ନୂଆଦିଲ୍ଲୀ: ୨୦୨୫ ଡିସେମ୍ବର ୩୧ରେ ହୋଇଥିବା ଏକ ଧର୍ମଘଟ ଦେଶରେ ଏକ ନୂଆ ବିତର୍କକୁ ଜନ୍ମ ଦେଇଛି। ସେହି ବିତର୍କରେ ରାଜନେତାଙ୍କଠାରୁ ଆରମ୍ଭ କରି କର୍ପୋରେଟ୍‌ ଲିଡର୍‌ ଓ କମ୍ପାନି ଗଢ଼ିଥିବା ପ୍ରତିଷ୍ଠାତାମାନେ ଯୋଡ଼ିହୋଇ ନିଜ ନିଜ ପକ୍ଷ ରଖୁଛନ୍ତି। ଏହି ବିତର୍କର ସିଧାସଳଖ ସମ୍ପର୍କ ସେହି ୭୭ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ସହିତ ରହିଛି ଯେଉଁମାନେ ଖରା, ବର୍ଷା, ଶୀତକୁ ଖାତିର ନ କରି ବର୍ଷତମାମ ଲୋକଙ୍କ ପାଖରେ ଭୋଜନଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ଅନେକ କିଛି ଜିନିଷ ପହଞ୍ଚାଉଛନ୍ତି। ସେମାନେ ହେଉଛନ୍ତି ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମଗୁଡ଼ିକ ପାଇଁ କାମ କରୁଥିବା ଡେଲିଭରି ଏଜେଣ୍ଟ୍‌। ସେମାନଙ୍କ ବୃହତ୍‌ ପରିସରକୁ ଗିଗ୍‌ ଅର୍ଥନୀତିର ନାମ ଦିଆଯାଇଛି ଓ ସେମାନଙ୍କୁ ଗିଗ୍‌ ଶ୍ରମିକ କୁହାଯାଉଛି। ସ୍ବିଗି, ଜୋମାଟୋ, ବ୍ଲିଙ୍କଇଟ୍‌ ଭଳି ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ପାଇଁ ସେମାନେ କାମ କରୁଛନ୍ତି। 

Advertisment

Neglected: ଜରାଜୀର୍ଣ୍ଣ ଅବସ୍ଥାରେ କନ୍ଧମାଳ ଜିଲ୍ଲାର ଏକମାତ୍ର ଏବଂ ପ୍ରଥମ ଶୀତଳ ଭଣ୍ଡାର

ନିତି ଆୟୋଗର ପୂର୍ବତନ ଅଧ୍ୟକ୍ଷ ଅମିତାଭ କାନ୍ତଙ୍କ ସୂଚନା ଅନୁସାରେ ଦେଶରେ ବର୍ତ୍ତମାନ ୭୭ ଲକ୍ଷରୁ ଅଧିକ ଲୋକ ଗିଗ୍‌ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ୨୦୩୦ ସୁଦ୍ଧା ସେମାନଙ୍କ ସଂଖ୍ୟା ୨ କୋଟି ୩୫ ଲକ୍ଷରୁ ଅଧିକ ହେବ। ଯେତେ‌ବେଳେ ସାରା ଦେଶରେ ନିଯୁକ୍ତି ସୃଷ୍ଟି ଏକ ବଡ଼ ସମସ୍ୟା ହୋଇରହିଛି, ସେଠାରେ ଏତେ ସଂଖ୍ୟାରେ ଲୋକଙ୍କୁ କର୍ମନିଯୁକ୍ତି ମିଳିବା ଛୋଟ କଥା ନୁ‌ହେଁ। କିଛି ବର୍ଷ ପୂର୍ବେ ଅଳ୍ପ ପରିମାଣରେ ଥିବା ଏଭଳି କର୍ମଚାରୀଙ୍କ ସଂଖ୍ୟା ଏତେ ବଢ଼ିଯାଇଛି ଯେ ସେମାନଙ୍କ ସାମାଜିକ ସୁରକ୍ଷା ଜାତୀୟ ପ୍ରସଙ୍ଗରେ ପରିଣତ ହେବା ଅସ୍ବାଭାବିକ ନୁହେଁ। ଭଲ ବେତନ, ସୁରକ୍ଷା ଓ ସାମାଜିକ ନିରାପତ୍ତାର ଅଧିକାର ମାଗି ଯତେବେଳେ ସେମାନେ ନିଜ ସ୍ବର ଉଠାଇଲେ ତାହା ଦେଶରେ ପୁଞ୍ଜିବାଦ ଓ ଶ୍ରମିକ ଅଧିକାରର ସେହି ମୂଳ ପ୍ରସଙ୍ଗକୁ ପୁଣି ଥରେ ଉଜୀବିତ କରିଛି। 

ଏହି ପ୍ରସଙ୍ଗରେ ଆମ ଆଦମୀ ପାର୍ଟିର ନେତା ରାଘବ ଚଢ଼ା ଓ ମଣିପାଲ ଗ୍ଲୋବାଲ ଏଜୁକେସନର ମୁଖ୍ୟ ମୋହନଦାସ ପାଇ ମୁହାଁମୁହିଁ ହୋଇଛନ୍ତି। ଗିଗ୍‌ କର୍ମଚାରୀଙ୍କ ଧର୍ମଘଟକୁ ଚଢ଼ା ଯୁକ୍ତିଯୁକ୍ତ ବୋଲି କହିବା ସହ ତାହାକୁ ସମର୍ଥନ କରିଥିଲେ। କିନ୍ତୁ ତାଙ୍କ କଥାରେ ପାଇ ସହମତ ହୋଇନାହାନ୍ତି। ପାଇ କହିଛନ୍ତି ଯେ ଗିଗ୍‌ କାମ କୌଣସି ନିୟମିତ ସ୍ଥାୟୀ ଚାକିରି ନୁହେଁ। ଗିଗ୍‌ କର୍ମଚାରୀମାନେ ମାସିକ ସର୍ବନିମ୍ନ ୪୦ ହଜାର ଟଙ୍କାର ବେତନ ଦାବି କରିବା ଉପରେ ପାଇ ପ୍ରଶ୍ନ ଉଠାଇଛନ୍ତି। ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ଥିବା ସରକାରୀ ଯୋଜନାରେ ସେମାନଙ୍କୁ ସାମିଲ କରିବାକୁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସେ ଆହ୍ବାନ ଦେଇଛନ୍ତି।

Health: ପୁଣି ଦେଢ଼ମାସ ଧରି ଅଚଳ ଓମ୍ବାଡ୍ସି ଆମ୍ବୁଲାନ୍ସ: ୧୧୦ ଦିନରେ ୯୦ ଦିନ ବନ୍ଦ୍ ହେଲାଣି

ଗିଗ୍‌ ଶ୍ରମିକମାନଙ୍କୁ ଶୋଷଣ କରାଯାଉଥିବା ନେଇ ହେଉଥିବା ଅଭିଯୋଗ ଉପରେ ମୁହଁ ଖୋଲିଛନ୍ତି ଜୋମାଟୋ ଓ ବ୍ଲିଙ୍କଇଟ୍‌ର ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ। ସେ ଲଗାତାର ଭାବେ ସୋସିଆଲ ମିଡିଆରେ ନିଜ ପକ୍ଷ ରଖୁଛନ୍ତି। ସେ କହିଛନ୍ତି ଯେ ଗିଗ୍‌ ଶ୍ରମିକମାନେ ଘଣ୍ଟାକୁ ହାରାହାରି ୧୦୩ ଟଙ୍କା ରୋଜଗାର କରୁଛନ୍ତି। ନିଜ ପକ୍ଷ ରଖିବା ବେଳେ ସେ ଏକ ବଡ଼ କଥା କହିଦେଇଛନ୍ତି। ତାହା ହେଉଛି ‘ଶ୍ରେଣୀ ବିଭାଜନ’। ଧନୀ ଲୋକମାନଙ୍କୁ ଗରିବଙ୍କ କଷ୍ଟ ଦେଖାଯାଏନି। ଯାହା ପୂର୍ବରୁ କାହାକୁ ଦେଖାଯାଉନଥିଲା ଏବେ ସମସ୍ତଙ୍କୁ ତାହା ଜଳଜଳ ଦିଶୁଛି। ଧନୀ ଓ ଗରିବ ବୈଷମ୍ୟ ଉପରୁ ସେ ପରଦା ହଟାଇ ଦେଇଛନ୍ତି। ପ୍ରତିଦିନ ଏହି ବିତର୍କରେ ନୂଆ ନୂଆ ବୁଦ୍ଧିଜୀବୀ ସାମିଲ ହେଉଛନ୍ତି। କିଛି ଗିଗ୍‌ ଶ୍ରମିକମାନଙ୍କ ଅଧିକାର ସପକ୍ଷ ଓ ବିରୋଧରେ ଏବଂ ଆଉ କିଛି କମ୍ପାନିମାନଙ୍କ ସପକ୍ଷ ଓ ବିରୋଧରେ ମତ ଦେଉଛନ୍ତି। ଗାଡ଼ି ପଛରେ ଲୋକଙ୍କ ଜିନିଷ ବୋହି ଯେଉଁମାନେ ଦିନରାତି ଦୌଡ଼ୁଛନ୍ତି ସେମାନେ ପ୍ରକୃତରେ କ’ଣ ପାଇବାକୁ ହକଦାର୍‌? ଏହି ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ମିଳିନାହିଁ। ବିତର୍କ ଜାରି ରହିଛି। ସରକାର ନିରବଦ୍ରଷ୍ଟା ସାଜିଛନ୍ତି।