Son Killed Father In UP Photograph: (sambad.in)
ନୂଆଦିଲ୍ଲୀ: ମିଛ କହି ବାପାକୁ ଡାକି ହତ୍ୟା କଲା ପୁଅ। ୟୁପିର ହାପୁରରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗଢ଼ କୋତୱାଲି ଅଞ୍ଚଳର ମାନକଚୌକ ଗାଁରେ ଚାଷୀ ତସବୀର ସିଂହଙ୍କୁ ତାଙ୍କ ନିଜ ନାବାଳକ ପୁଅ ଦୁଇ ବନ୍ଧୁଙ୍କ ସହ ମିଶି ହତ୍ୟା କରିଥିବା ଜଣାଯାଇଛି। ପ୍ରତି କଥାରେ ଗାଳି କରୁଥିବାରୁ ବିରକ୍ତ ହୋଇଯାଇଥିଲା ପୁଅ। ଏହି କାରଣରୁ ସେ ନିଜ ବାପାକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା ଜଣାଯାଇଛି। ପୁଲିସ ଏବେ ୨ସାଙ୍ଗଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପୁଅ ଫେରାର ହୋଇଯାଇଛି।
ସୂଚନା ମୁତାବକ, ଗଢ଼ କୋତୱାଲି ଅଞ୍ଚଳର ମାନକଚୌକ୍ ଗାଁର ବାସିନ୍ଦା ତସବୀର ସିଂହ ଜଣେ ସମୃଦ୍ଧ ଚାଷୀ ଥିଲେ। ୨୦ ସେପ୍ଟେମ୍ବର, ୨୦୨୫ ରେ ଅଜଣା ଲୋକମାନେ ତାଙ୍କୁ ଫୋନ୍ କରି ତାଙ୍କ ଫାର୍ମକୁ ଡାକିଥିଲେ। ତସବୀର ଫାର୍ମକୁ ଯିବା ପରେ ସେଠାରେ ଅଜଣା ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣାରେ ଗୁରୁତର ଆହତ ତସବୀର ସିଂହଙ୍କୁ ମିରଟର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା।
ଏଭଳି ହେଲା ଖୁଲାସା
ତସବୀରଙ୍କ ମୃତ୍ୟୁ ପରେ ତାଙ୍କୁ କିଏ ଗୁଳି କଲା, ତାହା ଜାଣିବା ପାଇଁ ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିଲା। ଅନେକ ଦିନ ବିତିବା ପରେ ବି ହତ୍ୟାକାରୀଙ୍କ ପାଖରେ ପହଞ୍ଚିପାରିନଥିଲା ପୁଲିସ। ଶେଷରେ ତସବୀରଙ୍କ ଫୋନକୁ କଲ୍ ଆସିଥିବା ନମ୍ବରକୁ ଟ୍ରେସ୍ କରିବା ପରେ ଅଭିଯୁକ୍ତ କିଏ, ତାହା ଜାଣିପାରିଥିଲା ପୁଲିସ।
ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତର ୨ସାଙ୍ଗ ଗିରଫ ହୋଇଥିବା ବେଳେ ପୂରା ଘଟଣା ବିଷୟରେ ଜଣାଇଛି ପୁଲିସ। ଦୁଷ୍ଟ ପିଲାଙ୍କ ସହ ମିଶୁଥିବାରୁ ତସବୀର ତାଙ୍କ ପୁଅକୁ ତାଗିଦ୍ କରୁଥିଲେ। କଥା ଶୁଣୁନଥିବାରୁ ସେପ୍ଟେମ୍ବର ୧୯ରେ ତସବୀର ନିଜ ପୁଅକୁ ମାଡ଼ ମାରିଥିଲେ। ଏଥିରେ ରାଗି ଯାଇ ଅଭିଯୁକ୍ତ ମଧ୍ୟ ନିଜ ବାପାଙ୍କୁ ମାଡ଼ ମାରିଥିଲା। ହେଲେ ଏହା ପରେ ବି ରାଗ ଶାନ୍ତ ନହେବାରୁ ସେ ନିଜର ୨ବନ୍ଧୁଙ୍କ ସହ ମିଶି ତସବୀରଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା।
କିଭଳି କରାଯାଇଥିଲା ହତ୍ୟା?
ଗିରଫ ୨ ଅଭିଯୁକ୍ତ କହିଛନ୍ତି ଯେ, ସେପ୍ଟେମ୍ବର ୨୦ତାରିଖ ଅପରାହ୍ନରେ, ସାଙ୍ଗ(ତସବୀର ସିଂହଙ୍କ ପୁଅ) କହିବାରୁ ଆମେ ମିଛ କହି ତସବୀର ମଉସାଙ୍କୁ ଫାର୍ମକୁ ଡାକିଥିଲୁ। ଫୋନ୍ କରି ଆମେ କହିଥିଲୁ, "ମଉସା, ତୁମ ପୁଅ ଆତ୍ମହତ୍ୟା କରିବାକୁ ଯାଉଛି। ଶୀଘ୍ର ଫାର୍ମକୁ ଆସନ୍ତୁ।" ଏହା ଶୁଣି ମଉସା ଫାର୍ମରେ ପହଞ୍ଚି ତାଙ୍କ ପୁଅକୁ ବୁଝାଇବାକୁ ଚେଷ୍ଟା କଲେ। ଏହି ଆମେ ତସବୀର ସିଂହଙ୍କୁ ଗୁଳି କରି ସେଠାରୁ ଫେରାର ହୋଇଯାଇଥିଲୁ।"
ଆହୁରି ପଢ଼ନ୍ତୁ: PK On Bihar Election Result: “ଫଳାଫଳ ପରଠାରୁ ନିଦ ନାହିଁ, ପୁଣି ଚେଷ୍ଟା କରିବୁ”: ପ୍ରଶାନ୍ତ କିଶୋର
ଆହୁରି ପଢ଼ନ୍ତୁ: Jajpur Old Man @94: ସାଇଁ ସାଇଁ ସାଇକେଲ ଚଲାଉଛନ୍ତି, ଧାଏଁ ଧାଏଁ ଧାନ କାଟୁଛନ୍ତି... ଫକୀର ମଉସାଙ୍କ ଆଗରେ ହାର ମାନିଯିବେ ଯୁବକ
Follow Us