ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଶିକ୍ଷା ବିଭାଗର ଅବସ୍ଥା ଅତି ଖରାପ ହୋଇପଡ଼ିଛି । ଇତି ମଧ୍ୟରେ ସ୍କୁଲ ପିଲାଙ୍କୁ ପୋଷାକ ବଣ୍ଟନ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ବର୍ଷ ସରିବାକୁ ବସିଲାଣି,କିନ୍ତୁ ଏବେ ବି ୪୦ ପ୍ରତିଶତ ସ୍କୁଲ ପିଲା ପୋଷାକ ପାଇବାରୁ ବଞ୍ଚିତ ହୋଇଛନ୍ତି। ବିଭାଗ କାଗଜ କଲମରେ ୮୭ ପ୍ରତିଶତ ପିଲା ପୋଷାକ ପାଇଥିବା ଦର୍ଶାଯାଉଥିବା ବେଳେ ମାତ୍ର ୬୦ ପ୍ରତିଶତ ପିଲା ହିଁ ପୋଷାକ ପାଇଥିବା ସୂଚନା ମିଳିଛି।
ବହୁ ବିଦ୍ୟାଳୟରେ ପୋଷାକ ପହଞ୍ଚିଥିଲେ ମଧ୍ୟ ପୋଷାକଗୁଡିକ ବନ୍ଧା ହୋଇ ଗୋଟିଏ କୋଣରେ ପଡି ରହିଛି। ପୋଷାକ ବଣ୍ଟନ ପୂର୍ବରୁ ବିଭିନ୍ନ ବିଦ୍ୟାଳୟ କର୍ତ୍ତୃପକ୍ଷ,ପୋଷାକ ବଣ୍ଟନ ଦାୟିତ୍ବରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ନିଜ ବ୍ଲକର ବିଇଓ କାର୍ଯ୍ୟାଳୟର ଅଧିକାରୀଙ୍କ ମଧ୍ୟରେ ନେଣଦେଣ ବେପାର ଚାଲିଥିବା ଅଭିଯୋଗ ହୋଇଛି।
ପୋଷାକ ବଣ୍ଟନ ଦାୟିତ୍ବ ନିଜ ନିଜ ବ୍ଲକ ଏବଂ ପଞ୍ଚାୟତର ସ୍ବୟଂ ସହାୟକ ଗୋଷ୍ଠୀକୁ ସରକାର ଦେଇଛନ୍ତି। ତେବେ ଏହି ଏସଏଚଜିମାନେ ପୋଷାକ ତିଆରି କରି ସ୍ବାବଲମ୍ବୀ ହେବେ ବୋଲି ଯେଉଁ ଯୋଜନା କରାଯାଇଥିଲା ତାହା ହୋଇପାରିନାହିଁ। ସ୍ବୟଂ ସହାୟକ ଗୋଷ୍ଠୀମାନେ ପୋଷାକ ଖରିଦ କରି ସ୍କୁଲମାନଙ୍କୁ ବଣ୍ଟନ କରୁଥିବା ଦେଖିବାକୁ ମିଳୁଛି। ତେଣୁ କୌଣସି ପିଲାଙ୍କୁ ଠିକ୍ ମାପର ପୋଷାକ ମିଳି ନାହିଁ।
ରିପୋର୍ଟ ଅନୁଯାୟୀ ଜିଲ୍ଲାର ସାତୋଟି ବ୍ଲକ ମଧ୍ୟରୁ ମାଥିଲି ବ୍ଲକରେ ୨୨୧ଟି ବିଦ୍ୟାଳୟ ରହିଥିବା ବେଳେ ୧୬,୩୭୧ ପିଲା ରହିଛନ୍ତି। ତେବେ ପୋଷାକ ୧୮୯ଟି ବିଦ୍ୟାଳୟର ୧୩୫୪୨ ଜଣ ପିଲାଙ୍କୁ ବଣ୍ଟାଗଲା ବୋଲି ବିଭାଗ କହିଛିନ୍ତି। ସେହିପରି ଖଇରୁପଟ ବ୍ଲକରେ ୧୫୧ଟି ସ୍କୁଲ ଥିବା ବେଳେ ୧୦୯୭୯ ଜଣ ପିଲା ରହିଛନ୍ତି।ସେଥିରୁ ୧୩୦ଟି ସ୍କୁଲର ୯୪୭୦ ପିଲା ପୋଷାକ ପାଇଥିବା କୁହାଯାଇଛି।
ଚିତ୍ରକୋଣ୍ଡା ବ୍ଲକରେ ୧୬୧ଟି ସ୍କୁଲ ରହିଥିବା ବେଳେ ୧୧୧୫୯ ଜଣ ପିଲା ଅଛନ୍ତି। ସେଥିରୁ ସମସ୍ତ ସ୍କୁଲର ପିଲା ପୋଷାକ ପାଇଥିବା ଦର୍ଶାଯାଇଛି। କୋରୋଣ୍ଡା ବ୍ଲକରେ ୧୬୪ଟି ସ୍କୁଲ ଥିବା ବେଳେ ୧୨୧୮୬ ପିଲା ଅଛନ୍ତି। ସେଥିରୁ ୧୪୫ ସ୍କୁଲର ୧୦୮୦୦ ପିଲା ପୋଷାକ ପାଇଛନ୍ତି।
କାଲିମେଳା ବ୍ଲକରେ ୨୫୪ ଜଣ ସ୍କୁଲରେ ୨୦୪୨୩ ପିଲା ରହିଥିବା ବେଳେ ୨୫୨ ସ୍କୁଲର ୨୦୧୫୨ ପିଲା ପୋଷାକ ପାଇଥିବା କୁହାଯାଇଛି। ସେହିପରି ପଡିଆ ବ୍ଲକରେ ୯୯ ସ୍କୁଲ ଥିବା ବେଳେ ୭୦୧୧ ପିଲା ଅଛନ୍ତି। ସେଥିରୁ ୯୭ଟି ସ୍କୁଲର ୭୦୧୧ ପିଲା ପୋଷାକ ପାଇଛନ୍ତି।
ମାଲକାନଗିରି ବ୍ଲକରେ ୧୮୦ଟି ସ୍କୁଲ ଥିବା ବେଳେ ୨୧୫୧୫ ଜଣ ପିଲା ରହିଛନ୍ତି। ସେଥିରୁ ୧୯୦ଟି ସ୍କୁଲର ୧୫୩୬୭ ଜଣ ପିଲା ପୋଷାକ ଦିଆଯାଇଥିବା କୁହାଯାଇଛି। କିନ୍ତୁ ବାସ୍ତବରେ ମାତ୍ର ୬୦ ପ୍ରତିଶତ ପିଲା ହିଁ ପୋଷାକ ପାଇଛନ୍ତି।ତାହା ମଧ୍ୟ ସଠିକ ମାପର ପୋଷାକ ମିଳିନାହିଁ।
ପୋଷାକ ସ୍କୁଲମାନଙ୍କୁ ପ୍ରଦାନ କରିବା ପାଇଁ ଯେଉଁ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବଛାଯାଇଥିଲା ସେମାନେ ନିଜେ ପୋଷାକ ମାପ ନ ନେଇ ବଜାରରୁ ଖରିଦ କରି ଆଣି ସ୍କୁଲକୁ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଏବଂ ଏସଏଚଜି ମଧ୍ୟରେ ଉତ୍ତେଜନା ସୃଷ୍ଟି ମଧ୍ୟ ହୋଇଛି।
ମାଲକାନଗିରି ବ୍ଲକରେ ୯ ଟି ଏସଏଚଜି ପୋଷାକ ବଣ୍ଟନ କରୁଥିବା ବେଳେ କାଲିମେଳା ବ୍ଲକରେ ୧୯ଟି ଏସଏଚଜି,ପଡିଆ ବ୍ଲକରେ ୪ଟି ଏସଏଚଜି,କୋରକୋଣ୍ଡା ବ୍ଲକରେ ୩ଟି ଏସଏଚଜି,ଖଇରପୁଟ ବ୍ଲକରେ ୨ଟି ଏସଏଚଜି,ମାଥିଲି ବ୍ଲକରେ ୧୯ଟି ଏସଏଚଜି ଏବଂ ଚିତ୍ରକୋଣ୍ଡା ବ୍ଲକରେ ୪ଟି ଏସଏଚଜି ଏହି କାର୍ଯ୍ୟ କରୁଛନ୍ତି। ଜିଲ୍ଲାରେ ୫୯ଟି ଏସଏଚଜି ୧୨୮୮ଟି ବିଦ୍ୟାଳୟର ୯୯,୬୪୪ ଜଣ ପିଲାଙ୍କୁ ପୋଷାକ ବଣ୍ଟନ କରିବାର ଦାୟିତ୍ବ ଦିଆଯାଇଛି।
ଅଧିକ ପଢ଼ନ୍ତୁ: ଗୋଟିଏ କଠୋରୀରେ ୮ଟି ଶ୍ରେଣୀରେ ପିଲା: ପଢ଼ାଉଛନ୍ତି ଜଣେ ଶିକ୍ଷକ
ପ୍ରତି ପିଲାଙ୍କୁ ଏକ ହଜାର ଟଙ୍କାର ପୋଷାକ ବଣ୍ଟନ କରାଯିବ। ଏହି ଏକ ହଜାର ଟଙ୍କା ମଧରୁରୁ ୫୦୦ ଟଙ୍କାର ଦୁଇ ହଳ ପୋଷାକ,୨୦୦ ଟଙ୍କାର ଗୋଟିଏ ହଳ ଜୋତା,୨ ହଳ ସକ୍ସ,୧୨୫ ଟଙ୍କାର ଟି-ସାର୍ଟ,୧୨୫ ଟଙ୍କାର ଟ୍ରାକ ପ୍ୟାଣ୍ଟ,୩୦ ଟଙ୍କାର ଆଇ-କାର୍ଡ ଏବଂ ୨୦ ଟଙ୍କାର ଟୋପି ପ୍ରଦାନ କରାଯିବ ବୋଲି କୁହାଯାଇଥିଲା।
ତେବେ ଏହି ଟଙ୍କାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ,ଏସଏଚଜି ଏବଂ ବିଇଓ କାର୍ଯ୍ୟାଳୟ ମଧ୍ୟରେ ଟଣାଓଟରା ଚାଲିଛି। ଏହାର ତଦନ୍ତ ହେଲେ ସବୁ ସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି।
ଅଧିକ ପଢ଼ନ୍ତୁ: ନକ୍ସଲଙ୍କ ଯୋଗୁଁ ଗାଁ ଛାଡ଼ିଥିଲେ ଗ୍ରାମବାସୀ, କ୍ୟାମ୍ପ ହେବା ପରେ ଫେରିଲେ