15 degrees below zero: ଶୀତଲହରି: ୧୫ଡିଗ୍ରି ତଳେ ୯ସହର

ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଶୀତଲହରି ବଢ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ସହରର ପାରଦ ତଳମୁହାଁ ହେଉଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ଆଶାତୀତ ଭାବେ ହ୍ରାସ ପାଇବା ସହ ଥଣ୍ଡା ଅନୁଭୂତ ହେଉଛି।

ଭୁବନେଶ୍ବର: ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଶୀତଲହରି ବଢ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ସହରର ପାରଦ ତଳମୁହାଁ ହେଉଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ଆଶାତୀତ ଭାବେ ହ୍ରାସ ପାଇବା ସହ ଥଣ୍ଡା ଅନୁଭୂତ ହେଉଛି। ଜଳୀୟବାଷ୍ପର ଦୃଷ୍ଟାନ୍ତମୂଳକ ହ୍ରାସ ସହ ରାଜ୍ୟରେ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ଯୋଗୁ ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ଘଟିଛି। ଓଡ଼ିଶାର କାଶ୍ମିରୀ ଦାରିଙ୍ଗବାଡ଼ି ତାପମାତ୍ରା ୧୧ ଡିଗ୍ରିକୁ ଖସି ଆସିଥିବା ବେଳେ ଝାରସୁଗୁଡ଼ା, ଫୁଲବାଣୀ, କୋରାପୁଟ, ସୁନ୍ଦରଗଡ଼, କେନ୍ଦୁଝର ପରି ସହରରେ ପାରଦ ୧୫ ଡିଗ୍ରି ତଳକୁ ଆସିଛି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ପାରଦ ଆହୁରି ଖସିବା ସହ ଥଣ୍ଡା ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଆହୁରି କୁହାଯାଇଛି ଯେ ଆସନ୍ତା ୧୪ ତାରିଖ ବେଳକୁ ଓଡ଼ିଶାର କେତେକ ସ୍ଥାନରେ ପାରଦ ୧୦ ଡିଗ୍ରି ପାଖାପାଖି ଖସିଆସିବ। କଟକ ଓ ଭୁବନେଶ୍ବର ତାପମାତ୍ରା ୧୫ ଡିଗ୍ରି ତଳକୁ ଆସିପାରେ। ଝାରସୁଗୁଡ଼ା ତାପମାତ୍ରା ବହୁ ପରିମାଣରେ ହ୍ରାସ ପାଇ ୧୧.୭ ଡିଗ୍ରିରେ ପହଞ୍ଚିଛି, ଯାହାକି ସ୍ବାଭାବିକଠାରୁ ୬.୨ ଡିଗ୍ରି କମ୍‌। ଅନୁଗୁଳ ଓ ଭଦ୍ରକର ତାପମାତ୍ରା ୧୫ ଡିଗ୍ରି ତଳକୁ ଆସିଛି। ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହୋଇଛି। ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ଉତ୍ତର ଉପକୂଳ ଓଡ଼ିଶାରେ ୨ରୁ ୩  ଡିଗ୍ରି ପର୍ଯ୍ୟନ୍ତ କମିଛି। ଆଗକୁ ଆହୁରି କମିବାର ସମ୍ଭାବନା ରହିଛି।

ଗତକାଲି ରାତିରେ ରାଜ୍ୟର ୧୦ ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲା। ଦାରିଙ୍ଗବାଡ଼ି ବ୍ୟତୀତ ଝାରସୁଗୁଡ଼ାରେ ୧୧.୭, ଫୁଲବାଣୀରେ ୧୨, ରାଉରକେଲାରେ ୧୩.୨, ଭଦ୍ରକରେ ୧୪, ସୁନ୍ଦରଗଡ଼ରେ ୧୪.୨, କୋରାପୁଟ, ଅନୁଗୁଳ ଓ କେନ୍ଦୁଝରରେ ୧୪.୬ ଡିଗ୍ରି ରେକର୍ଡ ହୋଇଛି। ଭବାନୀପାଟଣାରେ ବି ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଥିଲା। ଭୁବନେଶ୍ବରର ତାପମାତ୍ରା ୧୭.୪ ଡିଗ୍ରି ରହିବା ସହ ହାଲୁକା ଶୀତ ପଡ଼ିଥିଲା। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ରାତି ତାପମାତ୍ରା ୧୭ ଡିଗ୍ରି ପାଖାପାଖି ରହିବ। ସକାଳୁ ହାଲୁକା କୁହୁଡ଼ିଆ ପାଗ ରହିବ। ଦିନରେ ଆକାଶ ନିର୍ମଳ ରହିବା ସହ ତାପମାତ୍ରା ୩୧ ଡିଗ୍ରି ମଧ୍ୟରେ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe