ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣକୁ ବିରୋଧ: ବିଧାୟକଙ୍କ ହସ୍ତକ୍ଷେପ ପରେ ଶାନ୍ତ ପଡ଼ିଲେ ଗ୍ରାମବାସୀ

ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଧୀନ ପୁରୁଣିଆ ପଞ୍ଚାୟତ ଅଙ୍ଗାରୁଆ ଗ୍ରାମରେ ହେବାକୁଥିବା ପ୍ରସ୍ତାବିତ ଇଣ୍ଡଷ୍ଟ୍ରିଆଲ ପାର୍କ ସମ୍ପର୍କିତ ନିର୍ମାକାର୍ଯ୍ୟକୁ ନେଇ ସୋମବାର ପୂର୍ବାହ୍ନ ସାଢେ ଏଗାରଟାରେ ଉତ୍ତେଜନା ପ୍ରକାଶ ପାଇଥିଲା...

ଅଦ୍ୟତନ ହୋଇଛି
Badasahi MLA Sanatan Bijuli

Badasahi MLA Sanatan Bijuli Photograph: (Sambad )

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଧୀନ ପୁରୁଣିଆ ପଞ୍ଚାୟତ ଅଙ୍ଗାରୁଆ ଗ୍ରାମରେ ହେବାକୁଥିବା ପ୍ରସ୍ତାବିତ ଇଣ୍ଡଷ୍ଟ୍ରିଆଲ ପାର୍କ ସମ୍ପର୍କିତ ନିର୍ମାକାର୍ଯ୍ୟକୁ ନେଇ ସୋମବାର ପୂର୍ବାହ୍ନ ସାଢେ ଏଗାରଟାରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଖବରପାଇ ବଡ଼ସାହି ବିଧାୟକ ସନାତନ ବିଜୁଳି, ବିଡ଼ିଓ ସୁଶାନ୍ତ କୁମାର ସୁତାର, ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳ, ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସଙ୍କ ସମେତ ଆଇଟିଡିଏ ବିଭାଗର ଅଧିକାରୀଗଣ ପହଞ୍ଚିଥିଲେ।

ପୁରୁଣିଆ ପଞ୍ଚାୟତ ଅଧୀନ ଅଙ୍ଗାରୁଆ ଗ୍ରାମରେ ଥିବା ସରକାରୀ ଜମିରେ ଏକ ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ ପାଇଁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବା ଆଇଟିଡିଏ ପକ୍ଷରୁ ସୋମବାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ତେବେ ଅଙ୍ଗାରୁଆ ଗ୍ରାମରେ ହେବାକୁଥିବା ଏହି ପ୍ରକଳ୍ପ ବାବଦରେ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ଏବଂ ଗ୍ରାମବାସୀ ଅଜ୍ଞ ଥିବାବେଳେ ନିର୍ମାଣ କାର୍ଯ୍ୟ ବାବଦରେ କୌଣସି ସୂଚନା ଫଳକ ନଥିବାରୁ ପ୍ରଥମେ ଉତ୍ତେଜନା ପ୍ରକାଶ ପାଇଥିଲା।

ଏହାପରେ ଖବରପାଇ ମାନ୍ୟବର ଜନପ୍ରିୟ ବିଧାୟକ ସନାତନ ବିଜୁଳି, ବିଡ଼ିଓ ସୁଶାନ୍ତ କୁମାର ସୁତାର, ଏସଡିପିଓ ମିନତୀ ବିଶ୍ୱାଳ, ବୈଶିଙ୍ଗା ଥାନା ଅଧିକାରୀ ବାରିଣୀଦାସଙ୍କ ସମେତ ଆଇଟିଡିଏର ଅଧିକାରୀଗଣ ପହଞ୍ଚି ବୁଝାସୁଝା ଆରମ୍ଭ କରିଥିଲେ। ଅଙ୍ଗାରୁଆ ଗ୍ରାମରେ ଆଇଟିଡିଏ ପକ୍ଷରୁ ସରକାରୀ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଏନେଇ ସ୍ଥାନୀୟ ଜନପ୍ରତିନିଧି କିମ୍ବା ଅଞ୍ଚଳବାସୀଙ୍କୁ ଅବଗତ କରାଯାଇନଥିବା ଅଭିଯୋଗ ହୋଇଥିଲା। ଏନେଇ କୌଣସି ଗ୍ରାମସଭା ହୋଇନଥିବା ବେଳେ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକ ମଧ୍ୟ ନିର୍ମାଣ କରାଯାଇଥିଲା। ଏହିଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ବେତନଟୀ ବ୍ଲକ ଉପାଧ୍ୟକ୍ଷ  ତଥା ପୁରୁଣିଆ ପଞ୍ଚାୟତର ସମିତିସଭ୍ୟ ଦେବଦତ୍ତ ତିଆଡ଼ି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଉତ୍ତେଜନା ବଢ଼ିବାରୁ ବୈଶିଙ୍ଗା ପୁଲିସ ପକ୍ଷରୁ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ। ତେବେ ପୂର୍ବରୁ ଗ୍ରାମସଭା କରାଯାଇନଥିବାରୁ ଆଇଟିଡିଏ ଅଧିକାରୀଙ୍କୁ ଶେଷରେ ହଟହଟା ହେବାକୁ ପଡ଼ିଥିଲା। ତେବେ ପରେ ବିଧାୟକଙ୍କ ହସ୍ତକ୍ଷେପରେ ବିବାଦ ସମାଧାନ ପୂର୍ବକ  ଆସନ୍ତା ଗୁରୁବାର ପୂର୍ବାହ୍ନରେ ଅଙ୍ଗାରୁଆ ସ୍କୁଲ ପରିସରରେ ଏକ ବୈଠକର ଆୟୋଜନ ନେଇ ନିଷ୍ପତ୍ତି ହୋଇଥିବା ବେଳେ ଏହି ବୈଠକରେ ସ୍ଥାନୀୟ ଅଞ୍ଚଳବାସୀ, ଆଇଟିଡିଏ ଅଧିକାରୀ, ବ୍ଲକପ୍ରଶାସନ, ପୁଲିସ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

Sanatan Bijuli | Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe