ରାଜଗାଂଗପୁର: ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକ ଅନ୍ତର୍ଗତ ଝିରପାଣି ଗ୍ରାମରେ ଘଟିଥିବା ବିଧବା ମହିଳାଙ୍କ ବୀଭତ୍ସ ହତ୍ୟା ଘଟଣାରେ ପୁଲିସ ସଫଳତା ପାଇଛି। ଡାହାଣୀ ସନ୍ଦେହକୁ କେନ୍ଦ୍ର କରି ଘଟିଥିବା ଏହି ନିର୍ମମ ହତ୍ୟାକାଣ୍ଡର ପର୍ଦାଫାସ କରି ପୁଲିସ ମୃତକାଙ୍କ ପୁତୁରାଙ୍କୁ ଗିରଫ କରିଛି।
ମୃତକା ସରୋଜିନୀ ଏକ୍କା, ଜଣେ ବିଧବା ମହିଳା। ଗତ କିଛିଦିନ ଧରି ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଡାହାଣୀ ସନ୍ଦେହକୁ ନେଇ ତନାତନି ଚାଲିଥିବା ସୂଚନା ମିଳିଛି। ଏହି ସନ୍ଦେହକୁ ଆଧାର କରି ପୁତୁରା ରାଗରେ ଆକ୍ରୋଶିତ ହୋଇ ସରୋଜିନୀ ଏକ୍କାଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ପୋଲିସ ତଦନ୍ତରେ ପ୍ରକାଶ ପାଇଛି।
ଆହୁରି ପଢ଼ନ୍ତୁ: Iran: ଖେମିନିଙ୍କ ହତ୍ୟା ପରେ ଇରାନ ରାଷ୍ଟ୍ରପତି ଓ ଅନ୍ୟ ୨ ନେତା ଅନ୍ତରୀଣ ସରକାରର ନେତୃତ୍ବ ନେବେ
ଘଟଣା ପ୍ରକାଶ ପାଇବା ପରେ କୁତ୍ରା ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଶବକୁ ଜବତ କରି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ବୈଜ୍ଞାନିକ ଦଳ ଓ ପୁଲିସ ଟିମ ତଦନ୍ତ ଆରମ୍ଭ କରି ବିଭିନ୍ନ ପ୍ରମାଣ ସଂଗ୍ରହ କରିଥିଲେ। ସନ୍ଦେହର ଆଧାରରେ ପୁତୁରାଙ୍କୁ ଧରି ପଚାରାଉଚାର କରାଯାଇଥିଲା, ଯାହା ପରେ ସେ ଅପରାଧ ସ୍ୱୀକାର କରିଥିବା ପୁଲିସ ସୂଚନା ଦେଇଛି। ଏହି ଘଟଣା ଗ୍ରାମରେ ଭୟ ଓ ଚଞ୍ଚଳତା ସୃଷ୍ଟି କରିଛି। ଡାହାଣୀ ସନ୍ଦେହ ଭଳି କୁସଂସ୍କାରକୁ ନେଇ ଏଭଳି ନିର୍ମମ ଘଟଣା ଘଟିଥିବାରୁ ସ୍ଥାନୀୟ ଲୋକମାନେ ଚିନ୍ତା ପ୍ରକାଶ କରିଛନ୍ତି। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ ପାଇଁ ପ୍ରସ୍ତୁତି ନେଉଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରହିଛି।
Follow Us