ସମ୍ବଲପୁର: ବହୁଚର୍ଚ୍ଚିତ ଚାରମାଳ ଡକାୟତି ଘଟଣାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ସଂଜୀବ କରାଲିକୁ ସମ୍ବଲପୁର ପୁଲିସ୍‌ ଆଜି ଅପରାହ୍‌ଣରେ ଏନ୍‌କାଉଣ୍ଟର କରିଛି। ଏହି ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ଆହତ ହୋଇଛି। ଅପରାଧୀର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

Advertisment

ଏହି ଖବର ପଢ଼ନ୍ତୁ: ଯୁବତୀଙ୍କୁ ନିଶା ବଟିକା ଖୁଆଇ ଦୁଷ୍କର୍ମ

ସମ୍ବଲପୁର ପୁଲିସ କହିଛି, ଆଜି ଅପରାହ୍‌ଣ ପ୍ରାୟ ୩ଟାରେ ବିଶ୍ବସ୍ତ ସୂତ୍ରରୁ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଥିଲା। ଏହି ଆଧାରରେ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ରେଙ୍ଗାଲି ଅଞ୍ଚଳକୁ ପଠାଇଥିଲା। ପୁଲିସ ଜାଣିବାକୁ ପାଇଥିଲା ଯେ, ସଂଜୀବ ସଶସ୍ତ୍ର ସହିତ ରହିଛି। ଏହା ପରେ ପୁଲିସ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରି ସଂଜୀବର ଠିକଣାରେ ଅତର୍କିତ ଚଢ଼ାଉ କରିଥିଲା। ରେଙ୍ଗାଳି ଥାନା ଅଧୀନ ଗୁମଲେଇରୋଡର ରାମ୍ପେଲା ଛକ ନିକଟରେ ସଂଜୀବକୁ ପୁଲିସ ଅଟକାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ସଂଜୀବ ସେତେବେଳେ ବିଚଳିତ ହୋଇଯାଇଥିଲା। ସେ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ବଦଳରେ ଗୁଳି ଚଳାଇଥିଲା। ଅପରାଧୀର ବନ୍ଧୁକରୁ ବାହାରିଥିବା ଗୁଳି ସୌଭାଗ୍ୟବଶତଃ କୌଣସି ପୁଲିସ କର୍ମଚାରୀଙ୍କ ଶରୀରରେ ଲକ୍ଷ୍ୟଭେଦ କରିପାରି ନଥିଲା।  

ଏହି ଖବର ପଢ଼ନ୍ତୁ: ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ

ଜବାବରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା। ପୁଲିସର ପାଲଟା ଗୁଳି ସଂଜୀବର ଡାହାଣ ଗୋଡ଼ର ଆଣ୍ଠୁ ତଳକୁ ଲକ୍ଷ୍ୟଭେଦ କରିଥିଲା। ଫଳରେ ଘଟଣାସ୍ଥଳରେ ସଂଜୀବ ପଡ଼ିଯାଇଥିଲା ଏବଂ ସେଠାରୁ ଖସିଯବାରେ ସଫଳ ହୋଇପାରି ନଥିଲା। ପୁଲିସ ତାକୁ ଉଦ୍ଧାର କରି ପ୍ରଥମେ ରେଙ୍ଗାଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି)ରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ସଂଜୀବର ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି।  

କୁଖ୍ୟାତ ଅପରାଧୀ ସଂଜୀବ କୁରାଲି ନାମରେ ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ ୨୩ଟି ଅପରାଧିକ ମାମଲା ରୁଜୁ ହୋଇଛି। ସେ ଚୋରି, ଡକାୟତି, ରାହଜାନୀ ଓ ଠକେଇ ମାମଲା ସହିତ ଜଡ଼ିତ ଅଛି। 

-ସମ୍ବଲପୁର ପୁଲିସ

 

ଏହି ଖବର ପଢ଼ନ୍ତୁ: ସର୍ବସାଧାରଣରେ ନଜର ଆସିଲେ ଦୀପିକା

ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅଧୀନ ଚାରମାଳ ଥାନା ଅଞ୍ଚଳରେ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ନିର୍ମାଣାଧୀନ ଗ୍ରୀଡ଼ ସାଇଟ୍‌ରେ ଗତମାସ ୨୨ ତାରିଖ ରାତିରେ ଏକ ବଡ଼ଧରଣର ଡକାୟତି ଉଦ୍ୟମ ହୋଇଥିଲା। ଘଟଣା ଦିନ ଡକାୟତି ଗ୍ୟାଙ୍ଗ୍‌ର ୧୨ରୁ ୧୩ ଜଣ ସଦସ୍ୟ ସୁରକ୍ଷା କର୍ମୀଙ୍କୁ ବାନ୍ଧି ଦେଇଥିଲେ। ସେହିପରି ଅଭିଯୁକ୍ତମାନେ ୮ ଜଣ ଶ୍ରମିକଙ୍କୁ ଏକ କୋଠାରୀରେ ବନ୍ଦ କରିଦେଇଥିଲେ। ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଥିଲେ। ଏହାପରେ ଜିନିଷପତ୍ର ନେଇ ଫେରାର ହୋଇଥିଲେ। ଏହି ମାମଲାରେ ପୁଲିସ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରିସାରିଥିବା ବେଳେ ଚୋରି ଜିନିଷର ୮୦ ପ୍ରତିଶତ କୋଲକାତାରୁ ଉଦ୍ଧାର କରିଛି। ତେବେ ଘଟଣା ପରଠାରୁ ଫେରାର ଥିବା କୁଖ୍ୟାତ ଅପରାଧୀ ସଂଜୀବକୁ ପୁଲିସ ଧରିବାରେ ସଫଳ ହୋଇଛି। 

ଏହି ଖବର ପଢ଼ନ୍ତୁ: ବାଇକ୍‌ ଆରୋହୀ ୩ ଜଣଙ୍କୁ ଚାପିଦେଲା ସରକାରୀ ବସ୍‌