ରାଜ୍ୟରେ ଶିଳ୍ପାୟନ, ନୀତି ପ୍ରସ୍ତୁତି, ବଡ଼ ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ପର୍କରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମାଙ୍କ ସହ ଆଲୋଚନାକୁ ଉପସ୍ଥାପନ କରାଯାଉଛି

Advertisment

ପ୍ରତି ଜିଲ୍ଲାରେ ଏମ୍ଏସ୍ଏମ୍ଇ ପାର୍କ ସ୍ଥାପନ କରିବା ଯୋଜନା ଥିଲା। ସେଥିରେ କ’ଣ ଅଗ୍ରଗତି ହୋଇଛି? 
ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ୧୮ଟି ପାର୍କ ପ୍ରସ୍ତୁତ କରାଯାଇଛି। ୧୪ଟି ପାର୍କ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୪ଟି ପାର୍କ ନିର୍ମାଣାଧୀନ ରହିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଏଥିପାଇଁ ବଜେଟ୍‌ରେ ୪୮୦ କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରାଯାଇଥିଲା। ୨୦୨୬-୨୭ ଆର୍ଥିକ ବର୍ଷ ବଜେଟ୍‌ରେ ଆଉ ୧୨ଟି ଏମ୍ଏସ୍‌ଏମ୍ଇ ପାର୍କ ପାଇଁ ବ୍ୟୟବରାଦ କରାଯିବ। ନିର୍ମାଣ କରାଯାଉଥିବା ପାର୍କଗୁଡ଼ିକ ୨୦୨୭ ଡିସେମ୍ବର କିମ୍ବା ୨୦୨୮ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବ।

ରାଜ୍ୟ ଜିଡିପିରେ ବିନିର୍ମାଣ କ୍ଷେତ୍ରର ଅବଦାନ ବଢ଼ାଇବା ନେଇ କ’ଣ ଯୋଜନା ରହିଛି?
ରାଜ୍ୟ ଜିଡିପିକୁ ବିନିର୍ମାଣର ଅବଦାନ ଏବେ ୪୪ ପ୍ରତିଶତ ରହିଛି ଯାହାକୁ ଆମେ ୪୮ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବାକୁ ଚାହୁଛୁ। ସେବା କ୍ଷେତ୍ରର ଅବଦାନ ୩୮ ପ୍ରତିଶତ ରହିଛି। ତାହାକୁ ବଢ଼ାଇବା ଲାଗି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି। ସରକାର ତିନିଟି ପ୍ରମୁଖ କ୍ଷେତ୍ର ସୂଚନା ପ୍ରଯୁକ୍ତି, ପର୍ଯ୍ୟଟନ ଓ ସ୍ବାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ବ ଦେଉଛନ୍ତି। ସୂଚନା ପ୍ରଯୁକ୍ତିରେ ବଲାଙ୍ଗୀର, ସମ୍ବଲପୁର, ବାଲେଶ୍ବର, ଅନୁଗୁଳ ଓ ରାଉରକେଲା ଭଳି ସହରରେ ନୂଆ ଆଇଟି ପାର୍କ ସ୍ଥାପନ କରାଯିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଓ ଗ୍ଲୋବାଲ୍ କାପାବିଲିଟି ସେଣ୍ଟର (ଜିସିସି)ରେ ନିବେଶ ଆକୃଷ୍ଟ କରାଯାଉଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ମେଡିକାଲ୍ ଉପକରଣ ଉତ୍ପାଦନ ଲାଗି ଉଦ୍ୟମ କରାଯାଉଛି। ପର୍ଯ୍ୟଟନରେ ଶିମିଳିପାଳ ଓ ଭିତରକନିକା ଭଳି ସ୍ଥାନରେ ତାରକା ହୋଟେଲ୍‌ ସ୍ଥାପନ ପାଇଁ ବ୍ୟବସ୍ଥା କରାଯାଇଛି।

dgdadgzcvcv

ଜେଏସ୍‌ଡବ୍ଲ୍ୟୁ, ମିତ୍ତଲ, ବେଦାନ୍ତ ଭଳି ବଡ଼ ସଂସ୍ଥା ଘୋଷଣା କରିଥିବା ପ୍ରକଳ୍ପର ସ୍ଥିତି କ’ଣ ରହିଛି?
ଜଗତସିଂହପୁରରେ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହା ପେଲେଟ୍‌ କାରଖାନା ତିଆରି କରୁଥିବା ବେଳେ ଏବେ ଜେଟିରେ କାମ ଆରମ୍ଭ କରିଛି। ଏଥି ସହିତ ଇସ୍ପାତ ପ୍ରକଳ୍ପ କାମ ମଧ୍ୟ ଆରମ୍ଭ କରାଯାଉଛି। ୨୦୨୯ ମାର୍ଚ୍ଚ ସୁଦ୍ଧା ଜେଟି ଓ ଇସ୍ପାତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଆଶା କରାଯାଉଛି। ସେହିପରି, କେନ୍ଦୁଝରରେ ନିର୍ମାଣ କରାଯାଉଥିବା ଇସ୍ପାତ ପ୍ରକଳ୍ପ ପାଇଁ ୨୪୦୫ ଏକର ଜମି ଦରକାର। ସେଥିରୁ ୨୩୦ ଏକର ସରକାରୀ, ୭୦୯ ଏକର ଜଙ୍ଗଲ ଜମି ଓ ୧୪୬୬ ଏକର ହେଉଛି ଘରୋଇ ଜମି। ସରକାରୀ ଜମି ସମ୍ପୂର୍ଣ୍ଣ ହସ୍ତାନ୍ତର କରାଯାଇଛି। ୧୨ଟି ଗାଁରେ ଥିବା ଘରୋଇ ଜମି ଅଧିଗ୍ରହଣ ପାଇଁ ଉଦ୍ୟମ ଚାଲିଛି। ଡିସେମ୍ବରରେ ଗୋଟିଏ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରି ଆବେଦନ ଆସନ୍ତା ଫେବ୍ରୁଆରିରେ ହେବ। ଯେବେଠାରୁ ନିର୍ମାଣ କାମ ଆରମ୍ଭ ହେବ ତାହାର ତିନି ବର୍ଷ ମଧ୍ୟରେ ତାହା କାର୍ଯ୍ୟକ୍ଷମ ହେବ। ୨୦୨୯ ସୁଦ୍ଧା କେନ୍ଦୁଝର ପ୍ରକଳ୍ପରୁ ଉତ୍ପାଦନ ଆରମ୍ଭ କରିବା ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ବେଦାନ୍ତ ଯେଉଁ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଛି, ସେଥିରୁ ୭୦ ହଜାର କୋଟି ଟଙ୍କା ଢେଙ୍କାନାଳ ଓ ୩୦ ହଜାର କୋଟି ଟଙ୍କା ରାୟଗଡ଼ାରେ ନିବେଶ କରିବ। 

Family Conflict: କୀଟନାଶକ ପିଇ ଦମ୍ପତି ମୃତ,୫ ବର୍ଷର ଶିଶୁପୁତ୍ର ଗୁରୁତର

ଶିଳ୍ପ ଜରିଆରେ ନିଯୁକ୍ତି ସୃଷ୍ଟି କରିବା ଲକ୍ଷ୍ୟ ଥିଲା। ସେ ଦିଗରେ ସରକାର କିଭଳି ସଫଳତା ହାସଲ କରିଛନ୍ତି?
୨୦୨୫ର ଏପ୍ରିଲ୍‌ରୁ ଡିସେମ୍ବର ମଧ୍ୟରେ ୨.୧୦ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକରେ ୫୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଆସନ୍ତା ମାର୍ଚ୍ଚ ସୁଦ୍ଧା ଶିଳ୍ପ କ୍ଷେତ୍ରରେ ଆଉ ୧୦ ହଜାର ନୂଆ ନିଯୁକ୍ତି ସୃଷ୍ଟି ହେବାକୁ ଯାଉଛି। ପାଞ୍ଚ ବର୍ଷରେ ଅଢ଼େଇ ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ପାଇଁ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ହାସଲ ହେବ ବୋଲି ୨୦୨୫ର ସଫଳତା ଦର୍ଶାଉଛି।

ନୀତି ନିୟମକୁ ନେଇ କ’ଣ ଯୋଜନା ରହିଛି?
ତିନିଟି ନୀତି ଉପରେ କାମ ଚାଲୁଛି। ପର୍ଯ୍ୟଟନ ନୀତିରେ ଖୁବ୍‌ଶୀଘ୍ର ସଂ‌ଶୋଧନ କରାଯିବ। ଆସନ୍ତା ୨-୩ ସପ୍ତାହରେ ସେହି କାମ ହୋଇଯିବ। ୨୦୨୬ ମାର୍ଚ୍ଚ ସୁଦ୍ଧା ଡାଟା ସେଣ୍ଟର ନୀତି ଓ ସିନେମା ନୀତି ଘୋଷଣା କରାଯିବ। ସିନେମା ନୀତିରେ ସ୍ଥାନୀୟ ସିନେମା ନିର୍ମାଣ ଓ ଗ୍ରାମାଞ୍ଚଳରେ ସିନେମା ହଲ୍‌ ଖୋଲିବା ଉପରେ ଗୁରୁତ୍ବ ଦିଆଯାଉଛି। 

Family Conflict: କୀଟନାଶକ ପିଇ ଦମ୍ପତି ମୃତ,୫ ବର୍ଷର ଶିଶୁପୁତ୍ର ଗୁରୁତର

ନିକଟରେ ହାଇଦ୍ରାବାଦରେ ଏକ ନିବେଶକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଭବିଷ୍ୟତରେ ଅନ୍ୟ ସ୍ଥାନରେ ସେଭଳି କାର୍ଯ୍ୟକ୍ରମ ଆୟୋଜନ ହେବ କି?
ଆସନ୍ତା ଜାନୁଆରିରେ କୋଲକାତାରେ ଏବଂ ଫେବ୍ରୁଆରିରେ ବେଙ୍ଗାଲୁରୁରେ ନିବେଶକ ସମ୍ମିଳନୀ ଆୟୋଜନ କରାଯିବ। ଏହାପରେ ବିଦେଶ ମାଟି ମଧ୍ୟରେ ବ୍ରିଟେନ ଓ ଜର୍ମାନୀରେ କାର୍ଯ୍ୟକ୍ରମ ଆୟୋଜନ କରିବା ଯୋଜନା ରହିଛି। କିନ୍ତୁ ତାହାର ସମୟ ନିର୍ଘଣ୍ଟ ହୋଇନାହିଁ। ଭରତ ସରକାର ଯେଉଁ ସମୟରେ ସେଥିପାଇଁ ସୁବିଧା ପ୍ରଦାନ କରିବେ, ସେହି ଅନୁସାରେ ଉକ୍ତ ସମ୍ମିଳନୀ ଆୟୋଜନ କରାଯିବ। ଆସନ୍ତା ବର୍ଷ ଆଡ଼କୁ ଡାଭୋସ୍‌ ଶିଖର ସମ୍ମିଳନୀରେ ଓଡ଼ିଶାର ଅଂଶଗ୍ରହଣ ନେଇ ଉଦ୍ୟମ କରାଯିବ।
-ପ୍ରଭାତ ପଟ୍ଟନାୟକ