ନୂଆଦିଲ୍ଲୀ: କିଛି ଦିନ ତଳେ ନିଜର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିବା ଦେଶର ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସମାଲୋଚକମାନଙ୍କୁ କଡ଼ା ଜବାବ ଦେଇଛନ୍ତି। ବିଶେଷ କରି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦମ୍ବରମ ବଜେଟ୍କୁ ନେଇ ଯେଉଁ ସବୁ ଆପତ୍ତି ଉଠାଇଥିଲେ, ତାହାର ଉତ୍ତର ଦେଇଛନ୍ତି ନିର୍ମଳା। ଆଜି ରାଜ୍ୟସଭାରେ ବଜେଟ୍ ସମ୍ପର୍କିତ ଆଲୋଚନା ବେଳେ ସେ ତାଙ୍କର ୧୦୨ ମିନିଟ୍ର ଲମ୍ବା ଅଭିଭାଷଣର ଅଧା ସମୟ ଅର୍ଥାତ ପାଖାପାଖି ୪୫ ମିନିଟ୍ କେବଳ ଚିଦମ୍ବରମ୍ ଉଠାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଥିଲେ। ନିର୍ମଳାଙ୍କ ବଜେଟ୍ ବାସ୍ତବବାଦୀ ନୁହେଁ। ଢାଞ୍ଚାଗତ ସଂସ୍କାରକୁ ନେଇ କୌଣସି ବଳିଷ୍ଠ ପଦକ୍ଷେପ ବଜେଟ୍ରେ ଘୋଷଣା କରାଯାଇନାହିଁ। ଟିକସ ଲକ୍ଷ୍ୟ ହାସଲଯୋଗ୍ୟ ନୁହେଁ। ବଜେଟ୍ ଅଭିଭାଷଣରେ ବିଭିନ୍ନ ସ୍କିମ୍ ପାଇଁ ଅର୍ଥ ଆବଣ୍ଟନ ସ୍ଥାନ କାହିଁକି ଦିଆଗଲା ନାହିଁ? ନିର୍ମଳାଙ୍କ ବଜେଟ୍କୁ ନେଇ ଏଭଳି ଅନେକ ପ୍ରଶ୍ନ ସମାଲୋଚକମାନେ ଉଠାଇଥିଲେ।
ଆଜି ସେସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ନିର୍ମଳା। କହିଛନ୍ତି, ବଜେଟ୍ରେ କରାଯାଇଥିବା ସବୁ ଘୋଷଣା ବାସ୍ତବବାଦୀ। ବିନା କୌଣସି ଯୋଜନାରେ କେବେ ବଜେଟ୍ ପ୍ରସ୍ତୁତ ହୁଏ ନାହିଁ। ବଜେଟ୍ରେ କୃଷି କ୍ଷେତ୍ର ଓ ପୁଞ୍ଜିନିବେଶକୁ ନେଇ ଯେଉଁ ସବୁ ଘୋଷଣା କରାଯାଇଛି ତାହା ଦେଶକୁ ପାଞ୍ଚ ବର୍ଷ ଭିତରେ ପାଞ୍ଚ ଟ୍ରିଲିଅନ୍ ଅର୍ଥନୀତିରେ ପରିଣତ କରିବାରେ ସହାୟକ ହେବ। ସଂସଦରେ ଉତ୍ତର ରଖିବା ବେଳେ ନିର୍ମଳା ଆଜି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ ଓ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ। କିଛି ଦିନ ତଳେ ନିର୍ମଳାଙ୍କ ବଜେଟ୍କୁ ତାତ୍ସଲ୍ୟ କରି ଚିଦମ୍ବରମ କହିଥିଲେ ଯେ, ଏକ ସାଧାରଣ ଗାଣିତିକ ହିସାବରେ ଟଙ୍କା ଧାର ଦେଉଥିବା ପ୍ରତିଟି ଲୋକ କହିବେ ପ୍ରତି ପାଞ୍ଚ ବର୍ଷରେ ଅର୍ଥନୀତି ଆପେ ଆପେ ଦୁଇ ଗୁଣ ବଢ଼ିଯିବ। ଆଜି ତାହାର ଉତ୍ତର ଦେଇ ନିର୍ମଳା କହିଛନ୍ତି ଯେ, ଯଦି ସେଭଳି ହେଉଥାନ୍ତା ତାହା ହେଲେ ଆମେ କାହିଁକି ଅଛୁ? ସରକାର କାହିଁକି ରହିଛି? ସେଥିପାଇଁ କ’ଣ ଉପା ସରକାରଙ୍କ ଅମଳରେ ଅର୍ଥନୀତି ପ୍ରତି ଆଦୌଁ ଧ୍ୟାନ ଦିଆଯାଇନଥିଲା। କେବଳ ଦୁର୍ନୀତି ହେଉଥିଲା। ଦୁର୍ନୀତି ଉପରେ ସବୁ ଧ୍ୟାନ ଥିଲା। ଅର୍ଥନୀତି ଆପେ ଦୁଇ ଗୁଣା ହୋଇଯିବ। ଚାଲ ଆମେ ଆମ ବ୍ୟକ୍ତିଗତ ଆୟ ବଢ଼ାଇବାରେ ଧ୍ୟାନ କେନ୍ଦ୍ରିତା କରିବା। ପୂର୍ବତନ ଅର୍ଥମନ୍ତ୍ରୀ କ’ଣ ଏହା କହିବାକୁ ଚାହୁଛନ୍ତି କି ବୋଲି ନିର୍ମଳା କହିଥିଲେ।
ଆଜି ନିର୍ମଳା ସମ୍ବଲପୁରୀ ଶାଢ଼ି ପରିଧାନ କରି ରାଜ୍ୟସଭା ପହଞ୍ଚିଥିଲେ।ଏହାକୁ ନେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ପ୍ରଶଂସା କରି ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି ଯେ, ଆଜି ରାଜ୍ୟସଭାରେ ଆଦରଣୀୟ ନିର୍ମଳା ମହୋଦୟା ଓଡ଼ିଶାର ପାରମ୍ପରିକ ସମ୍ବଲପୁରୀ ଶାଢ଼ି ପିନ୍ଧି ବଜେଟ୍ ଅଭିଭାଷଣ ଦେଉଥିବା ବେଳେ ଗର୍ବିତ ମନେ େହାଇଥିଲା। ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ବିଶ୍ବ ପ୍ରସିଦ୍ଧ ପାରମ୍ପରିକ ହସ୍ତକଳାକୁ ସଂସଦରେ ପରିଚୟ ପ୍ରଦାନ କରି ସେ ଆଜି ଓଡ଼ିଶାର କଳା ଓ ସଂସ୍କୃତିକୁ ବିଶେଷ ସମ୍ମାନ ଦେଇଛନ୍ତି।