ନୂଆଦିଲ୍ଲୀ: ଦେଶର ପ୍ରମୁଖ ଏୟାରଲାଇନ୍ ଇଣ୍ଡିଗୋରେ ଗତ କିଛି ଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହୋଇପାରୁନାହିଁ। ଏହାର ପ୍ରଭାବରେ ଗୁରୁବାର କମ୍ପାନିର ୩୦୦ ପାଖାପାଖି ଉଡ଼ାଣ ବାତିଲ ହୋଇଛି। ଗତକାଲି ଏହା ୨୦୦ ଉଡ଼ାଣ ବାତିଲ କରିଥିଲା। ଏଭଳି ବଡ଼ ଏୟାରଲାଇନ୍ସରେ ଅଧିକ ଦିନ ଧରି ଲାଗିରହିଥିବା ବିଭ୍ରାଟ ବିମାନ ଯାତ୍ରୀମାନଙ୍କ ଲାଗି ଚିନ୍ତାର ବିଷୟ ହୋଇଛି। ଇଣ୍ଡିଗୋର କେବଳ ଡୋମେଷ୍ଟିକ୍ ନୁହେଁ, ଅନ୍ତର୍ଜାତୀୟ ଉଡ଼ାଣ ମଧ୍ୟ ପ୍ରଭାବିତ ହୋଇଛି। ତେବେ ଅନ୍ୟ ଏୟାରଲାଇନ୍ ଯଥା ଏୟାର ଇଣ୍ଡିଆ, ଆକାଶ ଏୟାର ଓ ସ୍ପାଇସ୍ଜେଟ୍ର ଉଡ଼ାଣରେ କୌଣସି ବିଭ୍ରାଟ ଘଟିନାହିଁ।
TRAI : ଭାରତ ବିଶ୍ବରେ ସବୁଠାରୁ ଦ୍ରୁତ ଗତିରେ ୫ଜି ସେବା ଲାଗୁ କରିଛି : ଟ୍ରାଇ ଅଧ୍ୟକ୍ଷ
ଗୁରୁବାର ଇଣ୍ଡିଗୋ ପକ୍ଷରୁ ଦିଲ୍ଲୀରେ ୯୫, ମୁମ୍ବାଇରେ ୮୫, ହାଇଦ୍ରାବାଦରେ ୭୦ ଓ ବାଙ୍ଗାଲୋରରେ ୫୦ଟି ଉଡ଼ାଣ ବାତିଲ କରିଛି। ଦେଶର ଅନ୍ୟ ବିମାନବନ୍ଦରଗୁଡ଼ିକରେ ମଧ୍ୟ ଅନେକ ଗୁରୁତ୍ବପୂର୍ଣ୍ଣ ଉଡ଼ାଣ ବାତିଲ ହେବା ଦ୍ବାରା ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି। ଯାତ୍ରୀମାନଙ୍କ ଲାଗି ସବୁଠୁ ବଡ଼ ଦୁଃଖ ହେଉଛି ଘଣ୍ଟା ଘଣ୍ଟା ଧରି ବିମାନବନ୍ଦରରେ ଅପେକ୍ଷା କରିବା। ଅନେକ ବିମାନର ଉଡ଼ାଣ ବିଳମ୍ବ ହେଉଥିବାରୁ ଯାତ୍ରୀମାନେ ବିମାନବନ୍ଦର ଛାଡ଼ିପାରୁନାହାନ୍ତି। ବଡ଼ ବଡ଼ ବିମାନବନ୍ଦରଗୁଡ଼ିକରେ ଯାତ୍ରୀମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଗତକାଲି ଦିଲ୍ଲୀରେ ଇଣ୍ଡିଗୋର ୩୮, ବେଙ୍ଗାଲୁରୁରେ ୪୨, ମୁମ୍ବାଇରେ ୩୩ ଓ ହାଇଦ୍ରାବାଦରେ ୧୯ଟି ବିମାନର ଉଡ଼ାଣ ବାତିଲ ହୋଇଥିଲା। ଇଣ୍ଡିଗୋରେ କ୍ରୁ ସଦସ୍ୟଙ୍କ ଘୋର ଅଭାବ ରହିଛି ଯାହା ଏହି ବିଭ୍ରାଟର ଅନ୍ୟତମ ପ୍ରମୁଖ କାରଣ କୁହାଯାଉଛି। ଗତକାଲି କମ୍ପାନି ପ୍ରତିଶ୍ରୁତି ଦେଇଥିଲା ଯେ ୪୮ ଘଣ୍ଟା ଭିତରେ ସବୁ କିଛି ସ୍ବାଭାବିକ ହେବ। କିନ୍ତୁ ଆଜିର ସ୍ଥିତିକୁ ଦେଖିଲେ ସେଥିରେ କିଛି ଉନ୍ନତି ଘଟିଥିବା ମନେ ହେଉନାହିଁ।
Nabarangpur: ଶିଶୁ ଗୁରୁତର ମାମଲା: ମାମଲାର ଯାଞ୍ଚ କଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ
ବିମାନ ଉଡ଼ାଣ ବିଭ୍ରାଟର ଅନ୍ୟତମ କାରଣ ହେଉଛି ଗତ ନଭେମ୍ବର ୧ରୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ନୂଆ ନିୟମ। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାତି ୧୨ଟାରୁ ସକାଳ ୬ଟା ମଧ୍ୟରେ ଜଣେ ପାଇଲଟ୍ କେତେ ଥର ବିମାନ ଅବତରଣ କରିପାରିବେ ତାହାର ସୀମା ନିର୍ଧାରଣ କରାଯାଇଛି। ଏଥି ସହିତ ପାଇଲଟ୍ଙ୍କ ପାଇଁ ସାପ୍ତାହିକ ବିଶ୍ରାମ ସମୟ ମଧ୍ୟ ବୃଦ୍ଧି କରାଯାଇଛି। କିଛି ଦିନ ପାଇଁ ଏହି ନିୟମ କୋହଳ କରିବାକୁ କମ୍ପାନି ଡିଜିସିଏକୁ ଅନୁରୋଧ କରିଛି।
ଏହି ବିଭ୍ରାଟ ସମ୍ପର୍କରେ ଇଣ୍ଡିଗୋ ସିଇଓ ପିଟର ଏଲବର୍ସ ଏକ ମେମୋରେ କହିଛନ୍ତି ଯେ ସାମାନ୍ୟ ବୈଷୟିକ ତ୍ରୁଟି, ଶୀତଋତୁ ସମୟର ଯାତ୍ରୀ ଭିଡ଼, ଖରାପ ପାଗ ଓ କ୍ରୁ ରୋଷ୍ଟିଂ ନିୟମରେ ପରିବର୍ତ୍ତନ ପାଇଁ କମ୍ପାନିର ପରିଚାଳନା ପ୍ରଭାବିତ ହୋଇଛି। ତେବେ ଇତି ମଧ୍ୟରେ ଡିଜିସିଏ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ବିଭ୍ରାଟର କାରଣ ଜଣାଇବାକୁ କମ୍ପାନିକୁ ଡିଜିସିଏ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/29/Zni4VVoN26OTX8QT7hCZ.jpg)