ଭୁବନେଶ୍ବର: ଓଡ଼ିଶା ମାଟିର ନଦୀ ଗର୍ଭରୁ ପାଣି ଟାଣି ୧୨୨ଟି ଶିଳ୍ପ ନିଜ ପ୍ରକଳ୍ପରେ ବ୍ୟବହାର କରୁଛନ୍ତି। ବିଧାୟକ ପବିତ୍ର ସାଉଁନ୍ତାଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀଶ୍ରୀ ମାଝୀ ଜଣାଇଛନ୍ତି ଯେ ଏହି ସଂସ୍ଥାଗୁଡ଼ିକଠାରୁ ରାଜ୍ୟ ସରକାର ବର୍ଷକୁ ୮୬୦.୯୭୯ କୋଟି ଟଙ୍କାର ଜଳକର ପାଉଛନ୍ତି। ଶିଳ୍ପ ସଂସ୍ଥାଗୁଡ଼ିକ ମହାନଦୀରୁ ୪୯୭.୧୬ କ୍ୟୁସେକ୍, ବୈତରଣୀରୁ ୫୧.୩୫ କ୍ୟୁସେକ୍, ବ୍ରାହ୍ମଣୀରୁ ୫୩୫.୭୭ କ୍ୟୁସେକ୍, ଇନ୍ଦ୍ରାବତୀରୁ ୯ କ୍ୟୁସେକ୍, କୋଲାବରୁ ୧୩.୪୩ କ୍ୟୁସେକ୍, ନାଗାବଳୀରୁ ୧୭.୧୨ କ୍ୟୁସେକ୍ ଓ ଋଷିକୁଲ୍ୟାରୁ ୧.୧୩ କ୍ୟୁସେକ୍ ଜଳ ବ୍ୟବହାର କରୁଛନ୍ତି। 

Advertisment

ମହାନଦୀରୁ ଝାରସୁଗୁଡ଼ାର ସେସା ଷ୍ଟେରଲାଇଟ୍‌ ୭୨ କ୍ୟୁସେକ୍, ବେଦାନ୍ତ ଆଲୁମିନା ୪୦.୯୦ କ୍ୟୁସେକ୍, ଷ୍ଟେର୍‌ଲାଇଟ୍‌ ଇଣ୍ଡଷ୍ଟ୍ରିଜ୍-ଲାଞ୍ଜିଗଡ଼ ୨୫.୧୫ କ୍ୟୁସେକ୍, ଏନ୍‌ଟିପିସି ଦର୍ଲିପାଲି ୫୫ କ୍ୟୁସେକ୍, ଓପିଜିସି ବନହରପାଲି ୫୨.୯୮ କ୍ୟୁସେକ୍, ଆଇଓସିଏଲ୍‌ ରିଫାଇନାରି ୩୮.୭୫ କ୍ୟୁସେକ୍, ଭୂଷଣ ପାୱାର ଆଣ୍ଡ୍‌ ଷ୍ଟିଲ୍‌ ୪୫ କ୍ୟୁସେକ୍ ଓ ଲପଙ୍ଗାର ଆଦିତ୍ୟ ଆଲୁମିନିୟମ ୫୨.୭୩ କ୍ୟୁସେକ୍ ପାଣି ବ୍ୟବହାର କରୁଛନ୍ତି। ସେହିପରି ବ୍ରାହ୍ମଣୀ ନଦୀରୁ ସେଲ୍‌ ରାଉରକେଲା ୧୧୨.୮୧ କ୍ୟୁସେକ୍, ଏନ୍‌ଟିପିସି କଣିହାଁ ୧୦୫ କ୍ୟୁସେକ୍, ଭୂଷଣ ଷ୍ଟିଲ୍‌ ଆଣ୍ଡ୍‌ ଷ୍ଟ୍ରିପ୍‌ସ ୪୬ କ୍ୟୁସେକ୍, ଜିଏମ୍‌ଆର୍‌ କମଳାଙ୍ଗ ୨୦ କ୍ୟୁସେକ୍, ଜିନ୍ଦଲ ଇଣ୍ଡିଆ ଥର୍ମାଲ୍‌ ପାୱାର ୨୫ କ୍ୟୁସେକ୍, ଜିନ୍ଦଲ ଷ୍ଟେନ୍‌ଲେସ୍‌ ୧୪.୪୦ କ୍ୟୁସେକ୍, ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍‌ ପାୱାର ୫୦ କ୍ୟୁସେକ୍, ନାଲ୍‌କୋ ୪୭.୭୦ କ୍ୟୁସେକ୍ ଓ ଟାଟା ଷ୍ଟିଲ୍ କଳିଙ୍ଗନଗର ୫୦ କ୍ୟୁସେକ୍ ପାଣି ବ୍ୟବହାର କରୁଛନ୍ତି।

ବ୍ରାହ୍ମଣୀରୁ ୫୩୫, ମହାନଦୀରୁ ୪୯୭ କ୍ୟୁସେକ୍
୫୭ଟି ଶିଳ୍ପ ଉପରେ ୫୮୯୦ କୋଟି ଜଳକର ବାକି

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦେଇଥିବା ତଥ୍ୟ ଅନୁଯାୟୀ ୫୭ଟି ଶିଳ୍ପ ସଂସ୍ଥା ଉପରେ ୫୮୯୦.୬୫ କୋଟି ଟଙ୍କାର ଜଳକର ବାକି ପଡ଼ିଛି। ଜୟପୁରର ବିଲ୍ଟ ଉପରେ ୧୫୦୮ କୋଟି ଟଙ୍କା, ସୁନ୍ଦରଗଡ଼ର ଶ୍ରୀ ମହାବୀର ଫେରୋ ଉପରେ ୨୦୫.୭୩ କୋଟି ଟଙ୍କା, ରାଜଗାଙ୍ଗପୁରର ଡାଲମିଆ ସିମେଣ୍ଟ-ଭାରତ ଲିମିଟେଡ୍‌ ଉପରେ ୧୯୩.୨୬ କୋଟି ଟଙ୍କା, ଆଧୁନିକ ମେଟାଲିକ୍ସ ଉପରେ ୧୮୬.୬୫ କୋଟି ଟଙ୍କା, ଟାଟା ଷ୍ଟିଲ୍‌ ବିଏସ୍‌ଏଲ୍‌ ଲିମିଟେଡ୍‌ ଉପରେ ୧୮୫.୦୫ କୋଟି ଟଙ୍କା, ବିକେ ଷ୍ଟିଲ୍ ଉପରେ ୧୬୮.୬୬ କୋଟି ଟଙ୍କା, ଘଣ୍ଟିଖାଲର ଆରତୀ ଷ୍ଟିଲ୍‌ ଉପରେ ୩୦୩.୧୩ କୋଟି ଟଙ୍କା, ପାରାଦୀପ ଫସଫେଟ୍‌ସ ଉପରେ ୪୫.୫୧ କୋଟି ଟଙ୍କା, ପାରାଦୀପରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ ଉପରେ ୧୦୮.୯୮ କୋଟି ଟଙ୍କା, ରାୟଗଡ଼ାର ଜେ କେ ପେପର ଉପରେ ୪୮୯.୦୮ କୋଟି ଟଙ୍କା, ଓପିଜିସି ଉପରେ ୧୧୮.୯୩ କୋଟି ଟଙ୍କା, ଭୂଷଣ ପାୱାର ଆଣ୍ଡ୍‌ ଷ୍ଟିଲ୍‌ ଉପରେ ୨୪୪.୧୧ କୋଟି ଟଙ୍କା, ବିରାଜ ଷ୍ଟିଲ୍‌ ଆଣ୍ଡ୍‌ ଏନର୍ଜି ଉପରେ ୧୮.୮୯ କୋଟି ଟଙ୍କା ଓ ଏନ୍‌ଏଲ୍‌ସି ଇଣ୍ଡିଆ ଉପରେ ୧୮.୮୯ କୋଟି ଟଙ୍କାର ଜଳକର ବାକି ପଡ଼ିଛି। ଶିଳ୍ପ ସଂସ୍ଥାଗୁଡ଼ିକ ବର୍ତ୍ତମାନ ବ୍ୟବହାର କରୁଥିବା ପାଣି ବାବଦକୁ ଜଳକର ଓ ବକେୟା ଜଳକର ଆଦାୟ ନିମନ୍ତେ ନିୟୋଜିତ ନିର୍ବାହୀ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ପ୍ରତି ମାସର ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।