୁନରୁଦ୍ଧାର କରାଯାଇ ସମସ୍ତଙ୍କ ବ୍ୟବହାର ଯୋଗ୍ୟ କରାଯାଇପାରିଛି। ବିଧାୟକଙ୍କ ସହଯୋଗରେ ଡ୍ରେନ୍‌ ନମ୍ବର-୩ରୁ ଜବରଦଖଲ ହଟାଯିବା ସହ ଟେଣ୍ଡର ପ୍ରକ୍ରିୟା ସରିଛି। କାମ ଆରମ୍ଭ ହେବ। ଆଗାମୀ କାର୍ଯ୍ୟପନ୍ଥା ନେଇ ସେ କହିଛନ୍ତି ଯେ ବିଜେଡିରୁ ଟିକେଟ୍‌ ପାଇ କର୍ପୋରେଟର ହୋଇଛନ୍ତି ଏବଂ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି। ଆଗାମୀ ଦିନରେ ଦଳୀୟ ଟିକେଟ୍‌ ପାଇବି ବୋଲି ଆଶାବାଦୀ। ଓ ଦଳ ନିଷ୍ପତ୍ତିକୁ ସେ ମାନିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe