ଆତ୍ମସମର୍ପଣ କରିବେ ୧୫୦ରୁ ଊର୍ଦ୍ଧ୍ବ ମାଓବାଦୀ, ନେତୃତ୍ବ ନେଲେ ‌କେନ୍ଦ୍ରୀୟ କମିଟି ସଦସ୍ୟ ରୁପେଶ

ସୀମାନ୍ତ ଛତିଶଗଡ଼ରେ ସବୁଠାରୁ ବଡ଼ ନକ୍ସଲ ଆତ୍ମସମର୍ପଣକୁ ନେଇ ପୁଲିସ ସଜବାଜ ହେଉଛି। ଇନ୍ଦ୍ରାବତୀ ଡିଭିଜନ ଏବଂ ମାଡ଼ ଡିଭିଜନର ୧୫୦ରୁ ଊର୍ଦ୍ଧ୍ବ ନକ୍ସଲ ଆତ୍ମସମର୍ପଣ ପାଇଁ ଇନ୍ଦ୍ରାବତୀ ନଦୀ ଡେଇଁ ଚାଲିଚାଲି ବିଜାପୁର ପହଞ୍ଚୁଛନ୍ତି।

Maoists

About 150 maoists moving for surrender before Chhattisgarh police. Photograph: (Sambad.in)

ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ସୀମାନ୍ତ ଛତିଶଗଡ଼ରେ ସବୁଠାରୁ ବଡ଼ ନକ୍ସଲ ଆତ୍ମସମର୍ପଣକୁ ନେଇ ପୁଲିସ ସଜବାଜ ହେଉଛି। ଇନ୍ଦ୍ରାବତୀ ଡିଭିଜନ ଏବଂ ମାଡ଼ ଡିଭିଜନର ୧୫୦ରୁ ଊର୍ଦ୍ଧ୍ବ ନକ୍ସଲ ଆତ୍ମସମର୍ପଣ ପାଇଁ ଇନ୍ଦ୍ରାବତୀ ନଦୀ ଡେଇଁ ଚାଲିଚାଲି ବିଜାପୁର ପହଞ୍ଚୁଛନ୍ତି। ଏନେଇ ପୁଲିସ ଏବଂ ବିଏସ୍ଏଫ୍‌ ତରଫରୁ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଛି। ଗତକାଲି ମହାରାଷ୍ଟ୍ରର ଗଡ଼ଚରେଲି ଠାରେ ସେଣ୍ଟ୍ରାଲ କମିଟି ମେମ୍ବର ଭୁପତି ଅରଫ ବେଣୁଗୋପାଲଙ୍କ ନେତୃତ୍ବରେ ୬୧ ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ।

ଏହି ଖବର ପଢ଼ନ୍ତୁ: ୫୦ ବନ୍ଧୁକ ସହ ୬୦ ନକ୍ସଲଙ୍କ ଆତ୍ମସମର୍ପଣ

ତେବେ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ହେବାକୁ ଥିବା ଏହି ଆତ୍ମସମର୍ପଣ ଇତିହାସଲ ପ୍ରଥମ ବଡ଼ଧରଣର ଆତ୍ମସମର୍ପଣ ହେବ। ପାଖାପାଖି ୧୦୦ରୁ ଊର୍ଦ୍ଧ୍ବ ବନ୍ଧୁକ ନେଇ ଏମାନେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପହଞ୍ଚିବାକୁ ଇନ୍ଦ୍ରାବତୀ ନଦୀ ତଟରେ ଏକତ୍ରୀତ ହେଉଛନ୍ତି। ତେବେ ସମସ୍ତ ନକ୍ସଲଙ୍କୁ ବସ ଯୋଗେ ଜଗଦଲପୁର ନିଆଯିବ ବୋଲି ଜଣାପଡ଼ିଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିବେ ବୋଲି ଜଣାପଡ଼ିଛି। ଭୈରମଗଡ଼ ଠାରୁ ଇନ୍ଦ୍ରାବତୀ ନଦୀତଟ ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା କରାଯାଉଛି। କୌଣସି ଲୋକଙ୍କୁ ଏହି ରାସ୍ତାରେ ଛଡାଯାଉନଥିବା ଦେଖିବାକୁ ମିଳିଛି। ଏଥିସହ କାଂକେର ଜିଲ୍ଲାରେ ମଧ୍ୟ ବହୁ ନକ୍ସଲ ଆତ୍ମସମର୍ପଣ ପାଇଁ ପହଞ୍ଚିଥିବା ସୂଚନା ମିଳିଛି। ସେମାନଙ୍କୁ ମଧ୍ୟ ଜଗଦଲପୁର ନିଆଯିବ। ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆତ୍ମସମର୍ପଣ କରିବେ ବୋଲି ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ପୁଲିସ ତରଫରୁ କେତେ ଜଣ ଆତ୍ମସମର୍ପଣ କରୁଛନ୍ତି ତାହାର ସଠିକ ସୂଚନା ମିଳିନଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଏହା ୧୭୦ରେ ପହଞ୍ଚିବ।

ଏହି ଖବର ପଢ଼ନ୍ତୁ: ବଳପୂର୍ବକ ଉଠାଇ ନେଇ କଲେ ହତ୍ୟା

ସୂଚନାଯୋଗ୍ୟ ଯେ ମାଡ଼ ଡିଭିଜନର ସକ୍ରିୟ ନେତା ହେଉଛନ୍ତି ରୁପେଶ। ରୂପେଶ ନାମରେ ସରକାର ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ସେଣ୍ଟ୍ରାଲ କମିଟି ମେମ୍ବରମାନେ ଆତ୍ମସମର୍ପଣ କରୁଥିବାରୁ ଏବେ ଅନ୍ୟ କ୍ୟାଡ଼ର ନକ୍ସଲ ଏବଂ ଛୋଟ କ୍ୟାଡ଼ର ନକ୍ସଲମାନେ ମଧ୍ୟ ଆଉ ଜଂଗଲରେ ରହିବାକୁ ପସନ୍ଦ କରୁନାହାନ୍ତି। ତେଣୁ ଆସନ୍ତା କିଛି ଦିନ ମଧ୍ୟରେ ଛତିଶଗଡ଼ରୁ ନକ୍ସଲ ମୂଳପୋଛ ହେବେ ଏଥିରେ ଦ୍ବିମତ ନାହିଁ। ଦିନ ଥିଲା ଦେଶରେ ୧୨୬ଟି ଜିଲ୍ଲାରେ ମାଓବାଦୀ ଉତ୍ପାତ ମଚାଉଥିଲେ। ଆଜି ମାତ୍ର ୧୧ଟି ଜିଲ୍ଲାରେ ହିଁ ନକ୍ସଲ ନିଜର ଉପସ୍ଥିତି ଜାହିର କରୁଛନ୍ତି।     

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe