ଯାଜପୁର: ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ରଗଡ଼ିରେ ଥିବା ଯାଜପୁର ରୋଡ଼ ଉପକାରାଗାରରେ ଆଜି ପୁଣି ୧୦୧ ଜଣ ଅନ୍ତେବାସୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଠାରେ ଗତକାଲି ଆଣ୍ଟିଜେନ ପରୀକ୍ଷା ସମୟରେ ୧୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଦୁଇ ଦିନ ମଧ୍ୟରେ ଜେଲର କର୍ମଚାରୀ ଓ ଅନ୍ତେବାସୀଙ୍କୁ ମିଶାଇ ୨୧୨ ଜଣଙ୍କର ନମୁନା ପରୀକ୍ଷା ହୋଇଛି। ଜେଲର ୧୧୨ ଜଣ ଅନ୍ତେବାସୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ କୌଣସି କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇନାହାନ୍ତି। ଆକ୍ରାନ୍ତମାନଙ୍କୁ ଜେଲରେ ଥିବା ଆଇସୋଲେସନରେ ରଖାଯାଇଛି।

Advertisment

କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ହିମାଂଶୁ କୁମାରଙ୍କ ନେତୃତ୍ୱରେ ଏହି ପରୀକ୍ଷା କରାଯାଇଥିଲା। ମାତ୍ର ୨ ଦିନ ମଧ୍ୟରେ ଜେଲ ପରିସରରୁ ଶତାଧିକ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅନ୍ୟମାନେ ଭୟର ବାତାବରଣ ଖେଳିଯାଇଛି।

‘ସମ୍ବାଦ’କୁ ସୂଚନା ଦେଇ  ସିଡିଏମଓ ସୁଧାଂଶୁ ଶେଖର ବଳ କହିଛନ୍ତି,  ଯେହେତୁ ଏତେ ସଂଖ୍ୟକ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି,ତେଣୁ  ସୁରକ୍ଷା ଦିଗରୁ ସେମାନଙ୍କୁ ନେଇ ଅନ୍ୟକେଉଁଠାରେ ରଖିବା ସମ୍ଭବ ନୁହେଁ। ତେଣୁ ଜେଲ ପ୍ରଶାସନ ଏହାର ବ୍ୟବସ୍ଥା କରିବେ। ବର୍ତ୍ତମାନ ଆକ୍ରାନ୍ତଙ୍କୁ ଜେଲରେ  ଆଇସୋଲେସନରେ ରଖାଯାଇଛି।

publive-image Photo: Sambad, Jajpur

ତଳଗଡ଼ ପଂଚାୟତରେ ଆଜି ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ। ଏଥି ସହିତ ଏହି ପଂଚାୟତରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଂଚିଛି। ଆକ୍ରାନ୍ତଙ୍କ ମଧ୍ୟରେ କଣ୍ଟାଝରିଗଡ଼ ଗ୍ରାମରୁ ସର୍ବାଧିକ ୧୧ ଜଣ ଆକ୍ର୍ରାନ୍ତ ଅଛନ୍ତି।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ୨୫୭୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୮୭୦ ଜଣ ସୁସ୍ଥ ହୋଇଥିବା ବେଳେ ୭୦୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କରୋନା ଭାଇରସରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଜଣଙ୍କର ମୃତ୍ୟୁ ହୋଇଛି।