ହରାରେ: ଜିମ୍ବାୱେର ହରାରେଠାରେ ଖେଳାଯାଉଥିବା ଚଳିତ ୧୯ବର୍ଷରୁ କମ୍ କ୍ରିକେଟ୍ ବିଶ୍ବକପ୍ର ଫାଇନାଲ୍ରେ ଭାରତକୁ ଆଫଗାନିସ୍ତାନ ୩୧୧ ରନ୍ର ବଡ଼ ବିଜୟ ଲକ୍ଷ୍ୟ ଦେଇଛି। ଭାରତ ଯଦି ଏହାକୁ ହାସଲ କରି ନିଏ, ତାହେଲେ ବିଶ୍ବକପ୍ର କୌଣସି ନକ୍ଆଉଟ୍ ମ୍ୟାଚ୍ର ପଶ୍ଚାତଧାବନରେ ଜୁନିଅର୍ ଟିମ୍ ଇଣ୍ଡିଆର ଏହା ସର୍ବବୃହତ୍ ବିଜୟ ହେବ। ୧୯ବର୍ଷରୁ କମ୍ ବିଶ୍ବକପ୍ର ନଟ୍ଆଉଟ୍ ପର୍ଯ୍ୟାୟରେ ଭାରତର ସର୍ବୋଚ୍ଚ ସଫଳ ପଶ୍ଚାତଧାବନ ରହିଛି ୨୪୫ ରନ୍। ଯାହା ଦଳ ୨୦୨୪ ବିଶ୍ବକପ୍ର ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାସଲ କରିଥିଲା।
ବୁଧବାର ଆଫଗାନିସ୍ତାନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପାଗ ଓ ପରିବେଶକୁ ଦେଖି ପ୍ରଥମ ପାୱାର ପ୍ଲେ’ର ୧୦ ଓଭର ଖେଳରେ ମନ୍ଥର ବ୍ୟାଟିଂ କରି ବିନା କ୍ଷତିରେ ୪୨ ରନ୍ କରିଥିଲା। ପ୍ରଥମ ୱିକେଟ୍ ଅବଶ୍ୟ କେବଳ ୫୩ ରନ୍ରେ ହରାଇଥିଲା। ଏହା ପରେ କିନ୍ତୁ ଭାରତୀୟ ବୋଲରଙ୍କ ଉପରେ ପୂରା ପ୍ରଭାବବିସ୍ତାର କରି ଖେଳିଥିଲେ ଏହି ଦେଶର ବ୍ୟାଟର୍ମାନେ। ଭାରତୀୟ ବୋଲର୍ଙ୍କ ଦିଗହରା ବୋଲିଂ ସହ ଦୁର୍ବଳ କ୍ଷେତ୍ରରକ୍ଷଣ ପାଇଁ ଦୁଇଟି ବଡ଼ ଭାଗୀଦାର ବଳରେ ୩୦୦ରୁ ଅଧିକ ରନ୍ କରି ନେଇଥିଲା ଆଫଗାନିସ୍ତାନ। ଦୁଇ ଓପନର୍ ଉସମାନ ସଦାତ ଓ ଖାଲିଦ ଅହମଦଜାଇ ଭଲ ଆରମ୍ଭକୁ ବଡ଼ ସ୍କୋର୍ରେ ରୂପାନ୍ତର କରି ନପାରିବାର ବିଫଳତା ପରବର୍ତ୍ତୀ ଦୁଇ ବ୍ୟାଟର୍ ଫୈଜଲ ସିନୋଜାଦା ଓ ଉଜୈରୁଲା ନୀଲାଜାଇଙ୍କ ଉପରେ ଯେମିତି ଆଦୌ ପଡ଼ି ନଥିଲା। ଉଭୟ ଶତକୀୟ ପାଳି ଖେଳି ଭାରତୀୟ ବୋଲରଙ୍କୁ ନୟାନ୍ତ କରିଥିଲେ।
ଆହୁରି ପଢନ୍ତୁ: Paddy: ରାଜନଗରରେ ମଣ୍ଡିରେ ଜୁଲମ, ମିଲରେ ହାକିମାତି
ସେହିଭଳି ତ୍ରୁଟିହୀନ ବ୍ୟାଟିଂ କରି ତୃତୀୟ ୱିକେଟ୍ରେ ମହତ୍ତ୍ବପୂର୍ଣ୍ଣ ୧୪୮ ରନ୍ ଯୋଡ଼ିଥିଲେ। ପ୍ରଥମେ ଧିମା ଖେଳୁଥିବା ସିନୋଜାଦା ପରେ ଦ୍ରୁତ ଖେଳି ମାତ୍ର ୮୬ ବଲ୍ରୁ ଶତକ ପୂରଣ କରି ନେଇଥିଲେ। ଦୀପେଶ ଦେବେନ୍ଦ୍ରନ୍ ୪୬ତମ ଓଭରରେ ତାଙ୍କୁ ବୋଲ୍ଡ କରି ଏହି ବିପଜ୍ଜନକ ଯୋଡ଼ିକୁ ଭାଙ୍ଗିଥିଲେ। ସେତେବେଳେକୁ କିନ୍ତୁ ଆଫଗାନିସ୍ତାନ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଥିଲା। ଅନ୍ୟପକ୍ଷରେ ନୀଲାଜାଇ ଶେଷ ଓଭରର ଦ୍ବିତୀୟ ବଲ୍ରେ ଶତକ ଅର୍ଜନ କରି ଅପରାଜିତ ଭାବେ ପ୍ୟାଭିଲିୟନ ଫେରିଥିଲେ। ଅନ୍ୟପକ୍ଷରେ ଭାରତର ଅଧିକାଂଶ ବୋଲର ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ୬ଜଣଙ୍କ ଭିତରୁ କେବଳ ଦୀପେଶ ଦେବେନ୍ଦ୍ରନ୍ ଓ କନିଷ୍କ ଚୌହ୍ବାନ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/04/vscm1ha4_india-u19-getty_625x300_01_february_26-2026-02-04-17-25-39.webp)