Definition Of Conspiracy: ଷଡ଼୍‌ଯନ୍ତ୍ର: ଯେ ପାଞ୍ଚେ ପରର ମନ୍ଦ….

ଷଡ଼୍‌ଯନ୍ତ୍ର ହେଉଛି, ଛଅଟା ଯନ୍ତ୍ରର ସମାହାର। ଅନ୍ୟର କ୍ଷତି କରିବା ବା ପ୍ରତିଶୋଧ ନେବା ପାଇଁ ଯେଉଁ ଯୋଜନା କରାଯାଏ, ଯେଉଁ ଛଳନା ଓ କୂଟକୌଶଳ ଇତ୍ୟାଦିର ସାହାଯ୍ୟ ନିଆଯାଏ, ତାକୁ ଷଡ଼୍‌ଯନ୍ତ୍ର କୁହାଯାଏ।

New Project (12)

defination of conspiracy Photograph: (Sambad.in)

ଦୁଇ ସାହିତ୍ୟିକ ବନ୍ଧୁ ଚା ଖଟିରେ ବସି କଥା ହେଉଛନ୍ତି। ଚା ଦୋକାନୀ ସେମାନଙ୍କୁ ସକାଳର ଖବରକାଗଜଟି ଧରାଇଦେଇ କହିଲା, ଏଇଟା ଦେଖୁଥାନ୍ତୁ, ମୁଁ ତ ଏବେ ଦୋକାନ ଖୋଲିଲି, ଚା ଫୁଟିବାକୁ ଟିକେ ସମୟ ଲାଗିବ। ଅବନିବାବୁ ଖବରକାଗଜର ଗୋଟିଏ ଶିରୋନାମରେ ଥିବା ଏକ ଶବ୍ଦକୁ ଦେଖାଇ କହିଲେ, ଗୋପାଳବାବୁ କୁହନ୍ତୁ ତ ଏ ଶବ୍ଦଟି ଠିକ୍ ଅଛି?
ଗୋପାଳବାବୁ- କାଇଁ ଭୁଲ୍ ତ କିଛି ନାହିଁ? ହଁ, ‘ଷଡ଼୍‌ଯନ୍ତ୍ର’ ଶବ୍ଦର ମଝିରେ ଯେଉଁ ହଳନ୍ତଟା ଦିଆଯାଇଛି, ତାକୁ ନେଇ ଆପତ୍ତି କରୁଛନ୍ତି କି?
ଅବନିବାବୁ- ହଁ, ଏହା ଏକ ବହୁପ୍ରଚଳିତ ଶବ୍ଦ। ହଳନ୍ତ ତ ଆମେ କେବେ ଦଉନା। ହଳନ୍ତ ଦବା ଉଚିତ ନା ନାହିଁ?
ଗୋପାଳବାବୁ- ମୋ ଜାଣିବାରେ ଷଡ଼୍‌ଯନ୍ତ୍ର ଶବ୍ଦଟି ଷଟ୍‌+ଯନ୍ତ୍ରରୁ ସୃଷ୍ଟି ହୋଇଛି। ତେଣୁ ହଳନ୍ତ ଦେବା ଠିକ୍। କିନ୍ତୁ କଥିତ ଭାଷାରେ ବିନା ହଳନ୍ତରେ ବହୁପ୍ରଚଳନ ଥିବାରୁ ତାହା ବି ଠିକ୍। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଦୁଇଟା ଯାକ ଅଛି। 
ଅବନିବାବୁ- ତା’ ମାନେ ଷଡ଼୍‌ଯନ୍ତ୍ର ହେଉଛି, ଛଅଟା ଯନ୍ତ୍ରର ସମାହାର। କିନ୍ତୁ ସେ ଛଅଟା ଯନ୍ତ୍ର କ’ଣ? ଆମେ ତ ତାକୁ ଭିନ୍ନ ଅର୍ଥରେ ବ୍ୟବହାର କରୁଛୁ।
ଗୋପାଳବାବୁ- ମୁଁ ଯେତିକି ଜାଣିଥିଲି କହିଲି। ଅଧିକ ମୋତେ ଜଣାନାହିଁ।
ଏହି ସମୟରେ ମାଗୁଣି ପଣ୍ଡିତେ ପହଞ୍ଚିବାରୁ ଗୋପାଳବାବୁ କହିଲେ- ହେଇ ପଣ୍ଡିତେ ଆସିଲେଣି। ତାଙ୍କୁ ପଚାରିଲେ ସେ ହୁଏତ କହିପାରିବେ। ସେ କେବଳ ଜ୍ୟୋତିଷଶାସ୍ତ୍ର ନୁହେଁ, ବ୍ୟାକରଣ ଶାସ୍ତ୍ର ଓ ଧର୍ମଶାସ୍ତ୍ରରେ ବି ଧୂରୀଣ। ଏହି ସମୟରେ ଦୋକାନୀ ସମସ୍ତଙ୍କୁ ମାଟି କପ୍‌ରେ କପେ ଲେଖାଁ ଚା ଧରେଇଦେଲା।
ପ୍ରଶ୍ନ ଶୁଣି ମାଗୁଣି ପଣ୍ଡିତେ କହିଲେ- ଅନ୍ୟର କ୍ଷତି କରିବା ବା ପ୍ରତିଶୋଧ ନେବା ପାଇଁ ଯେଉଁ ଯୋଜନା କରାଯାଏ, ଯେଉଁ ଛଳନା ଓ କୂଟକୌଶଳ ଇତ୍ୟାଦିର ସାହାଯ୍ୟ ନିଆଯାଏ, ତାକୁ ଷଡ଼୍‌ଯନ୍ତ୍ର କୁହାଯାଏ। ଆଜିକାଲି ଲୋକେ ଏଥିପାଇଁ ଭଡ଼ାଟିଆ ଗୁଣ୍ଡା ଲଗାଉଛନ୍ତି। ଆଗକାଳରେ ତାନ୍ତ୍ରିକର ସାହାଯ୍ୟ ନିଆଯାଉଥିଲା। ଆଜିକାଲି ବି କାଁଭାଁ ତନ୍ତ୍ରପ୍ରୟୋଗ କରାଯାଉଥିବା ନେଇ ଖବର ମିଳେ। ତନ୍ତ୍ରଶାସ୍ତ୍ରରେ ଛଅ ପ୍ରକାର ଆଭିଚାରିକ କର୍ମ ବିଷୟରେ କୁହାଯାଇଛି, ଯାହାଦ୍ବାରା ଅନ୍ୟକୁ ଦୁଃଖ ଓ ପୀଡ଼ା ଦିଆଯାଇପାରିବ। ଶତ୍ରୁମାନଙ୍କ ଉପରେ ଦାଉ ସାଧିବା ପାଇଁ, ସେମାନଙ୍କୁ ହତ୍ୟା କରିବା ପାଇଁ କିମ୍ବା ବିଶେଷ କଷ୍ଟ ପହଞ୍ଚାଇବା ପାଇଁ ଏସବୁ କଳାଯାଦୁର ସାହାଯ୍ୟ ନିଆଯାଏ। ଉକ୍ତ ଛଅ ପ୍ରକାର ଆଭିଚାରିକ କର୍ମ ହେଉଛି: ମାରଣ, ମୋହନ, ବଶୀକରଣ, ସ୍ତମ୍ଭନ, ବିଦ୍ବେଷଣ ଓ ଉଚ୍ଚାଟନ। କାହା ଉପରେ ପ୍ରତିଶୋଧ ନେବା ପାଇଁ କିମ୍ବା ନିଜର ହୀନ ସ୍ବାର୍ଥ ସାଧନ ପାଇଁ ମନ୍ଦବୁଦ୍ଧିର ଲୋକମାନେ ଏ ପ୍ରକାର ତାନ୍ତ୍ରିକ ପ୍ରୟୋଗ କରିଥାନ୍ତି। ଉକ୍ତ ଛଅ ପ୍ରକାର ସାଧନକୁ ଛଅଟି ଯନ୍ତ୍ର ବି କୁହାଯାଇଥାଏ। ଷଡ଼୍‌ଯନ୍ତ୍ର ଶବ୍ଦଟି ଏଇଥିରୁ ସୃଷ୍ଟି ହୋଇଛି। ଷଟ୍‌ (ଛଅ) + ଯନ୍ତ୍ର (ସାଧନ) = ଷଡ଼୍‌ଯନ୍ତ୍ର। ସନ୍ଧିର ନିୟମ ଅନୁସାରେ ଟ୍‌ ଜାଗାରେ ଡ୍‌ ହୋଇଛି। ଶବ୍ଦର ମଝିରେ ଥିବାରୁ ଏହା ବିନ୍ଦୁଯୁକ୍ତ ଡ଼ (ଅବର୍ଗ୍ୟ) ହୋଇଛି। 
ଅବନିବାବୁ- ଏତେ କଥା ୟା ଭିତରେ ଅଛି? ଆମେ ଆଜି ଗୋଟିଏ ନୂଆକଥା ଆପଣଙ୍କଠାରୁ ଜାଣିଲୁ। 
ପଣ୍ଡିତେ- ଖାଲି ସେତିକି ନୁହେଁ। ଆମେ ସାମାନ୍ୟ ମାଛ ଧରିବା ପାଇଁ ବି ଷଡ଼୍‌ଯନ୍ତ୍ର କରୁ। ଆମେ ନଈ, ପୋଖରୀ ବା ନାଳରୁ ମାଛ ଧରିବା ପାଇଁ ଯେଉଁ ବନିଶୀ ବ୍ୟବହାର କରୁ ତାହା ଆଉ କ’ଣ କି, ଏକ ଷଡ଼୍‌ଯନ୍ତ୍ର, ମାନେ ଛଅଟା ଯନ୍ତ୍ରର ସମାହାର। ବନିଶୀଟିଏ ତିଆରି କରିବା ପାଇଁ ପ୍ରଥମେ ଦରକାର ଗୋଟିଏ ବନିଶୀ ଖଡ଼ା ବା ଲାଠି ବା ଲମ୍ବା ଓ ମୋଟା ଚଞ୍ଛା ବାଉଁଶ କଣି। ସେଥିରେ ଆମେ ଗୋଟିଏ ଡୋରି ବା ସୂତା ବାନ୍ଧିଦେଉ। ଡୋର ଅଗରେ ଗୋଟିଏ ବଙ୍କା କଣ୍ଟା ଲଗାଉ। ଡୋରଟା ପାଣିରେ ବୁଡ଼ିବା ପାଇଁ ଗୋଟିଏ ସୀସା ବାନ୍ଧୁ। ପୁଣି ଡୋର ପୂରା ପୋଖରୀର ତଳଦେଶକୁ ଚାଲି ନ ଯାଇ କିଛି ଅଂଶ ଉପରେ ଭାସିବା ପାଇଁ ସେଥିରେ ‌ଅଗରୁ ହାତେ ଦେଢ଼ହାତ ଛାଡ଼ି ଗୋଟିଏ ତେରେଣ୍ଡା ବା ସୋଲ ବାନ୍ଧିଦେଉ। ଇଏ ହେଲା ୫ଟି ଯନ୍ତ୍ର - ଲାଠି, ଡୋର, କଣ୍ଟା, ସୀସା ଓ ତେରେଣ୍ଡା। ବାକି ଷଷ୍ଠ ଯନ୍ତ୍ରଟି ହେଉଛି ‌ମାଛମାନଙ୍କୁ ପ୍ରଲୋଭିତ କରିବା ପାଇଁ ଉଦ୍ଦିଷ୍ଟ ଥୋପ ବା ଜିଅଳ। ସାମାନ୍ୟ ମାଛ ଧରିବା ପାଇଁ ଛଳକପଟର ଆଶ୍ରୟ ନେବାକୁ ପଡ଼ୁଛି, ଷଡ଼୍‌ଯନ୍ତ୍ର ରଚିବାକୁ ପଡ଼ୁଛି। ସେହିପରି ବଡ଼ ବଡ଼ ଶତ୍ରୁଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଆମକୁ ବଳର ଅଭାବ ଥିଲେ ଛଳର ବା କୂଟକୌଶଳର ସାହାଯ୍ୟ ନେବାକୁ ପଡ଼ିଥାଏ, ଷଡ଼୍‌ଯନ୍ତ୍ର ରଚିବାକୁ ପଡ଼ିଥାଏ। କିନ୍ତୁ ଷଡ଼୍‌ଯନ୍ତ୍ର କେବେ ବି ନ୍ୟାୟସଂଗତ ବା ଧର୍ମସଂଗତ ନୁହେଁ। ଏହା ଅଧର୍ମ, ଅନ୍ୟାୟ ଓ ଅପରାଧ। ଧରାପଡ଼ିଲେ ଜେଲଦଣ୍ଡ ଭୋଗିବାକୁ ପଡ଼ିପାରେ।

ଆହୁରି ପଢ଼ନ୍ତୁ: Associate Of Main Accused Bikram Panda ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନଙ୍କୁ ଛାଡ଼ିଲା ପୁଲିସ 
ଗୋପାଳବାବୁ- ବାଃ! ଚମତ୍କାର କଥା କହିଲେ। କିନ୍ତୁ ଷଡ଼୍‌ଯନ୍ତ୍ରକାରୀ ଧରା ନ ପଡ଼ି ବି ପାରେ।
ପଣ୍ଡିତେ- ଆମେ ଯେତେବେଳେ ନ୍ୟାୟ-ଧର୍ମର ବିରୁଦ୍ଧାଚରଣ କରି ଅନ୍ୟ ବିରୋଧରେ ଷଡ଼୍‌ଯନ୍ତ୍ର କରୁ, ସେତେବେଳେ ଭଗବାନ୍ ବି ଆମ ବିରୋଧରେ ଷଡ଼୍‌ଯନ୍ତ୍ରକୁ ସକ୍ରିୟ କରିଦେଇଥାନ୍ତି। ଯେ ପାଞ୍ଚେ ପରର ମନ୍ଦ, ତା’ ମନ୍ଦ ପାଞ୍ଚନ୍ତି ଗୋବିନ୍ଦ।
ଅବନିବାକୁ- ହଁ, ଭଗବାନ୍ ବି ଷଡ଼୍‌ଯନ୍ତ୍ର କରିଥାନ୍ତି? ସେ କି ପ୍ରକାର ଷଡ଼୍‌ଯନ୍ତ୍ର?
ପଣ୍ଡିତେ- ଭଗବାନଙ୍କ ଷଡ଼୍‌ଯନ୍ତ୍ର ସମସ୍ତଙ୍କ ଭିତରେ ଖଞ୍ଜା ହୋଇଛି। ସେଗୁଡ଼ିକ ହେଉଛି- କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମାତ୍ସର୍ଯ୍ୟ। ଏହାକୁ ଷଡ଼୍‌ରିପୁ ମଧ୍ୟ କୁହାଯାଏ। ଯିଏ ଅନ୍ୟ ପାଇଁ ଷଡ଼୍‌ଯନ୍ତ୍ର କରେ ସେ ନିଜର ଏହି ଷଡ଼୍‌ରିପୁକୁ ଦମନ ବା ନିୟନ୍ତ୍ରଣ କରିପାରି ନ ଥାଏ। ଶାସ୍ତ୍ରରେ ଅଛି- 
କୁରଙ୍ଗମାତଙ୍ଗପତଙ୍ଗଭୃଙ୍ଗମୀନାଃ ହତାଃ ପଞ୍ଚଭିରେବ ପଞ୍ଚ।
ଏକଃ ପ୍ରମାଦୀ ସ କଥଂ ନ ହନ୍ୟତେ ଯଃ ସେବତେ ପଞ୍ଚଭିରେବ ପଞ୍ଚ।।
କୁରଙ୍ଗ ମାନେ ହରିଣ, ମାତଙ୍ଗ ମାନେ ହାତୀ, ପତଙ୍ଗ ମାନେ ପଡ଼ି ପଡ଼ି ଗତି କରୁଥିବା ପ୍ରାଣୀ, ଭୃଙ୍ଗ ମାନେ ଭ୍ରମର ଓ ମୀନ ମାନେ ମାଛ- ଏମାନେ ଗୋଟିଏ ଗୋଟିଏ ଇନ୍ଦିୟର ବଶୀଭୂତ ହୋଇ ବିନଷ୍ଟ ହୁଅନ୍ତି। ଯେଉଁ ମନୁଷ୍ୟ ଏକାଦିକ୍ରମେ ୫ଟା ଯାକ ଇନ୍ଦିୟର ବଶୀଭୂତ, ତା’ର ଅବସ୍ଥା କ’ଣ ନ ହେବ? 

ଆହୁରି ପଢ଼ନ୍ତୁ:New Rule Of Bmc: ବିଏମସିର ନୂଆ ନିୟମ: ଏଣିକି ମନ ଇଚ୍ଛା ରାସ୍ତାକଡ଼ରେ ବ୍ୟବସାୟ କରିପାରିବେନି ଉଠା ଦୋକାନୀ
ଗୋପାଳବାବୁ- ଏମାନେ କିପରି ଗୋଟିଏ ଗୋଟିଏ ଇନ୍ଦିୟର ବଶୀଭୂତ ହୋଇ ମରନ୍ତି?
ପଣ୍ଡିତେ- ହରିଣ ଶିକାର କରିବା ପାଇଁ ଶିକାରୀ ଗଛ ଉପରେ ବା ଆଢ଼ୁଆଳରେ ରହି ସୁନ୍ଦର ସ୍ବରରେ ବଂଶୀବାଦନ କରେ। ତା’ର ସେ ଗୀତ ଶୁଣିବା ପାଇଁ ହରିଣ ଯେତେବେଳେ ନିକଟତର ହୁଏ, ଶିକାରୀ ବାଣ ଛାଡ଼େ। ଶ୍ରବଣେନ୍ଦ୍ରିୟର ବଶୀଭୂତ ହୋଇ ହରିଣର ମୃତ୍ୟୁ ହୁଏ। ଦନ୍ତାହାତୀକୁ ଧରିବା ପାଇଁ ସର୍କସବାଲା ଜଙ୍ଗଲରେ ଗୋଟିଏ ବଡ଼ ଗାତ ଖୋଳି କିମ୍ବା ବଡ଼ ଯନ୍ତା ବସାଇ ତା’ ଭିତରେ ପୋଷା ମାଈ ହାତୀଟିଏ ଛାଡ଼ିଦିଅନ୍ତି। ଦନ୍ତାହାତୀ ତା’ର ସଙ୍ଗସୁଖ ଲାଭ କରିବାପାଇଁ ଆସି ଗାତରେ ବା ଯନ୍ତାରେ ଧରାପଡ଼େ ଓ ସବୁଦିନ ପାଇଁ ନିଜର ସ୍ବାଧୀନତା ହରାଏ କିମ୍ବା ଦାନ୍ତ ହରାଏ କିମ୍ବା ମରେ। କେବଳ ସ୍ପର୍ଶେନ୍ଦ୍ରିୟର ବଶୀଭୂତ ହେବାରୁ ତା’ର ଏପରି ଦଶା ହୁଏ। ଅଗ୍ନିଶିଖାକୁ ଦେଖି ତା’ର ରୂପରେ ଆକୃଷ୍ଟ ହୋଇ ପତଙ୍ଗ ସେଥିରେ ପଡ଼ି ମରେ- ‘ଅନଳ ଦେଖିଣ ପତଙ୍ଗ, ଯେହ୍ନେ ଧାମନ୍ତି ଉଦବେଗ’। ଦର୍ଶନେନ୍ଦ୍ରିୟର ବଶୀଭୂତ ହୋଇ ତା’ର ଏପରି ଅବସ୍ଥା ହୁଏ। ଭୃଙ୍ଗ ବା ଭ୍ରମର ପଦ୍ମଫୁଲରୁ ପୁଷ୍ପମଧୁ ସଂଗ୍ରହ କରୁକରୁ ସନ୍ଧ୍ୟା ପରେ ପଦ୍ମଫୁଲ ମୁଦି ହୋଇଗଲେ ତା’ ଭିତରେ ଅଣନିଃଶ୍ବାସୀ ହୋଇ ମରେ। ଘ୍ରାଣେନ୍ଦ୍ରିୟର ବଶୀଭୂତ ହୋଇ ତା’ର ଏପରି ଅବସ୍ଥା ହୁଏ। ମୀନ ବା ମାଛ ସେହିପରି ମଣିଷର ‘ଷଡ଼୍‌ଯନ୍ତ୍ର’ ବନିଶୀରେ ଲଗା ହୋଇଥିବା ଥୋପ ଗିଳି ମଣିଷର ଶିକାର ହୁଏ। ରସନେନ୍ଦ୍ରିୟର ବଶୀଭୂତ ହେବା ଯୋଗୁ ସେ ମରେ। ତେଣୁ ଯେଉଁ ମନୁଷ୍ୟ ପଞ୍ଚେନ୍ଦିୟର ବଶୀଭୂତ ଏବଂ ଯିଏ କାମ, କ୍ରୋଧାଦି ଷଡ଼୍‌ରିପୁକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ତା’ର ଅବସ୍ଥା କଳ୍ପନୀୟ। ଏ ଇନ୍ଦିୟ ଓ ରିପୁଗୁଡ଼ିକ ତ ଭଗବାନ୍ ଆମକୁ ଦେଇଛନ୍ତି ନା? 
ଗୋପାଳବାବୁ- ତା’ହେଲେ ଭଗବାନ୍ ତ ଅନ୍ୟାୟ କରିଛନ୍ତି?

ଭଗବାନ୍ କେବେ କାହା ପ୍ରତି ଅନ୍ୟାୟ କରି ନ ଥାନ୍ତି

ପଣ୍ଡିତେ- ଭଗବାନ୍ କେବେ କାହା ପ୍ରତି ଅନ୍ୟାୟ କରି ନ ଥାନ୍ତି। ଏଗୁଡ଼ିକ ମଣିଷର ଭଲ ପାଇଁ ଭଗବାନ୍ ଦେଇଛନ୍ତି। ମଣିଷ ତା’ର ସଦୁପଯୋଗ କରିବା ଦରକାର। ଉଦାହରଣସ୍ବରୂପ କାମ ନ ଥିଲେ ବଂଶବୃଦ୍ଧି ହେବ ନାହିଁ। କିନ୍ତୁ ଏଥିପ୍ରତି ଅତ୍ୟଧିକ ଆସକ୍ତି ମଣିଷ ପାଇଁ ଦୁଃଖ ଆଣିଦେଇଥାଏ। ଭଗବାନ୍ ଗୀତାରେ କହିଛନ୍ତି- ଧର୍ମାବିରୁଦ୍ଧ ଭୂତେଷୁ କାମୋଽସ୍ମି ଭରତର୍ଷଭ। ଅର୍ଥତ୍ ହେ ଅର୍ଜୁନ! ଧର୍ମର ଅବିରୁଦ୍ଧ ଯେଉଁ କାମ, ମୁଁ ହଉଚି ସେଇ। ସେହିପରି କ୍ରୋଧ ନ ଥିଲେ ଆପଣଙ୍କୁ କେହି ମାନିବେ ନାହିଁ। ଦରକାର ପଡ଼ିଲେ ଫଁ କରିବାକୁ ବି ପରାମର୍ଶ ଦିଆଯାଇଛି। କାମକ୍ରୋଧାଦି ଷଡ଼୍‌ରିପୁକୁ ଆମେ ନିଜ ମିତ୍ର ଭାବରେ ବି ବ୍ୟବହାର କରିପାରିବା। କେବଳ ଦରକାର ନିୟନ୍ତ୍ରଣ। ବାସ୍ତବରେ ଈଶ୍ବର କେବେ କାହାର ମନ୍ଦ ପାଞ୍ଚନ୍ତି ନାହିଁ। କିନ୍ତୁ ମଣିଷ ଯେତେବେଳେ ଅନ୍ୟର ଅମଙ୍ଗଳ କରେ ବା ପାଞ୍ଚେ, ସେତେବେଳେ ସେ କୁବୁଦ୍ଧି ଓ ଦୁଷ୍ପ୍ରବୃତ୍ତି ଦ୍ବାରା ପରିଚାଳିତ ହୁଏ। ସେହି ଦୁଷ୍ପ୍ରବୃତ୍ତି ହିଁ ତା’ ନିଜର ଅମଙ୍ଗଳର କାରଣ ହୁଏ। ମଣିଷ ଯଦି ଈଶ୍ବରନିଷ୍ଠ ହୁଏ, ଗୁରୁନିଷ୍ଠ ହୁଏ, ତେବେ ସେ ଅନାୟାସରେ ଏ ଷଡ଼୍‌ରିପୁ ଓ ବୃତ୍ତିପ୍ରବୃତ୍ତି କବଳରୁ ରକ୍ଷା ପାଇପାରେ। ସେ ସେଗୁଡ଼ିକୁ ମଙ୍ଗଳରେ ବିନିଯୋଗ କରିପାରେ। 
ଅବନିବାବୁ- ଆଜି ଗୋଟିଏ ଭଲ ଶିକ୍ଷା ମିଳିଲା। ଧନ୍ୟବାଦ ପଣ୍ଡିତ ମହାଶୟ।
ଗୋପାଳବାବୁ ଚାଦୋକାନୀଙ୍କୁ ସମସ୍ତଙ୍କ ପାଇଁ ପଇସା ଦେବା ପରେ ସଭିଏଁ ବିଦାୟ ନେଲେ। 
                                                                                               -ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ- ୭୦୦୮୯୬୦୫୦୨

special story

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe