ଭୁବନେଶ୍ବର: ଶୁକ୍ରବାର ସୁନା ଓ ରୁପା ଦରରେ ରେକର୍ଡ ହ୍ରାସ ଘଟିବା ପରେ ଆଜି ମଧ୍ୟ ଏହି ଧାରା ଜାରି ରହିଛି। ଆଜି ସୁନା ଦର ୧୦ ଗ୍ରାମ ପ୍ରତି ପାଖାପାଖି ୯ ହଜାର ଟଙ୍କା ହ୍ରାସ ପାଇଛି। ଫଳରେ ୨୪ କ୍ୟାରେଟ୍ ସୁନା ଦର ଆଜି ୧୦ ଗ୍ରାମ ପ୍ରତି ୧ ଲକ୍ଷ ୬୦ ହଜାର ୫୮୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୭୯୦୦ ଟଙ୍କା ହ୍ରାସ ପାଇ ୧ ଲକ୍ଷ ୪୭ ହଜାର ୨୦୦ ଟଙ୍କାକୁ ଖସିଆସିଛି। ତେବେ ରୁପା ଦର ଶନିବାର ଦୁଇଟି ପର୍ଯ୍ୟାୟରେ ୮୫ ହଜାର ଟଙ୍କା କମିଛି। ଦିନ ସମୟରେ ପ୍ରଥମେ ରୁପା ଦର କିଲୋଗ୍ରାମ୍ ପିଛା ୪୫ ହଜାର ଟଙ୍କା ହ୍ରାସ ପାଇଥିଲା। କିନ୍ତୁ ସନ୍ଧ୍ୟା ବେଳକୁ ଏଥିରେ ଆଉ ୩୦ ହଜାର ଟଙ୍କା ହ୍ରାସ ପାଇବା ଫଳରେ ଶନିବାର ଭୁବନେଶ୍ବର ବଜାରରେ କେଜି ପ୍ରତି ରୁପା ଦର ୩ ଲକ୍ଷ ୨୦ ହଜାର ଟଙ୍କାକୁ ଖସିଆସିଛି।
ପୂର୍ବରୁ ରୁପା ଦରରେ ଏତେ ବଡ଼ ହ୍ରାସ ଦେଖିବାକୁ ମିଳି ନଥିଲା। ଆଜି ଓ ଗତକାଲିର ହ୍ରାସକୁ ଦେଖିଲେ ରୁପା ଦର ଗତ ଦୁଇ ଦିନରେ ୧ ଲକ୍ଷ ୭ ହଜାର ଟଙ୍କା କମିଯାଇଛି। ସେହିଭଳି ଗତ ଦୁଇ ଦିନରେ ସୁନା ଦର ପାଖାପାଖି ୧୮ ହଜାର ଟଙ୍କା ହ୍ରାସ ପାଇଛି। ବିଶ୍ବ ବଜାରରେ ସୁନା ଓ ରୁପା ମୂଲ୍ୟ କମ୍ ହୋଇଥିବାବେଳେ ଭାରତୀୟ ବଜାର ଉପରେ ଏହାର ପ୍ରଭାବ ପଡ଼ିଥିବା କୁହାଯାଉଛି। ଆମେରିକା ଫେଡେରାଲ ରିଜର୍ଭର ନୂଆ ଗଭର୍ଣ୍ଣରଙ୍କ ନାମ ଘୋଷଣା ହେବା ପରେ ଲାଭ ପାଇବା ଆଶାରେ ବହୁ ନିବେଶକ ସୁନା ଓ ରୁପା ବିକ୍ରି କରିବାରୁ ତାହାର ମୂଲ୍ୟ କମ୍ ହୋଇଛି।
Follow Us