Illegal gambling racket busted at a luxury hotel in Sambalpur. Photograph: (sambad.in)
ସମ୍ବଲପୁର (ଜିତେନ୍ଦ୍ର ଦାଶ): ସହରର ଗଳିକନ୍ଦି କିମ୍ବା ନିଛାଟିଆ ସ୍ଥାନରେ ନୁହେଁ; ବରଂ ହୋଟେଲ୍ ରୁମ୍ ଭିତରେ ନିର୍ଭୟରେ ଜୁଆ ଖେଳାଯାଉଛି। ସମ୍ବଲପୁର ସହରର ଏକ ଜଣାଶୁଣା ତଥା ଦାମୀ ହୋଟେଲରେ ଜୁଆ ଖେଳର ପର୍ଦ୍ଦାଫାସ ହୋଇଛି। ଧନୁପାଲି ପୁଲିସ ଚଢ଼ଉ ସମୟରେ ପୁଳାପୁଳା ଟଙ୍କା ମଧ୍ୟ ଜବତ କରିଛି। ଏଥି ସହିତ ୧୦ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ କ୍ଷେତରାଜପୁର ଥାନା ଅନ୍ତର୍ଗତ ଚେରୁଆପଡ଼ାର ବିଜୟ ଗୁପ୍ତା (୬୫), ଧନୁପାଲି ଥାନା ଅନ୍ତର୍ଗତ ମୋତିଝରଣ ମହମ୍ମଦ ରହିସ (୪୯) ଏବଂ ପେନସନପଡ଼ାର ସୟଦ ଜାହିଦ (୪୯), ଅଇଁଠାପାଲି ଥାନା ଅନ୍ତର୍ଗତ କାଇଁଶିର ରୋଡ୍ର ଅଭିଷେକ ପ୍ରଧାନ (୪୮), ଜମନକିରା ବ୍ଲକ୍ ସରଡ଼ାବାହଲର ବରୁଣ ରାଉତ (୩୫), ବୁର୍ଲା ଥାନା ଅଞ୍ଚଳର ଶ୍ୱେତାମ୍ବର ବେହେରା (୩୩), ଅରୁଣ ଦେବତା (୪୫) ଓ ସଞ୍ଜୀବ ବେହେରା (୩୬), ସୁବର୍ଣ୍ଣପୁର ଜିଲ୍ଲା ମୁରଦାପଡ଼ାର ଗଜରାଜ ପଟେଲ (୬୦) ଏବଂ ଅନୁଗୁଳ ଜିଲ୍ଲାର ପ୍ରଶାନ୍ତ ସାହୁ (୪୩)। ଏମାନଙ୍କଠାରୁ ୧୧ଟି ମୋବାଇଲ ଫୋନ୍, ତାସ୍ କାର୍ଡ, ଗୋଟିଏ ମୋଟର ସାଇକଲ, ଗୋଟିଏ ସ୍କୁଟି, ଓ ତମାଖୁ ଜବତ ହୋଇଥିବା ଏସ୍ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି।
ପୁଲିସର ସୂଚନା ଅନୁସାରେ ଆଜି ଅପରାହ୍ଣରେ ହୋଟେଲ୍ ‘ଉପହାର ପ୍ୟାଲେସ୍’ରେ ଜୁଆଖେଳ ନେଇ ସୂଚନା ମିଳିଥିଲା। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ପୁଲିସ ହୋଟେଲ୍ ଉପରେ ଚଢ଼ଉ କରିଥିଲା। ପୁଲିସର ଚଢ଼ଉ ନେଇ ଆଗୁଆ ସୂଚନା ପାଇଥିଲେ ଅଭିଯୁକ୍ତମାନେ। ଫଳରେ ସେମାନେ ବ୍ୟସ୍ତ ହୋଇପଡ଼ିଥିଲେ। ଏହି ଚଢ଼ଉ ସମୟରେ ପୁଳାପୁଳା ୫୦୦ ଟଙ୍କିଆ ନୋଟ୍ ଜବତ ହୋଇଛି।
ଆହୁରି ପଢ଼ନ୍ତୁ: Pakistan's Conspiracy: ପାକିସ୍ତାନର ନୂଆ ଷଡ଼ଯନ୍ତ୍ର, ୱାଘା ସୀମାରେ ବଡ଼ ଧରଣର ନିର୍ମାଣ କାର୍ଯ୍ୟ
କ’ଣ କହିଲେ ଏସ୍ଡିପିଓ?
ଏସ୍ଡିପିଓ ତୋଫାନ ବାଗ କହିଛନ୍ତି, ଆରକ୍ଷୀ ଅଧୀକ୍ଷକ (ଏସ୍ପି)ଙ୍କ ନିର୍ଦ୍ଦେଶରେ ଧନୁପାଲି ପୁଲିସ ଥାନା ଆଇଆଇସି ଆଦିତ୍ୟ ମହାକୁରଙ୍କ ନେତୃତ୍ବରେ ଟିମ୍ ଉପହାର ପ୍ୟାଲେସ୍ରେ ଚଢ଼ଉ କରିଥିଲା। ରୁମ ନମ୍ବର ୧୦୫ରେ ଜୁଆ ଖେଳ ଚାଲିଥିଲା। ଏହି ସମୟରେ ରୁମ ଭିତରେ ଟଙ୍କା ବିଚ୍ଛିନ୍ନ ହୋଇ ପଡ଼ିଥିଲା। ଲକ୍ଷାଧିକ ଟଙ୍କା ଜବତ ହୋଇଛି। ଗଣତି ପରେ କେତେ ଟଙ୍କା ଜଣାପଡ଼ିବ। ଏହି ମାମଲାରେ ୯ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ଏମାନେ ସମସ୍ତେ ସମ୍ବଲପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଅଟକ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ କିଛି ଲୋକ ପୂର୍ବରୁ ମଧ୍ୟ ଜୁଆ ଖେଳ ସହିତ ସଂପୃକ୍ତ ଥିଲେ। ହୋଟେଲ ମାଲିକ ଗୋପକୃଷ୍ଣ ସାମନ୍ତରାୟ ଏହି କାରବାର ସହିତ ସଂପୃକ୍ତ ଅଛନ୍ତି କି ନାହିଁ, ତାହା ତଦନ୍ତ ପରେ ଜଣାପଡ଼ିବ।
ଆହୁରି ପଢ଼ନ୍ତୁ: Mohan Charan Majhi: ଯୁବଶକ୍ତି ହେଉଛନ୍ତି ଆମ ବିକଶିତ ଓଡ଼ିଶାର ସାରଥି
Follow Us