ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଗଜପତିଜିଲ୍ଲା ସେରଙ୍ଗ ପୁଲିସକୁ ମିଳିଛି ବଡ଼ ସଫଳତା। ଗତ ଜାନୁଆରି ୨୫ ତାରିଖରେ ପରିଡ଼ା ପଞ୍ଚାୟତ ଅନ୍ତର୍ଗତ ମାରିଗୁଡା ଗ୍ରାମର ଆର ଲକ୍ଷ୍ମୀ କଲ୍ୟାଣୀଙ୍କ ଘରୁ ୨୬୬.୭୮ ଗ୍ରାମର ସୁନା ଓ ରୁପା ଅଳଙ୍କାର, ନଗଦ ଏକ ଲକ୍ଷ ୯୮ ହଜାର ଟଙ୍କା ଚୋରି ହୋଇଥିବା ନେଇ ସେରଙ୍ଗ ଥାନାରେ ଅଭିଯୋଗ କରିବା ସହ ସୁନାର ସମସ୍ତ ତାଲିକା ଏବଂ ରସିଦ ଦାଖଲ କରିଥିଲେ।
ଅଭିଯୋଗକୁ ଭିତ୍ତି କରି ସେରଙ୍ଗ ପୁଲିସ ଭାରତୀୟ ନ୍ୟାୟ ସଂହିତା ୩୩୧(୪), ୩୦୫(a)ରେ କେସ ନମ୍ବର ୮/ ୨୬ରେ ଏକ ମାମଲା ରୁଜୁ କରି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କ ସୁଚନାକୁ ଆଧାର କରି କିଛି ଦୁର୍ବୃତ୍ତଙ୍କ ଉପରେ ସନ୍ଦେହ ଘନୀଭୂତ ହୋଇଥିଲା। ପରେ ସେମାନଙ୍କ ଗତିବିଧିକୁ ଅନୁଧ୍ୟାନ କରିବା ସହ ଥାନାକୁ ଡାକି ପଚରାଉଚରା କରିବା ସମୟରେ ଅଭିଯୁକ୍ତ ମାନେ ଘଟଣା ଭିଆଈଥିବା ସ୍ବୀକାର କରିଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ ଚୋରି ଅଳଙ୍କାର ସବୁ ନିକଟସ୍ଥ ଜଙ୍ଗଲରେ ମାଟି ତଳେ ପୋତି ରଖିଥିବା ସୂଚନା ଦେଇଥିଲେ। ପୁଲିସ ଉକ୍ତ ସ୍ଥାନକୁ ଠାବ କରି ଅଭିଯୁକ୍ତଙ୍କ ଉପସ୍ଥିତିରେ ଖୋଳି ବାହାର କରିବା ପରେ ସେମାନଙ୍କୁ ଗିରଫ କରାଯାଇଥିବା ଏବଂ ଆଜି କୋର୍ଟ ଚାଲାଣ କରାଯିବା ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଆରକ୍ଷୀ ଅଧିକ୍ଷକ ଯତିନ୍ଦ୍ର କୁମାର ପଣ୍ଡା।
ଆହୁରି ପଢ଼ନ୍ତୁ: Cricket: ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ ନିଷ୍ପତ୍ତି: ଆଇସିସିର ଚେତାବନୀ
ପୁଲିସ କହିଛି ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଦୁଇଜଣ ମରାଠି ଗିରିବାବୁ (୩୪), ଅରୁଣ ପ୍ରଧାନ (୪୫) ଉଭୟ ମାରିଗୁଡ଼ା ଗ୍ରାମର ହୋଇଥିବା ବେଳେ ଆଉ ଜଣେ ମୁରଲୀ ନାୟକ (୪୧) ପରିଡା ଗ୍ରାମର ବୋଲି ସୂଚନା ଦେଇଛି ପୁଲିସ। ଜବତ ସୁନା ଅଳଙ୍କାରର ବର୍ତମାନ ବଜାର ମୂଲ୍ୟ ପ୍ରାୟ ୪୦ ଲକ୍ଷରୁ ଊର୍ଦ୍ଧ୍ବ ହେବ।
ଆହୁରି ପଢ଼ନ୍ତୁ: Dead: ନିର୍ଦ୍ଦୋଷ ପ୍ରମାଣିତ ହେବାର ଦିନକ ପରେ ଆଖି ବୁଜିଦେଲେ
ସୂଚନାଯୋଗ୍ୟ, ଦୁର୍ବୁତ୍ତମାନେ ଘରେ କେହି ନଥିବାର ସୁଯୋଗ ନେଇ ବିଳମ୍ବିତ ରାତିରେ ଘରର ପଛ ଭାଗର ଝରକା ଭାଙ୍ଗି ଘରେ ପଶି ଚୋରୀ କରିଥିଲେ। ତିନି ଅଭଯୁକ୍ତମାନଙ୍କ ମଧ୍ୟରୁ ଜଣେ ବାହାରେ ଅପେକ୍ଷା କରି କେହି ଯିବା ଆସିବାର ଲକ୍ଷ ରଖିଥିଲା ଆଉ ଦୁଇଜଣ ଘର ଭିତରେ ପଶି ଆଲମୀରା ଭାଙ୍ଗି ତ ଭିତରେ ଥିବା ଲକର ତାଡି ସୁନା ଗହଣା ସବୁ ଚୋରୀ କରି ନେଇ ନିକଟସ୍ଥ ଜଙ୍ଗଲ ଭିତରେ ଗତ ଖୋଳି ମାଟି ଭିତରେ ପୋତି ଦେଇଥିଲେ। ସମସ୍ତ ସୁନା ଅଳଙ୍କାର ଉଦ୍ଧାର ହୋଇଥିବା ବେଳେ ଚୋରି ରୁପା ଅଳଙ୍କାର ଏବଂ ନଗଦ ଟଙ୍କାର ସନ୍ଧାନ ପାଇ ପାରିନି ପୁଲିସ। ଗିରଫ ଅଭିଯୁକ୍ତମାନଙ୍କ ଅନ୍ୟ କୌଣସି ମାମଲାରେ ସମ୍ପୃକ୍ତି ଅଛିକି ନାହିଁ ତାର ଯାଞ୍ଚ ଜାରି ରହିଥିବା ବେଳେ ନଗଦ ଟଙ୍କା ଓ ରୁପା ଅଳଙ୍କାରର ସନ୍ଧାନ ପାଇଁ ତଦନ୍ତ ଜାରି ରହିବ। ଅଭିଯୁକ୍ତ ମାନଙ୍କୁ ସେ ସମ୍ପର୍କରେ ଅଧିକ ପଚରା ଉଚରା ପାଇଁ ପୁଲିସ ରିମାଣ୍ଡର ଆବେଦନ କରିବ ବୋଲି କହିଛନ୍ତି ଗଜପତି ଏସ୍ପି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/07/untitled-31jpg-2026-02-07-20-03-03.jpeg)