ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହର ଚାଙ୍ଗୁଡ଼ିପଦର ସାହିର କୁନ୍ତଳା ଗୌଡ଼ (୬୫) ଓ ତାଙ୍କ ନାତୁଣୀ ସୁଇଟି ଗୌଡ଼ (୭) ଗତକାଲି ଅପହରଣ ଏବଂ ଲୁଟ୍ର ଶିକାର ହୋଇଛନ୍ତି। ରମ୍ଭା ଥାନା ଅଧୀନ ଖଣ୍ଡଦେଉଳି ରାସ୍ତାରୁ ଉଭୟଙ୍କୁ ପୁଲିସ ଉଦ୍ଧାର କରିଥିଲା। ରମ୍ଭାର ଏକ ଘରୋଇ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ପ୍ରଥମେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନା ଓ ସେଠାରୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଖବର ମିଳିବା ସୁଦ୍ଧା ସେମାନେ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଏଯାବତ୍ ଚେତା ଫେରିନି। କୁନ୍ତଳାଙ୍କ ପୁଅ ଅଶୋକ କୁମାର ଗୌଡ଼ ଏନେଇ ପୁରୁଷୋତ୍ତମପୁର ଥାନାରେ ଏତଲା ଦେଇଛନ୍ତି। କିନ୍ତୁ ଏଯାଏ କୌଣସି ମାମଲା ରୁଜୁ ହୋଇ ନଥିବା ଜଣାପଡ଼ିଛି।
ଏହି ଖବର ପଢ଼ନ୍ତୁ: ଆନ୍ଧ୍ର-ଓଡ଼ିଶା ସୀମାନ୍ତରୁ ଅପହୃତ ବ୍ୟବସାୟୀ ଉଦ୍ଧାର
କୁନ୍ତଳା ଗତକାଲି ତାଙ୍କ ନାତୁଣୀ ସୁଇଟିଙ୍କୁ ନେଇ ଝିଅ ଘର ଚଢ଼େୟାପଲ୍ଲୀ ଗ୍ରାମକୁ ଯାଇଥିଲେ। ଗତକାଲି ଅପରାହ୍ଣ ସାଢ଼େ ୪ଟାରେ ପୁରୁଷୋତ୍ତମପୁର ଫେରିବା ପାଇଁ ସେମାନେ ଚଢ଼େୟାପଲ୍ଲୀ ଗ୍ରାମ ଛକରେ ଏକ ଅଟୋରେ ଚଢ଼ିଥିଲେ। ଅଟୋରେ ତିନିଜଣ ଯୁବକ ବସିଥିଲେ।
ଏହି ଖବର ପଢ଼ନ୍ତୁ: ପଥରରେ ଛେଚି ସ୍ତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କଲା ସ୍ବାମୀ
ତେବେ ଅଟୋଟି ପୁରୁଷୋତ୍ତମପୁର ନ ଆସି ହାଣ୍ଡିଘର ରାସ୍ତା ଦେଇ କୁନ୍ତଳା ଓ ସୁଇଟିଙ୍କୁ ନେଇଯାଇଥିଲା। ସେଠାରେ ଦୁର୍ବୃତ୍ତମାନେ କୁନ୍ତଳା ପିନ୍ଧିଥିବା ଦୁଇଭରି ଓଜନର ସୁନାମାଳି ଓ ଦୁଇଟି ରୁପା ଖଡ଼ୁ ନେଇଯାଇଥିଲେ। ସେମାନଙ୍କୁ ରମ୍ଭା ଥାନା ଖଣ୍ଡଦେଉଳି ଗ୍ରାମ ନିକଟ ଛୋଟାବସା-କାଇଁଚପୁର ରାସ୍ତାରେ ଛାଡ଼ି ପଳାଇଥିଲେ। ବିଳମ୍ବିତ ରାତିରେ ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଉଭୟଙ୍କୁ ରମ୍ଭା ପୁଲିସ ଅଚେତ ଅବସ୍ଥାରେ ଉଦ୍ଧାର କରି ରମ୍ଭାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।
ଏହି ଖବର ପଢ଼ନ୍ତୁ: ଢାବାରୁ ବାଘଛାଲ ଜବତ, ଦୁଇ ରାଜସ୍ଥାନୀ ସମେତ ୭ ଗିରଫ
ପ୍ରାଥମିକ ଚିକିତ୍ସା ପରେ ଜେଜେମାଆ ଓ ନାତୁଣୀଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ବୃତ୍ତମାନେ ସେମାନଙ୍କୁ ଅଟୋରେ ଅପହରଣ କରିନେବା ନେବା ପରେ କିଛି ନିଶାଯୁକ୍ତ ଖାଦ୍ୟ ଖାଇବାକୁ ଦେଇ ନଚେତ୍ ନିଶାଦ୍ରବ୍ୟ ଶୁଙ୍ଘାଇ ଲୁଟ୍ କରିଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ କୁନ୍ତଳା ଓ ସୁଇଟି ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାରବର୍ଗ ଗତକାଲି ରାତି ୧୦ଟାରେ ଏକ ଏତଲା ଦେଇଥିଲେ। କିଛି ସମୟ ଉପରେ ସେମାନଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଥିଲା।
ଏହି ଖବର ପଢ଼ନ୍ତୁ: ଦେଶ-ବିଦେଶରେ ଓଡ଼ିଶାର ଆଦିବାସୀ ସଂସ୍କୃତି ପ୍ରଚାର କରିବା ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ