National Highway blocked by people after two persons killed in Kalahandi district. Photograph: (sambad.in)
ଧର୍ମଗଡ଼ (ବିରଞ୍ଚି ଜାଲ୍): ନିଜ ଟ୍ରାକ୍ଟର ଟ୍ରଲିକୁ ଉଦ୍ଧାର କରିବାକୁ ଯାଇ ଦୁଇ ମାଲିକ ଜୀବନ ହରାଇଛନ୍ତି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ ସୋମବାର ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ଲୁଟ୍ କରୁଥିବା ଲୁଟେରାମାନେ ଟ୍ରାକ୍ଟର ମାଲିକଙ୍କ ପୁଅ ଏବଂ ପୁତୁରାଙ୍କ ଉପରେ ଟ୍ରାକ୍ଟର ଚଢ଼ାଇଛନ୍ତି। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିମାନେ ହେଲେ ହରିଶଙ୍କର ଭଏସାଲ ଓ ସତ୍ୟମ ଭଏସାଲ।
ଘଟଣାରୁ ଜଣାଯାଏ ଯେ ସୋମବାର ବିଳମ୍ବିତ ରାତ୍ରିରେ ମେରଘରା ଗାଁର ମାଲିକ ଲାଲୁ ଭଏସାଲ ନିଜ ଟ୍ରାକ୍ଟର (ଓଡି ୦୮ କ୍ଯୁ ୯୭୫୩)ର ଟ୍ରଲିକୁ ନିଜ ଘରେ ରଖିଥିବା ବେଳେ କିଛି ଦୁର୍ବୁତ୍ତ ଏହାକୁ ଚୋରି କରିବାକୁ ଉଦ୍ୟମ କରିଥିଲେ। ଦୁର୍ବୃତ୍ତମାନେ ଟ୍ରଲିକୁ ଏକ ଟ୍ରାକ୍ଟର ଆଣି ଚୋରି କରି ନେଉଥିଲେ। ଏହି ସମୟରେ ପରିସ୍ରା କରିବାକୁ ବାହାରକୁ ବାହାରି ଥିବା ହରିଶଙ୍କର ଭଏସାଲ ନିଜ କାକାଙ୍କ ଟ୍ରାକ୍ଟରର ଟ୍ରାଲିକୁ ଅନ୍ୟ ଏକ ଟ୍ରାକ୍ଟର ନେଇଯାଉଥିବାର ଦେଖିଥିଲେ। ସେ ଟ୍ରାକ୍ଟର ମାଲିକଙ୍କ ସାନ ପୁଅ ସତ୍ୟମ ଭଏସାଲକୁ ସୂଚନା ଦେଇଥିଲେ। ପରେ ଦୁହେଁ ଏକ ବାଇକ୍ (ଓଡି ୦୮ ଏନ୍ ୬୫୨୨)ରେ ପିଛା କରି ତେନ୍ତୁଲିଆପଡା ଛକ ନିକଟରେ ଟ୍ରାକ୍ଟରକୁ ଅଟକାଇବାକୁ ଉଦ୍ୟମ କରିଥିଲେ। ତେବେ ଅନ୍ୟ ଉପାୟ ନପାଇ ଚୋରମାନେ ଦୁଇ ଜଣଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଇ ଫେରାର ହୋଇଯାଇଥିଲେ।
ରାଗିଗଲେ ଚୋର
ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିଲା ପରେ ଦୁଇ ଜଣଙ୍କୁ ଗୁରୁତର ଭାବରେ ଉଦ୍ଧାର କରି ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ। ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣକୁ ବୁର୍ଲା ସ୍ଥାନାନ୍ତର କରିଥିବା ବେଳେ କେସିଙ୍ଗା ନିକଟରେ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ଧର୍ମଗଡ଼ ଥାନାରେ ଏତଲା ଦେଇଛନ୍ତି। ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି।
ଆହୁରି ପଢ଼ନ୍ତୁ: Bihar Exit Poll: ବିହାରରେ ପୁଣି ଏନଡିଏ ସରକାର! ସାମ୍ନାକୁ ଆସିଲା ବୁଥ ବାହୁଡା ମତ
ଜାତୀୟ ରାଜପଥ ଅବରୋଧ
ପରିବାର ଲୋକେ ନ୍ୟାୟ ପ୍ରଦାନ ଦାବିରେ ଧର୍ମଗଡ ପେଟ୍ରୋଲ ଟ୍ୟାଙ୍କ ନିକଟରେ ଦୁଇଟି ଶବ ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ। ଅତିରିକ୍ତ ଉପଜିଲ୍ଲାପାଳ ଅଜୟ ପ୍ରକାଶ ତୀରକି, ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ, ଉପଖଣ୍ଡ ପୁଲିସ ଅଧିକାରୀ ଡୋଳାମାଣି ଭୋଇ ଘଟଣାସ୍ଥଳକୁ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଉଭୟ ପରିବାରକୁ ରେଡ୍କ୍ରସ, ହରିଶ୍ଚନ୍ଦ୍ର ଯୋଜନା ଓ ସରକାରଙ୍କ ଅନ୍ୟ ଯୋଜନା ଅନୁଯାୟୀ ସହଯୋଗ କରାଯିବା ବୋଲି ପ୍ରତିଶ୍ରୁତି ଦେଲାପରେ ମଧ୍ୟ ଆନ୍ଦୋଳନ ଜାରି ରହିଛି।
ଆହୁରି ପଢ଼ନ୍ତୁ: Delhi Red Fort Blast, Why November: କେବେ ଆତଙ୍କୀ ଆକ୍ରମଣ ତ କେବେ ବଡ଼ ବିସ୍ଫୋରଣ, ଦେଶ ପାଇଁ ଅଶୁଭ ‘ନଭେମ୍ବର’… ଜାଣନ୍ତୁ କେବେ ହୋଇଛି କଣ ?
Follow Us