ଭୁବନେଶ୍ବର: ୨୦୨୫ ମସିହାରେ ଓଡ଼ିଶାରେ ମୋଟ ୮ ଲକ୍ଷ ୯୧ ହଜାର ୭୫୨ଟି ଗାଡ଼ି ବିକ୍ରି ହୋଇଛି। ୨୦୨୪ ତୁଳନାରେ ଏହା ୧୦.୨୪ ପ୍ରତିଶତ ଅଧିକ। ୨୦୨୫ ମସିହାରେ ରାଜ୍ୟରେ ବିକ୍ରି ହୋଇଥିବା ସମୁଦାୟ ଗାଡ଼ି ମଧ୍ୟରୁ ୨ ଚକିଆ ଯାନ ସଂଖ୍ୟା ହେଉଛି ୭ ଲକ୍ଷ ୧୪ ହଜାର ୭୨୦। ଏହା ପଛକୁ ରାଜ୍ୟରେ ଯାତ୍ରୀବାହୀ ଯାନ ବିକ୍ରି ସଂଖ୍ୟା ୮୯ ହଜାର ୭୨୭ ରହିଥିବାବେଳେ ବାଣିଜ୍ୟିକ ଯାନ ବିକ୍ରି ସଂଖ୍ୟା ୩୨,୮୦୬, ତିନି ଚକିଆ ଗାଡ଼ି ବିକ୍ରି ସଂଖ୍ୟା ୨୫ ହଜାର ୬୧୧, ଟ୍ରାକ୍ଟର ବିକ୍ରି ସଂଖ୍ୟା ୨୪ ହଜାର ୧୯୫ ଏବଂ ନିର୍ମାଣ ଉପକରଣ ବିକ୍ରି ସଂଖ୍ୟା ୪୬୯୩ ରହିଛି। ୨୦୨୪ରେ ଓଡ଼ିଶାରେ ମୋଟ ୮ ଲକ୍ଷ ୮ ହଜାର ୯୧୧ ଗାଡ଼ି ବିକ୍ରି ହୋଇଥିଲା ବୋଲି ଫାଡା (ଅଟୋମୋବାଇଲ ଡିଲର ମହାସଂଘ) ପକ୍ଷରୁ ମଙ୍ଗଳବାର ପ୍ରକାଶିତ ରିପୋର୍ଟରୁ ଜଣାଯାଇଛି। 

Advertisment

IMD: ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକାଙ୍କ ସ୍କୁଲ ଛାତ୍ରଛାତ୍ରୀ ସହ ଆଭାସୀ ଆଲୋଚନା

ଉପରୋକ୍ତ ଗାଡ଼ି ବର୍ଗ ମଧ୍ୟରୁ ୨୦୨୫ରେ ସର୍ବାଧିକ ୨୦.୫୭ ପ୍ରତିଶତର ବିକ୍ରି ବୃଦ୍ଧି ଟ୍ରାକ୍ଟର କ୍ଷେତ୍ରରେ ଦେଖିବାକୁ ମିଳିଛି। ଏହା ପଛକୁ ଯାତ୍ରୀବାହୀ ଯାନ ବିକ୍ରିରେ ୧୧.୬୭ ପ୍ରତିଶତ, ୨ ଚକିଆ ଯାନ ବିକ୍ରିରେ ୧୧.୦୫ ପ୍ରତିଶତ, ୩ ଚକିଆ ଯାନ ବିକ୍ରିରେ ୯.୭୬ ପ୍ରତିଶତ ବୃଦ୍ଧି ହୋଇଛି। ଅନ୍ୟପକ୍ଷରେ ୨୦୨୫ରେ ବାଣିଜ୍ୟିକ ଯାନ ଏବଂ ନିର୍ମାଣ ଉପକରଣ ବିକ୍ରି ହ୍ରାସ ପାଇଛି। ବାଣିଜ୍ୟିକ ଯାନ ବିକ୍ରି ୧୦.୪୩ ପ୍ରତିଶତ ଏବଂ ନିର୍ମାଣ ଉପକରଣ ବିକ୍ରି ୪.୩୬ ପ୍ରତିଶତ କମିଛି। ଗତ ଡିସେମ୍ବର ମାସରେ ଓଡ଼ିଶାରେ ଗାଡ଼ି ବିକ୍ରି ଉତ୍ସାହଜନକ ରହିଛି। ଡିସେମ୍ବରରେ ରାଜ୍ୟରେ ମୋଟ ୭୦,୪୦୩ଟି ଗାଡ଼ି ବିକ୍ରି ହୋଇଛି। ଯାହାକି ୨୦୨୪ ଡିସେମ୍ବର ତୁଳନାରେ ୩୮.୬୫ ପ୍ରତିଶତ ଅଧିକ। ଡିସେମ୍ବରରେ ଟ୍ରାକ୍ଟର ବିକ୍ରିରେ ୫୧.୦୩ ପ୍ରତିଶତ ବୃଦ୍ଧି ଘଟି ୨୨୦୮ରେ ରହିଛି। ସେହିଭଳି ୨ ଚକିଆ ଯାନ ବିକ୍ରି ୪୧.୫୭ ପ୍ରତିଶତ ବୃଦ୍ଧି ଘଟି ୫୪,୧୯୫ରେ ପହଞ୍ଚିଥିବାବେଳେ ଯାତ୍ରୀବାହୀ ଯାନ ବିକ୍ରି ୩୬.୭୩ ପ୍ରତିଶତ ବୃଦ୍ଧି ଘଟି ୮୪୫୧ରେ ପହଞ୍ଚିଛି। ବାଣିଜ୍ୟିକ ଯାନରେ ୧୭.୫୩ ପ୍ରତିଶତ, ନିର୍ମାଣ ଉପକରଣରେ ୧୫.୭୯ ପ୍ରତିଶତ ଏବଂ ତିନି ଚକିଆ ଯାନ ବିକ୍ରିରେ ୯.୯୩ ପ୍ରତିଶତ ବୃଦ୍ଧି ଘଟି ଏଗୁଡ଼ିକର ସଂଖ୍ୟା ଯଥାକ୍ରମେ ୨୯୮୪, ୪୪୦ ଏବଂ ୨୧୨୫ ରହିଛି।  

Donald Trump : ମୋଦୀଙ୍କ ସହ ମୋର ଭଲ ସମ୍ପର୍କ, କିନ୍ତୁ ଏବେ ସେ ମୋ ଉପରେ ଖୁସି ନାହାନ୍ତି : ଟ୍ରମ୍ପ

ଏହି ପରିପ୍ରେକ୍ଷୀରେ ଫାଡାର ଓଡ଼ିଶା ଅଧ୍ୟକ୍ଷ ଅଖିଳ ପୋଦ୍ଦାର କୁହନ୍ତି, ୨୦୨୫ ଅଟୋମୋବାଇଲ ଶିଳ୍ପ ପାଇଁ ଭଲ ଥିଲା। ସରକାର ଜିଏସ୍‌ଟି ହ୍ରାସ କରିବା ସହିତ ଭଲ ଫସଲ ହେବା ଏବଂ ପାର୍ବଣ ପାଇଁ ବର୍ଷର ଶେଷ ତିନିମାସରେ ବିକ୍ରି ଉତ୍ସାହଜନକ ରହିଥିଲା। ୨୦୨୬ରେ ଜିଏସ୍‌ଟି ଲାଭ ସହିତ ଅଷ୍ଟମ ବେତନ କମିସନ ଲାଗୁ ହେବା ଫଳରେ ଗାଡ଼ି ବିକ୍ରି ଭଲ ରହିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ଜାତୀୟସ୍ତରରେ ୨୦୨୫ରେ ମୋଟ ୨,୮୧,୬୧,୨୨୮ଟି ଗାଡ଼ି ବିକ୍ରି ହୋଇଛି।