ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ ପ୍ରଯୁକ୍ତି କମ୍ପାନି ଆପଲ୍କୁ ପୁଣି ଧମକାଇଛନ୍ତି। ଭାରତରେ କମ୍ପାନି ଆଇଫୋନ୍ ନିର୍ମାଣ ନକରିବା ଲାଗି କହିଛନ୍ତି। ଯଦି ଭାରତ କିମ୍ବା ଅନ୍ୟ କୌଣସି ଦେଶରେ ଆପଲ୍ ଆଇଫୋନ୍ ନିର୍ମାଣ କରି ଆମେରିକାରେ ବିକ୍ରି କରିବ ତାହେଲେ ଅତିକମ୍ରେ ୨୫ ପ୍ରତିଶତ ଶୁଳ୍କ ଆଦାୟ କରାଯିବ ବୋଲି କହିଛନ୍ତି। ଟ୍ରମ୍ପ ତାଙ୍କ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲ୍ରେ ଆପଲ୍ ସିଇଓଙ୍କୁ ସିଧାସଳଖ ଏ ନେଇ ବାର୍ତ୍ତା ଦେଇଛନ୍ତି।
ଆମେରିକା ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ ପୂର୍ବରୁ ସେ ଆପଲ୍ ସିଇଓ ଟିମ୍ କୁକ୍ଙ୍କୁ ଏ ନେଇ ଅବଗତ କରିସାରିଛନ୍ତି। ଆମେରିକାରେ ବିକ୍ରି ହେଉଥିବା ଆଇଫୋନ୍ ଆମେରିକାରେ ହିଁ ନିର୍ମାଣ ହେବା ଆବଶ୍ୟକ ବୋଲି ସେ ସ୍ପଷ୍ଟ କରିଥିଲେ। ଭାରତରେ ଆପଲ୍ ଏହାର ଆଇଫୋନ ଉତ୍ପାଦନ ସଂପ୍ରସାରଣ ନେଇ ବଡ଼ ଯୋଜନା ଚଳାଇ ଥିବାବେଳେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କମ୍ପାନିର ସିଇଓ କୁକ୍ଙ୍କୁ ବାରମ୍ବାର ଏଭଳି ଧମକ ଦେଉଛନ୍ତି। ଆପଲ୍ ଏବଂ ଏହାର ପ୍ରମୁଖ ଯୋଗାଣକାରୀମାନେ ଚୀନ ବାହାରକୁ ସେମାନଙ୍କ ଉତ୍ପାଦନ ସ୍ଥାନାନ୍ତର କରୁଛନ୍ତି। କରୋନା ମହାମାରୀ ସମୟରେ ଯୋଗାଣ ଶୃଙ୍ଖଳରେ ଦେଇଥିବା ଅସୁବିଧା ପରେ ସଂପ୍ରତି ବେଜିଂ ଓ ୱାସିଂଟନ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଚାଲିଥିବାରୁ ଆପଲ୍ ଏହାର ଉତ୍ପାଦନ କେନ୍ଦ୍ର ଚୀନରୁ ଉଠାଇ ନେବାକୁ ଯୋଜନା କରିଛି।
କତର ଗସ୍ତ ସମୟରେ ଟ୍ରମ୍ପ ଆପଲ ସିଇଓ କୁକ୍ଙ୍କ ସହିତ ଆଲୋଚନା କରିଥିଲେ। ସେହି ସମୟରେ ଭାରତରେ ଆପଲ୍ର ଅଧିକ ନିବେଶକୁ ସେ ସମାଲୋଚନା କରିଥିଲେ। ଭାରତରେ ନିବେଶ ନକରିବାକୁ କହିଥିଲେ। ଏହା ପୂର୍ବରୁ ଚଳିତମାସରେ ଆପଲ୍ ଏହାର ପ୍ରଥମ ତ୍ରୟମାସ ଆର୍ଥିକ ଫଳାଫଳ ଘୋଷଣା ସମୟରେ କୁକ୍ କହିଥିଲେ ଆମେରିକାରେ ବିକ୍ରି ହେଉଥିବା ଅଧିକାଂଶ ଆଇଫୋନ ଭାରତରେ ନିର୍ମାଣ ହେବ। ବିଶ୍ବରେ ବିକ୍ରି ହେଉଥିବା ସମୁଦାୟ ଆଇଫୋନର ୨୫ ପ୍ରତିଶତ ଭାରତରେ ନିର୍ମାଣ ନେଇ ଯୋଜନା ରହିଛି। ଭାରତରେ ଆପଲ୍ ୨୦୨୪-୨୫ରେ ପ୍ରାୟ ୨୨ ବିଲିଅନ ଡଲାର ମୂଲ୍ୟର ଆଇଫୋନ୍ ଉତ୍ପାଦନ କରିଛି। ୨୦୨୩-୨୪ ବର୍ଷ ତୁଳନାରେ ଏହା ୬୦ ପ୍ରତିଶତ ଅଧିକ। ଆପଲ୍ ଏହାର ପ୍ରତି ୫ଟି ଆଇଫୋନରୁ ଗୋଟିଏ ଭାରତରେ ନିର୍ମାଣ କରୁଛି।