ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ବାଇକ୍ ଲୁଚାଇବା ସନ୍ଦେହରେ ହତ୍ୟା। ୪ ଜଣ ଯୁବକ ସଂଘବଦ୍ଧ ଭାବେ ଟେକି ନେଇ ମଶାଣିରେ ଜୀବନ ନେଲେ। ଶନିବାର ହେମଗିର ଥାନା ବରପାଲି ନ୍ୟୁପାଲି ଗାଁ ମଶାଣିରୁ ସୁମୁରା ଗାଁର ସତ୍ୟକାମ କୁଆଙ୍କ ଗଳିତ ଶବ ଉଦ୍ଧାର ମାମଲାର ପର୍ଦ୍ଦାଫାସ କରି ପୁଲିସ ଏହି ସୂଚନା ଦେଇଛି। ସୋମବାର ମାମଲାର ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ହତ୍ୟା ଅଭିଯୁକ୍ତମାନେ ହେଲେ ବରପାଲି ସୁନିଲ କାଲୋ (୨୫), ସରୋଜ ରାଉତ (୨୭), ଟିକିଲିପଡ଼ାର ଝସକେତନ ଲୁହୁରା (୨୦) ଓ ଲେଫ୍ରିପଡ଼ା ଥାନା କୁତୁର୍ମା ଗାଁର ବିବେକ ଲୁହୁରା (୨୦)।
ଝସକେତନ ଏମ୍ସିଏଲ୍ରେ ସୁରକ୍ଷାକର୍ମୀ ଭାବେ କାମ କରୁଥିବା ବେଳେ ଏମ୍ସିଏଲ୍ରେ ସରୋଜଙ୍କ ବଲେରୋ ନିୟୋଜିତ ରହିଛି। ବରପାଲିରେ ଘରଭଡ଼ା ନେଇ ପରିବା ବେପାର କରୁଥିବା ସତ୍ୟକାମ ବୃଦ୍ଧା ମା’ ରହୁଥିଲେ। ୪ ଦିନ ତଳେ ସେ ନିଖୋଜ ହୋଇଯାଇଥିଲେ। ପରିବାରଲୋକେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ମିଳି ନଥିଲା। ଶନିବାର ବରପାଲି ନ୍ୟୁପାଲି ମଶାଣିରେ ତାଙ୍କ ଗଳିତଶବ ପଡ଼ିଥିବା ଦେଖାଯାଇଥିଲା। ଗାଁରୁ ତାଙ୍କ ଭାଇ ଦୁର୍ଯୋଧନ ଭାଇ ଆସି ସତ୍ୟକାମକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ଏହାପରେ ପୁଲିସ ସାଇଣ୍ଟିଫିକ୍ ଦଳ ଓ ସନ୍ଧାନୀକୁକୁର ସାହାଯ୍ୟରେ ତଦନ୍ତ ଚଲାଇଥିବାବେଳେ ପାରିପାର୍ଶ୍ବିକ ସ୍ଥିତି ଓ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରିଥିଲା।
ଆହୁରି ପଢ଼ନ୍ତୁ: Sharad Pawar Health Update: ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା: ଶ୍ୱାସକ୍ରିୟାରେ ଅସୁବିଧା, ହସ୍ପିଟାଲରେ ଭର୍ତ୍ତି
ଉପଖଣ୍ଡ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ, କିଛି ଦିନ ତଳେ ବରପାଲି ଗାଁର ସୁନିଲ କାଲୋଙ୍କ ବାଇକ୍ ଖଣିରେ ହଜି ଯାଇଥିଲା। ହେଲେ ସେ ବାଇକ୍ ସତ୍ୟକାମ କେଉଁଠି ଲୁଚାଇ ଦେଇଥିବା ସନ୍ଦେହ କରିଥିଲେ। ଏହାକୁ ନେଇ ଫେବ୍ରୁଆରି ୪ ତାରିଖରେ ଅନ୍ୟ ଅଭିଯୁକ୍ତମାନଙ୍କ ସହ ଯାଇ ସତ୍ୟକାମଙ୍କୁ ବରପାଲି ବଜାରରେ ମାଡ଼ପିଟ କରିଥିଲେ। ସେଠାରୁ ତାକୁ ବାଇକ୍ରେ ବସାଇ ନ୍ୟୁପାଲି ମଶାଣିକୁ ନେଇ ଅତି ନିର୍ମମ ଭାବେ ଆକ୍ରମଣ କରିଥିଲେ। ସତ୍ୟକାମ ଗୁରୁତର ହୋଇଯିବାରୁ ସେହି ମଶାଣିରେ ଛାଡ଼ି ଚାଲି ଆସିଥିଲେ। ମଶାଣିକୁ ଯାତାୟତ ନଥିବାରୁ ୪ ଦିନ ତରେ ଶନିବାର ଅପରାହ୍ନରେ ଦୁର୍ଗନ୍ଧ ହେବା ଓ ଏକ ଗଳିତ ଶବ ପଡ଼ିଥିବା ଦେଖି କେହି ଜଣେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଆସି ସତ୍ୟକାମଙ୍କ ଭାଇଙ୍କୁ ଡକାଇଥିଲେ। ସେ ଘଟଣାସ୍ଥଳକୁ ଆସି ଶବ ସତ୍ୟକାମଙ୍କ ବୋଲି ଚିହ୍ନଟ କରିବା ସହ ହତ୍ୟା ଅଭିଯୋଗ ଆଣିଥିଲେ। ଏହା ପରେ ପୁଲିସ ତତ୍ପରତା ଦେଖାଇ ତନାଘନା ଚଲାଇଥିଲା।
Follow Us