ଓଡ଼ିଶାର ଜଣାଶୁଣା ସିନେ ପ୍ରଯୋଜକ ତଥା ବିତରକ ରବୀନ୍ଦ୍ର ମୋହନ ସାହୁ ଗତ ୧୭ ତାରିଖରେ ଇହଲୀଳା ସମ୍ବରଣ କରିଛନ୍ତି। ପ୍ରଯୋଜକ ଭାବେ ତାଙ୍କର ପ୍ରଥମ ଓଡ଼ିଆ ଛବି ଥିଲା ‘ଏଇ ତ ଦୁନିଆ’। ଶ୍ରୀବଳଦେବଜୀଉ ପ୍ରଡକ୍‌ସନ୍‌ସ ବ୍ୟାନରରେ ୧୯୮୭ରେ ମୁକ୍ତିଲାଭ କରିଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ମହମ୍ମଦ ମହସୀନ୍। ଏଥିରେ ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଅଜିତ ଦାସ, ମିହିର ଦାସ, ମହମ୍ମଦ ମହସୀନ୍, ଅନୀତା ଦାସ, ଅପରାଜିତା, ଜୟୀ, ଦେବୁ ବୋଷ ଓ ନରିଙ୍କ ଭଳି ଜଣାଶୁଣା କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଡାକ୍ତର ସୁବୋଧ ପଟ୍ଟନାୟକ ଏହାର ସଂଳାପ ରଚନା କରିଥିବା ବେଳେ ଅକ୍ଷୟ ମହାନ୍ତି ଥିଲେ ଏହାର ସଂଗୀତ ନିର୍ଦ୍ଦେଶକ। ଏହା ସୁପରହିଟ୍ ହେବା ପରେ ଶ୍ରୀ ସାହୁ କ୍ରମାଗତ ଭାବେ ଓଡ଼ିଆ ସିନେମା ନିର୍ମାଣରେ ମନୋ‌ନିବେଶ କରିଥିଲେ।

Advertisment

Additional Security Deposit: ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କଲା କଂଗ୍ରେସ

ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଏଇ ତ ଦୁନିଆ’ରୁ ପ୍ରଯୋଜକ ଭାବେ କ୍ୟାରିଅର ଆରମ୍ଭ କରିଥିଲେ ରବୀନ୍ଦ୍ର ମୋହନ ସାହୁ। କିନ୍ତୁ ପରେ ଏ ଦୁହେଁ କୌଣସି ଛବିରେ ବି ଏକାଠି କାମ କରି ନଥିଲେ। କାରଣ କ’ଣ ଜାଣନ୍ତୁ

‘ଏଇ ତ ଦୁନିଆ’ର ସଫଳତା ପରେ ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁ ନିର୍ଦ୍ଦେଶକ ମହମ୍ମଦ ମହସୀନଙ୍କୁ ନେଇ ‘ଦାରୁବ୍ରହ୍ମ ମୁରାରୀ’ ଶୀର୍ଷକରେ ଆଉ ଏକ ଓଡ଼ିଆ ଛବି ନିର୍ମାଣ ଆରମ୍ଭ କରିଥିଲେ। ଏହାର ସଂଳାପକାର ଥିଲେ ଡାକ୍ତର ସୁବୋଧ ପଟ୍ଟନାୟକ ଏବଂ ଅକ୍ଷୟ ମହାନ୍ତି ଥିଲେ ସଂଗୀତକାର। ସ୍କ୍ରିପ୍ଟ କାମ ଶେଷ ହୋଇ ଫିଲ୍ମର ଗୀତ ରେକର୍ଡିଂ ବି ମୁମ୍ବାଇରେ ହୋଇଗଲା। କଳାକାର ଚୟନ ବି ସରିଲା। କିନ୍ତୁ ସୁଟିଂ ଆରମ୍ଭ ହେବା ପୂର୍ବରୁ ଫିଲ୍ମର କାହାଣୀକାରଙ୍କ ନାମକୁ ନେଇ ଆରମ୍ଭ ହେଲା ବିବାଦ। ପ୍ରଯୋଜକ ଓ ନିର୍ଦ୍ଦେଶକ ଦୁହେଁ ଜିଦ୍ ଧରିଲେ କି କାହାଣୀ ସେମାନଙ୍କ ନାମରେ ଯିବ। ଏହି ବିବାଦର ସମାଧାନ ଲାଗି ସଂଳାପକାର ଡାକ୍ତର ସୁବୋଧ ପଟ୍ଟନାୟକ ଉଭୟଙ୍କୁ ବୁଝାଇଲେ, ହେଲେ କୌଣସି ନିଷ୍କର୍ଷ ବାହାରି ନଥିଲା। ଫଳସ୍ବରୂପ ‘ଦାରୁବ୍ରହ୍ମ ମୁରାରୀ’ ଫ୍ଲୋରକୁ ଯାଇପାରି ନଥିଲା। ତାହା ଅଧାରେ ଅଟକିଥିବା ସିନେମା ତାଲିକାଭୁକ୍ତ ହୋଇଗଲା।

Fire: ନିଆଁରେ ଜଳିଗଲା ଘର, ସର୍ଟସର୍କିଟରୁ ଭୟଙ୍କର ଅଗ୍ନିକାଣ୍ଡ: ପୋଡ଼ି ପାଉଁଶ ବର୍ଷକର ପରିଶ୍ରମ ଓ ଆସବାବପତ୍ର...

ଦୁହିଁଙ୍କ ଭିତରେ ସଂପର୍କ ଏତେ ତିକ୍ତ ହୋଇଗଲା ଯେ ‘ଏଇ ତ ଦୁନିଆ’ ପରେ ରବୀନ୍ଦ୍ର ମୋହନ ସାହୁ ‘ବସ୍ତ୍ରହରଣ’, ‘ପାଚେରି ଉଠିଲା ମଝି ଦୁଆରୁ’, ‘ନାଗପଞ୍ଚମୀ’, ‘ମଣିନାଗେଶ୍ବରୀ’, ‘ଶାଶୂ ହାତକଡ଼ି ଭାଉଜ ବେଡ଼ି’, ‘କୁଳନନ୍ଦନ’, ‘ରସିକ ନାଗର’ ଓ ‘ଆଲୋ ମୋର କଣ୍ଢେଇ’ ଆଦି ଓଡ଼ିଆ ଛବି ନିର୍ମାଣ କରିଥିଲେ ବି କୌଣସି ଗୋଟିଏ ଛବିରେ ମହମ୍ମଦ ମହସୀନଙ୍କୁ ନିର୍ଦ୍ଦେଶକ କରି ନଥିଲେ।
-ଶିବଶଙ୍କର ଓଝା