ଭୁବନେଶ୍ବର: ଏବେ ସାରା ରାଜ୍ୟରେ ତଳମୁହାଁ ପାରଦ। ଉପକୂଳରୁ ଆଭ୍ୟନ୍ତରୀଣ ହେଉ କି ଉତ୍ତରରୁ ଦକ୍ଷିଣ ଓଡ଼ିଶା। ସବୁଠି ରାତିର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ଚଳିତବର୍ଷ ପ୍ରଥମ ଥର ପାଇଁ ଗତକାଲି ରାତିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଘୂ.ଉଦୟଗିରିରେ ୮.୪ ଡିଗ୍ରି ରେକର୍ଡ ହୋଇଛି।
ଦାରିଙ୍ଗବାଡ଼ିରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରିକୁ ଖସି ଆସିଛି। ଏହାବ୍ୟତୀତ ଫୁଲବାଣୀରେ ୧୧, ଝାରସୁଗୁଡ଼ାରେ ୧୧.୬, କିରେଇରେ ୧୨.୨, ସେମିଳିଗୁଡ଼ା ଓ ରାଉରକେଲାରେ ୧୨.୫, ଅନୁଗୁଳରେ ୧୨.୬, ଢେଙ୍କାନାଳରେ ୧୩.୫, କେନ୍ଦୁଝରରେ ୧୩.୮, ଭବାନୀପାଟଣା ଓ ସୁନ୍ଦରଗଡ଼ରେ ୧୪, କୋରାପୁଟରେ ୧୪.୨, ୧ଲାଙ୍ଗୀରରେ ୧୪.୫, ସୋନପୁରରେ ୧୪.୯ ଡିଗ୍ରି ରହିଥିଲା। ମୋଟି ୧୬ଟି ସହରର ପାରଦ ୧୫ ଡିଗ୍ରି ତଳକୁ ଖସି ଆସିଛି। ଭୁବନେଶ୍ବର ତାପମାତ୍ରା ପ୍ରଥମ ଥର ପାଇଁ ୧୫ ଡିଗ୍ରି ତଳକୁ ଖସି ୧୪.୮ ଡିଗ୍ରିରେ ପହଞ୍ଚିଛି। ଗତ ୪ ଦିନ ମଧ୍ୟରେ ଭୁବନେଶ୍ବର ତାପମାତ୍ରା ୫ ଡିଗ୍ରି ହ୍ରାସ ପାଇଛି।
ନଭେମ୍ବର ୭ରେ ୧୯.୮ ଡିଗ୍ରି ରହିଥିବା ବେଳେ ୮ ତାରିଖରେ ୧୮.୯ ଡିଗ୍ରି, ୯ ତାରିଖରେ ୧୭.୪ ଡିଗ୍ରି ରହିଥିଲା। ସକାଳ ୫ଟା ୩୦ ସୁଦ୍ଧା ୧୬.୨ ଡିଗ୍ରି ରହିଥିବା ବେଳେ ପରବର୍ତ୍ତୀ ସମୟରେ ଆହୁରି କମିବା ସହ ସର୍ବନିମ୍ନ ୧୪.୮ ଡିଗ୍ରି ରେକର୍ଡ କରାଯାଇଛି। ମଙ୍ଗଳବାର ମଧ୍ୟ ଅନୁରୂପ ସ୍ଥିତି ଲାଗିରହିବ। ଆସନ୍ତା ଦୁଇ ଦିନରେ ସର୍ବନିମ୍ନ ତାପମାତ୍ରା ଆହୁରି ପ୍ରାୟ ୩ ଡିଗ୍ରି ଖସିବା ସହ ଜାଡ଼ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଆକାଶ ନିର୍ମଳ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୧ ଡିଗ୍ରି ଓ ରାତିର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରି ଭିତରେ ରହିବା ନେଇ ଆକଳନ କରାଯାଇଛି।
Follow Us