ରାଉରକେଲା/କୁଆରମୁଣ୍ଡା: କୁଆରମୁଣ୍ଡା ଚାର୍ଡିହରିହରପୁରସ୍ଥ ଆଧୁନିକ ମେଟାଲିକ୍ସ କାରଖାନାରେ ଦୁର୍ଘଟଣା ଘଟି ଶ୍ରମିକଙ୍କ ଜୀବନଯାଇଛି। ମୃତ ଶ୍ରମିକ ହେଲେ ବୀରମିତ୍ରପୁର ଅଞ୍ଚଳର ଭାଗିରଥ ହଂସ (୪୫)।

Advertisment

ସେ କାରଖାନାର ଡିଆର୍‌ଆଇ ପ୍ଲାଣ୍ଟର ପାଉଁଶ ସଫେଇ କାମ କରୁଥିଲେ। ହଠାତ୍‌ ଗରମ ପାଉଁଶ ତାଙ୍କ ଉପରେ ଢାଳି ହୋଇପଡ଼ିଥିଲା। ସେଠାରେ କାମ କରୁଥିବା ଅନ୍ୟ ଶ୍ରମିକମାନେ ଅଳ୍ପକେ ବର୍ତ୍ତିଯାଇଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌) ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରର ୯୦% ଜଳିଯାଇଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେକ୍ଟର-୧୯ ପୁଲିସ ଶବଜବତ କରିଛି।

ଘଟଣାକୁ ନେଇ ମୃତକଙ୍କ ପତ୍ନୀ ସରସ୍ବତୀ ହଂସ ବୀରମିତ୍ରପୁର ଥାନାରେ ଲିଖିତ ଏତଲା ଦେଇଛନ୍ତି। ସୁରକ୍ଷା ଅଭାବରୁ ତାଙ୍କର ସ୍ବାମୀଙ୍କ ଜୀବନ ଚାଲିଗଲା। ଏଥିପାଇଁ ଯେଉଁ ଅଧିକାରୀ ଦାୟୀ, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତଦନ୍ତୀ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜିଲ୍ଲାର କାରଖାନାଗୁଡ଼ିକରେ ଶ୍ରମିକ ସୁରକ୍ଷାକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇବେ ବୋଲି କହିଛନ୍ତି।

ଅଧିକ ପଢ଼ନ୍ତୁ: ଚାପିଦେଲା ଟ୍ରେଲର: ଯୁବକ ମୃତ, ଶବ ରଖି ଲୋକଙ୍କ ରାସ୍ତାରୋକ

ଆଧୁନିକ ମେଟାଲିକ୍ସ ୱାର୍କର୍ସ ୟୁନିୟନ୍‌ର ଉପଦେଷ୍ଟା ତଥା ବିଏମ୍‌ଏସ୍‌ର ରାଜ୍ୟ ସମ୍ପାଦକ ହିମାଂଶୁ ବଳ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୁରକ୍ଷା ବ୍ୟବସ୍ଥାର ଢିଲାପଣ ଯୋଗୁ କାରଖାନା‌ରେ ଏମିତି ବାରମ୍ବାର ଦୁର୍ଘଟଣା ଘଟୁଛି। ନିରୀହ ଶ୍ରମିକଙ୍କ ଜୀବନ ଯାଉଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ:ଗ୍ରାମ୍ୟ ନିର୍ମାଣ ବିଭାଗ ପ୍ରକଳ୍ପରେ ଶିଥିଳତା: ତିନି ବର୍ଷରେ ତିଆରି ହୋଇଛି ୩୪୫.୧୩୮ କିଲୋମିଟର ରାସ୍ତା, ୧ ସେତୁ, ୨୧ ପୋଲ