ବ୍ରାଜିଲ୍‌କୁ ବିଦା କଲା‌ ଉରୁଗୁଏ: ସେମିରେ କଲମ୍ବିଆକୁ ଭେଟିବ

Advertisment
ବ୍ରାଜିଲ୍‌କୁ ବିଦା କଲା‌ ଉରୁଗୁଏ: ସେମିରେ କଲମ୍ବିଆକୁ ଭେଟିବ

ଲସଭେଗାସ/ଗ୍ଲେଣ୍ଡାଲ: ଚଳିତ କୋପା ଆମେରିକା ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ରବିବାର କ୍ବାର୍ଟରଫାଇନାଲ୍‌ରେ ୭ ଥର ବିଜେତା ଉରୁଗୁଏ ୪-୨ ପେନାଲ୍ଟି ସୁଟ୍‌ ଆଉଟ୍‌ରେ ୬ ଥର ବିଜେତା ବ୍ରାଜିଲ୍‌କୁ ପରାସ୍ତ କରିଛି। ଗୁରୁବାର ସେମିଫାଇନାଲ୍‌ରେ ଏହି ଦଳ କଲମ୍ବିଆକୁ ଭେଟିବ। ଗ୍ଲେଣ୍ଡାଲର ଷ୍ଟେଟ୍‌ ଫାର୍ମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ କ୍ବାର୍ଟରଫାଇନାଲ୍‌ରେ କଲମ୍ବିଆ ୫-୦ ଗୋଲ୍‌ରେ ପାନାମାକୁ ହରାଇଥିଲା।
ଲସ୍‌ଭେଗାସର ଆଲିଜାଏଣ୍ଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଶେଷ କ୍ବାର୍ଟରଫାଇନାଲ୍‌ର ନିର୍ଦ୍ଧାରିତ ସମୟ ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା। ତେଣୁ ପେନାଲ୍ଟି ସୁଟ୍‌ ଆଉଟ୍‌‌ରୁ ଫଳାଫଳ ବାହରିଥିଲା। ୭୪ତମ ମିନିଟ୍‌ରେ ଫାଉଲ୍‌ ମାରି ଉରୁଗୁଏର ନାହିତାନ ନାନ୍ଦେଜ ରେଡ୍‌କାର୍ଡ ପାଇ ପଡ଼ିଆ ଛାଡ଼ିଥିଲେ। ଶେଷ ୧୬ ମିନିଟ୍‌ ଉରୁଗୁଏ ୧୦ ଜଣଙ୍କୁ ନେଇ ଖେଳିଥିଲେ ମଧ୍ୟ ବ୍ରାଜିଲ ଏହାର ଫାଇଦା ଉଠାଇ ନପାରି ବିଜୟ ହାତଛଡ଼ା କରିଥିଲା। ପେନାଲ୍ଟି ସୁଟ୍‌ ଆଉଟ୍‌ରେ ଉରୁଗୁଏ ଗୋଲି ଦୁଇଟି ସଟ୍‌ ଅଟକାଇ ଦେବାରୁ ବ୍ରାଜିଲ ହାରିବାକୁ ବାଧ୍ୟ ହୋଇଥିଲା। ୨୦୨୨ ବିଶ୍ବକପ୍‌ ପରେ ବ୍ରାଜିଲର ଏହା ବଡ଼ ପ୍ରତିଯୋଗିତାରେ ଲଗାତାର ଦ୍ବିତୀୟ କ୍ବାର୍ଟରଫାଇନାଲ୍‌ ପରାଜୟ।

ଷ୍ଟେଟ୍‌ ଫାର୍ମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ପାନାମା ବିପକ୍ଷ କ୍ବାର୍ଟରଫାଇନାଲ୍‌କୁ ଏକତରଫା ଭାବେ ଜିତିଥିଲା ଜେମ୍ସ ରଡ୍ରିଗୁଏଜଙ୍କ ନେତୃତ୍ବାଧୀନ କଲମ୍ବିଆ। ରଡ୍ରିଗୁଏଜ ଗୋଟିଏ ଗୋଲ୍‌ କରିଥିଲା ବେଳେ ୨ ଗୋଲ୍‌ରେ ସହୟତା ଦେଇଥିଲେ। ମ୍ୟାଚ୍‌ର ଅଷ୍ଟମ ମିନିଟ୍‌ରେ ଝୋନ କୋର୍ଡୋବାଙ୍କ ଗୋଲ୍‌ରେ କଲମ୍ବିଆ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହାର ୭ ମିନିଟ୍‌ ପରେ ରଡ୍ରିଗୁଏଜ (୧୫ ମିନିଟ୍‌) ଦଳକୁ ୨-୦ରେ ଆଗୁଆ କରିଥିଲେ। ୪୧ ମିନିଟ୍‌ରେ ଲୁଇସ ଡାଏଜଙ୍କ ଗୋଲ୍‌ରେ କଲମ୍ବିଆ ପ୍ରଥମାର୍ଦ୍ଧକୁ ୩-୦ରେ ନିଜ ପକ୍ଷରେ ରଖିଥିଲା। ଦ୍ବିତୀୟାର୍ଦ୍ଧରେ କଲମ୍ବିଆ ଆଉ ଦୁଇଟି ଗୋଲ୍‌ ଦେଇ ୫-୦ ବିଜୟ ପାଇଥିଲା। ଏହି ଗୋଲ୍‌ ଦୁଇଟି ରିଚାର୍ଡ ରିଓସ (୭୦ ମିନିଟ୍‌) ଓ ମିଗୁଏଲ ବୋର୍ଜା (୯୦+୪ ମିନିଟ୍‌) ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe