ବଲାଙ୍ଗୀର: ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ଜଣେ ଛାତ୍ରୀଙ୍କୁ ରବିବାର କଲେଜ ସମ୍ମୁଖରେ ଏକ ସ୍ପିଡ ବାଇକ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବରଗଡ଼ ବିକାଶ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ଗୁରୁତର ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।
ମୃତ ଛାତ୍ରୀ ଜଣକ ହେଲେ ସିମରନ ଷଡ଼ଙ୍ଗୀ ଓ ତାଙ୍କ ଘର କୋରାପୁଟ ଜିଲାରେ ବୋଲି ଜଣାପଡ଼ିଛି। ସେ ବଲାଙ୍ଗୀର ସରକାରୀ ଆୟୁର୍ବେଦ କଲେଜ ଓ ହସ୍ପିଟାଲର ପ୍ରଥମ ବର୍ଷର ଛାତ୍ରୀ। ବଲାଙ୍ଗୀର ଟାଉନ ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ସ୍ପିଡ ବାଇକରଙ୍କୁ ଥାନାକୁ ନେଇ ଅଟକ ରଖିଥିଲା।
ଆହୁରି ପଢ଼ନ୍ତୁ: Accident 3 Bikers Death: କଣ୍ଟେନର-ବାଇକ୍ ଧକ୍କା: ଜଳିଗଲା ବାଇକ୍, ୩ ବାଇକ୍ ଆରୋହୀ ମୃତ
ଡାକ୍ତରୀ ଛାତ୍ରୀଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇବେ
ବଲାଙ୍ଗୀର ସହରରେ ସ୍ପିଡ ବାଇକର ଓ ନିଶାଖୋର ଅମାନିଆମାନେ ବେପରୁଆ ଗାଡ଼ି ଚାଳନା କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି । ବିଶେଷକରି ଆୟୁର୍ବେଦିକ କଲେଜ ସମ୍ମୁଖ ଭିଆଇପି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଏହାସତ୍ତ୍ୱେ ପୁଲିସ କୌଣସି ପ୍ରତିକାର ବ୍ୟବସ୍ଥା କରୁନଥିବାରୁ ଜନଅସନ୍ତୋଷ ବଢୁଛି । ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଓ ହସ୍ପିଟାଲରେ ଶୋକର ଛାୟା ଖେଳିଯାଇଛି l ଦୁର୍ଘଟଣାକୁ ନେଇ ଡାକ୍ତରୀ ଛାତ୍ରୀଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଜବାଜ ହେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/03/09/untitledjpg-2026-03-09-13-12-12.jpeg)