Sand smuggling in Baisinga. Photograph: (sambad.in)
ବେତନଟୀ (ଦୀପକ କୁମାର ସିଂହ): ୧୮ ନମ୍ବର ଜାତୀୟ ରାଜପଥର ମୟୂରଭଂଜ ଜିଲ୍ଲା ତୁଳସୀଚଉରା ଢ଼ାବା ନିକଟରେ ଗତକାଲି ବାଲିମାଫିଆଙ୍କ ସଂଙ୍ଘବଦ୍ଧ ଆକ୍ରମଣରେ ବେତନଟୀ ତହସିଲଦାର ଓ ଚାଳକ ଆହତ ହୋଇଛନ୍ତି। ଏହି ଘଟଣା ସହିତ ଜଡ଼ିତ ୩ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ବଡ଼ସାହି ଥାନା ଅଧୀନ ବର୍ତ୍ତନା ଅଞ୍ଚଳର ପ୍ରଶାନ୍ତ ଗାଆଣ, ସୁଶାନ୍ତ ଗାଆଣ ଓ ବାରିପଦା ସୁନୁଗଡିଆ ଅଞ୍ଚଳର ମାଝାଲ ହୁସେନ l
ବେତନଟୀରେ ନୂଆକରି ଦାୟିତ୍ୱ ଗ୍ରହଣ କରିଥିବା ତହସିଲଦାର ଚନ୍ଦ୍ରଜିତ ବେହେରା ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜବତକରି ବେତନଟୀ ପୁଲିସକୁ ହସ୍ତାନ୍ତର କରିଥିଲେl ତହସିଲଦାରଙ୍କର ଏଭଳି କାର୍ଯ୍ୟାନୁଷ୍ଠାନରେ ବାଲି ମାଫିଆମାନେ ହ୍ରିଂସ ଦେଖାଯାଇଥିଲେ। ପ୍ରତିଶୋଧ ପରାୟଣ ହୋଇ ପାଖାପାଖି ୧୫ଜଣ ବାଲିମାଫିଆ ସଂଗଠିତ ହେବା ସହିତ ମଙ୍ଗଳବାର ସନ୍ଧ୍ୟା ୬ଟା ପାଖାପାଖି ସମୟରେ ୧୮ନଂ ଜାତୀୟ ରାଜପଥର ତୁଳସୀଚଉରା ଢ଼ାବା ନିକଟରେ ତହସିଲଦାର ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ଅଟକାଇ ସଂଘବଦ୍ଧ ଆକ୍ରମଣ କରିବା ସହିତ ଦୁର୍ବ୍ୟବହାର କରିଥିଲେl
ମାମଲା ରୁଜୁ, ତଦନ୍ତ ଜାରି
ଘଟଣାସ୍ଥଳରେ ବେତନଟୀ ପୁଲିସ ପହଁଚି ତହସିଲଦାରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇ ଚିକିତ୍ସା କରାଇଥିଲେl ତେବେ ଏନେଇ ବେତନଟୀ ତହସିଲଦାର ଚନ୍ଦ୍ରଜିତ ବେହେରା ବେତନଟୀ ଥାନାରେ ଦେଇଥିବା ଲିଖିତ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲାl
ଆହୁରି ପଢ଼ନ୍ତୁ: Attack: ତହସିଲଦାରଙ୍କୁ ଆକ୍ରମଣ ମାମଲାରେ ୨ ଅଭିଯୁକ୍ତ ଗିରଫ
ବିଳମ୍ବିତ ରାତିରେ ଚଢ଼ଉ
ଅନ୍ୟପଟେ ବେତନଟୀ ଏସଡ଼ିପିଓ ମିନତୀ ବିଶ୍ୱାଳଙ୍କ ନେତୃତ୍ୱରେ ବେତନଟୀ, ବଡ଼ସାହି ଓ ବୈଶିଙ୍ଗା ପୁଲିସର ଏକାଧିକ ଟିମ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତତକ୍ଷଣାତ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଦେଇଥିଲେ। ମାତ୍ର କେଇ ମିନିଟ ଭିତରେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବଡ଼ସାହି ଥାନା ବର୍ତ୍ତନା ଗ୍ରାମର ପ୍ରଶାନ୍ତ ଗାଆଣ ଓ ତାଙ୍କ ସହଯୋଗୀ ସୁଶାନ୍ତ ଗାଆଣଙ୍କୁ ବେତନଟୀ ପାଖ ଜଙ୍ଗଲ ଭିତରୁ ଗିରଫ କରିଥିଲାl ସେହିପରି ବିଳମ୍ବିତ ରାତିରେ ବାରିପଦା ଅଞ୍ଚଳରେ ଚଢ଼ଉ କରି ସାରା ମୟୂରଭଞ୍ଜ ଜିଲ୍ଲାର ବାଲି ମାଫିଆମାନଙ୍କର ମୁଖିଆ ସାଜିଥିବା ତଥା ମାଫିଆମାନଙ୍କର ଏକ ‘କିଙ୍ଗ ଅଫ୍ ମୟୂରଭଞ୍ଜ’ ନାମରେ ହ୍ୱାଟ୍ସଅପ ଗ୍ରୁପକୁ ପରିଚାଳନା କରୁଥିବା ବାରିପଦା ସୁନୁଗଡ଼ିଆ ଅଞ୍ଚଳର ମାଝାଲ ହୁସେନକୁ ପୁଲିସ ଗିରଫ କରିଥିଲାl ଆଜି ସନ୍ଧ୍ୟାରେ ବେତନଟୀ ପୁଲିସ ପକ୍ଷରୁ ୩ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଜାମିନ ନାମଞ୍ଜୁର କାରଣରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛିl ଏସଡିପିଓ ମାଝାଲ ହୁସେନର ମୋବାଇଲ ଜବତ ପୂର୍ବକ ସେଥିରେ ଥିବା ହ୍ଵାଟ୍ସଆପ ଗ୍ରୁପକୁ ନିରୀକ୍ଷଣ କରୁଛିl
ଆହୁରି ପଢ଼ନ୍ତୁ: MLA's vehicle accident: ବିଧାୟକଙ୍କ ଗାଡ଼ି ଧକ୍କାରେ ୨ ଗୁରୁତର: ଉତ୍ତ୍ୟକ୍ତ ଲୋକଙ୍କ ଉଦଳା-ବାରିପଦା ରାସ୍ତା ଅବରୋଧ
Follow Us