ଭୁବନେଶ୍ବର: ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ ଦାବିରେ ବ୍ୟାଙ୍କ କର୍ମଚାରୀମାନେ ଆଜି ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି। ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ (ୟୁଏଫ୍‌ବିୟୁ) ଅଧୀନରେ ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଫିସର ସଂଘ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି। ଦେଶବ୍ୟାପୀ ୮ ଲକ୍ଷରୁ ଅଧିକ କର୍ମଚାରୀ ଏହାର ଅଂଶ ହୋଇଥିବା ବେଳେ ଓଡ଼ିଶାରେ ୩୭ ହଜାରରୁ ଅଧିକ କର୍ମଚାରୀ ଏହି ଧର୍ମଘଟରେ ଯୋଗଦେଇଛନ୍ତି। ଧର୍ମଘଟ ପ୍ରଭାବରେ ସାରା ରାଜ୍ୟରେ ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ରହିଛି। ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଥିରେ ସାମିଲ ହୋଇଥିବା ବେଳେ କିଛି ଘରୋଇ ବ୍ୟାଙ୍କ ମଧ୍ୟ ଏହି ଧର୍ମଘଟକୁ ସମର୍ଥନ ଦେଇଛନ୍ତି। ଆନ୍ଦୋଳନ କରୁଥିବା କର୍ମଚାରୀମାନେ ପିକେଟିଂ କରି ବିଭିନ୍ନ ସ୍ଥାନରେ ଖୋଲାଥିବା ଘରୋଇ ବ୍ୟାଙ୍କ, ସ୍ମଲ ଫାଇନାନ୍ସ ବ୍ୟାଙ୍କର ଶାଖାଗୁଡ଼ିକୁ ବନ୍ଦ କରାଉଛନ୍ତି। ଏହାର ପ୍ରଭାବରେ ବ୍ୟାଙ୍କ ସେବା ଗୁରୁତର ପ୍ରଭାବିତ ହୋଇଛି।

Advertisment

ଦାବି ପ୍ରତି ସମର୍ଥନ ଜଣାଇବାକୁ ଗ୍ରାହକମାନଙ୍କୁ ନିବେଦନ

ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଧର୍ମଘଟର ପ୍ରଭାବ ଦେଖିବାକୁ ମିଳିଛି। ବ୍ୟାଙ୍କ ଶାଖାଗୁଡ଼ିକ ସାମ୍ନାରେ କର୍ମଚାରୀମାନେ ବସି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏ ସମ୍ପର୍କରେ ୟୁଏଫ୍‌ବିୟୁ ଓଡ଼ିଶା ଶାଖାର ଆବାହକ ଚିତ୍ତ ରଞ୍ଜନ ପଣ୍ଡା କହିଛନ୍ତି ଯେ ଆଜିର ଧର୍ମଘଟ ଦ୍ବାରା ସାରା ରାଜ୍ୟରେ ୧୦ ହଜାର କୋଟି ଟଙ୍କାର ବ୍ୟାଙ୍କ କାରବାର ପ୍ରଭାବିତ ହୋଇଛି। ଚେକ୍‌ କ୍ଲିୟରିଂ ଓ ନଗଦ କାରବାର ହୋଇପାରିବ ନାହିଁ। ଆଜିର ଧର୍ମଘଟରେ ୟୁଏଫ୍‌ବିୟୁ ଅଧୀନରେ ପାଞ୍ଚଟି ସଂଘ ଭାଗ ନେଇଛନ୍ତି। ଏଆଇବିଓସି ଓ ଏଆଇବିଓଏ ଭଳି ଅଫିସର ସଂଘ ଏବଂ ଏଆଇବିଇଏ, ଏନ୍‌ସିବିଇ ଓ ବେଫି ଭଳି କର୍ମଚାରୀ ସଂଘ ସାମିଲ ହୋଇଛନ୍ତି। ରାଜ୍ୟରେ ୩୫୦୦ରୁ ଅଧିକ ବ୍ୟାଙ୍କ ଶାଖା ରହିଥିବା ବେଳେ ସେଥିରୁ ପ୍ରାୟ ୧୭୦୦ ହେଉଛି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ୟାଙ୍କର ଶାଖା। ସେହି ଶାଖାଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ରହିଛି ବୋଲି ସେ କହିଛନ୍ତି। ଧର୍ମଘଟ ଦ୍ବାରା ଗ୍ରାହକମାନଙ୍କୁ ହେଉଥିବା ଅସୁବିଧା ପାଇଁ ୟୁଏଫ୍‌ବିୟୁ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି। ତେବେ କର୍ମଚାରୀଙ୍କ ନାର୍ଯ୍ୟ ଦାବି ପ୍ରତି ସମର୍ଥନ ଜଣାଇବାକୁ ସେ ଗ୍ରାହକମାନଙ୍କୁ ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: Accident One Critical ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଓଲଟିଲା କଳାକାର ଗାଡ଼ି, ଜଣେ ଗୁରୁତର

ବ୍ୟାଙ୍କ ଧର୍ମଘଟ ଦ୍ବାରା ଯଦିଓ ଶାଖାରେ ହେଉଥିବା କାରବାର ବନ୍ଦ ରହିଛି, କିନ୍ତୁ ଡିଜିଟାଲ ବ୍ୟାଙ୍କିଂ ଉତ୍ସଗୁଡ଼ିକରେ କାରବାର ସ୍ବାଭାବିକ ରହିଛି। ଏଟିଏମ୍‌ରୁ ଟଙ୍କା ଉଠାଣଠାରୁ ଆରମ୍ଭ କରି ଇଣ୍ଟରନେଟ୍‌ ବ୍ୟାଙ୍କିଂ, ମୋବାଇଲ୍‌ ବ୍ୟାଙ୍କିଂ, ଡିଜିଟାଲ ବ୍ୟାଙ୍କିଂ, ଫୋନ୍‌ ବ୍ୟାଙ୍କିଂ ୟୁନାଇଟେଡ୍‌ ‌ପେମେଣ୍ଟ୍‌ ଇଣ୍ଟରଫେସ୍‌ (ୟୁପିଆଇ) କାରବାର, ହ୍ବାଟସ୍‌ଆପ୍‌ ବ୍ୟାଙ୍କିଂ ଆଦିରେ ସ୍ବାଭାବିକ ଭାବେ କାରବାର ହେଉଛି।
ଶ୍ରୀ ପଣ୍ଡା କହିଛନ୍ତି ଯେ ସଂପ୍ରତି ବ୍ୟାଙ୍କ କର୍ମଚାରୀମାନଙ୍କ ଉପରେ ପ୍ରବଳ କାମ ଚାପ ରହୁଛି। ଅନେକ କର୍ମଚାରୀ ରାତି ୮ଟା-୯ଟା ପର୍ଯ୍ୟନ୍ତ କାମ କରୁଛନ୍ତି। ସରକାର ଟାଳଟୁଳ ନୀତି ଗ୍ରହଣ କରୁଛନ୍ତି। ଆର୍ଥିକ କ୍ଷେତ୍ରର ଅନ୍ୟ ସବୁ ସଂସ୍ଥାରେ କର୍ମଚାରୀମାନେ ସପ୍ତାହକୁ ପାଞ୍ଚ ଦିନ କାମ କରୁଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ, ଭରତୀୟ ଜୀବନ ବୀମା ନିଗମ, ସାଧାରଣ ବୀମା କମ୍ପାନି, ମେଡିକାଲ୍‌ ବୀମା କମ୍ପାନି, ନାବାର୍ଡ, ସିଡ୍‌ବି ଆଦିରେ କର୍ମଚାରୀମାନେ ସପ୍ତାହକୁ ପାଞ୍ଚ ଦିନ କାମ କରୁଛନ୍ତି। ଆର୍ଥିକ କ୍ଷେତ୍ରରେ କେବଳ ବ୍ୟାଙ୍କ କର୍ମଚାରୀଙ୍କୁ ସେହି ସୁବିଧା ଦିଆଯାଉନାହିଁ। ୨୦୧୫ଠାରୁ ଦୀର୍ଘ ୧୦ ବର୍ଷ ଧରି ଆମେ ଏହି ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିଆସୁଛୁ। କିନ୍ତୁ ଏପର୍ଯ୍ୟନ୍ତ ଆମ ଦାବିକୁ ସରକାର ଗ୍ରହଣ କରୁନଥିବାରୁ ଆମେ ଏହି ଦିନିଆ ଧର୍ମଘଟ କରିଛୁ। ଏଥର ଯଦି ଦାବି ପୂରଣ ନହେବେ ତେବେ ଆଗକୁ ଆମେ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ କରିବୁ ବୋଲି ସେ କହିଛନ୍ତି।