Administrative Negligence: ଧୂଳିସାତ ହୋଇଗଲା ସ୍ବପ୍ନ, ଗଛ ତଳେ ବିତୁଛି ରୁମାଞ୍ଚଳଙ୍କ ଜୀବନ

ଗରିବ ଲୋକଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ଯୋଜନାଗୁଡ଼ିକର ପରିଚାଳନାଗତ ଅଭାବ ହେଉ ଅଥବା ଦାୟିତ୍ବରେ ଥିବା ବ୍ୟକ୍ତିବିଶେଷଙ୍କର ପକ୍ଷପାତତା ହେଉ ଅନେକ ଲୋକ ସରକାରୀ ଯୋଜନାରୁ ବାଦ୍‌ ପଡ଼ିଯାଇଥାନ୍ତି। ଯୋଜନା ବାଟମାରଣା ହେଉଥିବା ମଧ୍ୟ ଅଭିଯୋଗ ଆସିଥାଏ।

Untitled-22

A Man spent life on the tree in Bangomunda of Balangir district. Photograph: (sambad.in)

ଭାଲୁମୁଣ୍ଡା (ରାଧେଶ୍ୟାମ ମେହେର): ଗରିବ ଲୋକଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ଯୋଜନାଗୁଡ଼ିକର ପରିଚାଳନାଗତ ଅଭାବ ହେଉ ଅଥବା ଦାୟିତ୍ବରେ ଥିବା ବ୍ୟକ୍ତିବିଶେଷଙ୍କର ପକ୍ଷପାତତା ହେଉ ଅନେକ ଲୋକ ସରକାରୀ ଯୋଜନାରୁ ବାଦ୍‌ ପଡ଼ିଯାଇଥାନ୍ତି। ଯୋଜନା ବାଟମାରଣା ହେଉଥିବା ମଧ୍ୟ ଅଭିଯୋଗ ଆସିଥାଏ। ଏବେବି ଗରିବ ଲୋକଙ୍କ ପାଖକୁ ପ୍ରଶାସନିକ ଅଧିକାରୀ ବା ସରକାରୀ ଜିନିଷ ପହଞ୍ଚି ପାରୁ ନାହିଁ। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଅଞ୍ଚଳରେ ଏପରି ଦେଖିବାକୁ ମିଳିଛି। ପ୍ରଶାସନିକ ଅବହେଳା କାରଣରୁ ଏହି ଅଞ୍ଚଳର ରୁମାଞ୍ଚଳ ବେହେରାଙ୍କୁ କୌଣସି ସରକାରୀ ଯୋଜନାରେ ସାମିଲ କରାଯାଇ ନଥିବା ଅଭିଯୋଗ ହେଉଛି। ସେଥି ପାଇଁ ସେ ବୁଲିବୁଲି ମାଗି ଖାଆନ୍ତି। ଗଛ ତଳେ ଜୀବନ ବିତାଇଥାନ୍ତି।  

ସରକାରୀ ଯୋଜନା ସାତ ସପନ

ତୁରେକେଲା ଗାଁର ରୁମାଞ୍ଚଳ ବେହେରା (୫୫)ଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ହୋଇଛି। ମୁଠେ ଖାଇବାକୁ ମିଳିବା ତ ଦୂରର କଥା, ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ବି ନାହିଁ। ବର୍ଷା, ଶୀତ ଓ ଖରାରେ ବି ମଂଜୁରମରା ପାହାଡ଼ ତଳେ ଥିବା ସିପୋ ଗଛ ମୂଳେ ଆଜିକୁ ସାତ ବର୍ଷ ହେଲା ରହୁଛନ୍ତି। ଗତ କିଛି ଦିନ ତଳେ ତାଙ୍କର ବାପାଙ୍କ ମୃତ୍ୟୁ ହୋଇଥିଲା। ହେଲେ ଚାରି କାନ୍ଧ ଦେବାକୁ କେହି ବାହାରିଲେ ନାହିଁ। ରୁମାଞ୍ଚଳ ବେହେରା ବାପା ମୃତ୍ୟୁ ହୋଇଥିବା ମଧ୍ୟ ଜାଣିପାରିନାହିଁ। ପୁଅ ହୋଇ ଅଭାବୀ ପାଇଁ ସୁଧି କ୍ରିୟା ହୋଇ ପାରିଲା ନାହିଁ। ଧୀରେଧୀରେ ନ ଖାଇ ନପିଇ ଏମିତି ପରିସ୍ଥିତି ହେଲାଣି ଯେ ମାନସିକ ଭାର ସାମ୍ୟ ହରାଇ ବାକୁ ବସିଲେଣି। ନା ଜିଲ୍ଲା ପ୍ରଶାସନ ପାଖରେ ଖବର ଅଛି ନା ବ୍ଲକ ପ୍ରଶାସନ ପହଞ୍ଚି ପାରୁଛି।

ଆହୁରି ପଢ଼ନ୍ତୁ: Kalinga Ghati: କଳିଙ୍ଗା ଘାଟିରେ ଗଡ଼ିଲା ଯାନବାହନ; ବ୍ୟବସାୟୀ ଉତ୍ସାହିତ

ଗଛରେ ବିତାନ୍ତି ସମୟ

ରୁମାଞ୍ଚଳ ଜଣେ ସ୍ବାଭିମାନୀ ମଣିଷ। ସେ କାହାରିକୁ ହାତ ପତାଇ ନଥାନ୍ତି। ଯଦି କେହି କିଛି ଯାଚିକି ନଦିଅନ୍ତି କଞ୍ଚା ପାଣି ଟୋପାଏ ପିଇ ଶୋଇଯାଇ ଥାନ୍ତି। ଏପରିକି ବେଳେବେଳେ ଜଙ୍ଗଲର ହିଂସ୍ର ଜନ୍ତୁ ଭୟରେ ଗଛ ଉପରେ ଚଢ଼ି ସମୟ ବିତାଇଥାନ୍ତି। ରାତି ସାରା ଭୋକର ଭୂଗୋଳ ପୃଷ୍ଠା ଲେଉଟାଇ ଥାନ୍ତି। ଯଦି ପ୍ରଶାସନ ତାଙ୍କୁ କୌଣସି ନା କୌଣସି ଗୋଟିଏ ବି ସରକାରୀ ଯୋଜନାରେ ସାମିଲ କରାଇ ଦିଅନ୍ତେ, କୃତ୍ୟକୃତ୍ୟ ହୋଇଯାଆନ୍ତେ। କାରଣ ନା ତାଙ୍କୁ ମିଳୁଛି ଚାଉଳ, ନା ଭତ୍ତା। ଘର ଖଣ୍ଡିଏ କିଏ ବା କାହିଁକି ଦେବ? କାହାର କ’ଣ ଯାଉଛି? 

ଆହୁରି ପଢ଼ନ୍ତୁ: Subhadra Yojana: ଆସନ୍ତାକାଲି ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ: କେଉଁମାନେ କରିପାରିବେ ଆବେଦନ ଜାଣନ୍ତୁ

ଗ୍ରାମବାସୀଙ୍କ ସହାୟତା ଦାବି

୧୯୯୩ ମସିହାର କଥା। ଓଡ଼ିଶା ମାଟିର ଏ ଅଭାବୀ ପୁଅ ରୁମାଞ୍ଚଳ ବେହେରା ଦିନେ ବହୁତ ବଡ଼ ସ୍ବପ୍ନ ଦେଖିଥିଲେ। ସେ ନେତା ହେବେ ଏବଂ ଗରିବ ଲୋକଙ୍କ ସେବା କରିବେ ବୋଲି ଭାବିଥିଲେ। ହେଲେ ବିଧିର ବିଧାନ ଆଉ କିଛି ଅଲଗା ଥିଲା। ବିଡ଼ମ୍ବନା ବିଷୟ ଛତିଶଗଡ଼ର ମହାସମୁନ୍ଦକୁ ଯାଇଥିଲେ ଏବଂ ସେଠାରେ ସେ ପୌର ନିର୍ବାଚନରେ ପାର୍ଷଦ ଭାବେ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ମାତ୍ର ତିରିଶ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲେ। ପରେ ସେ ପୁଣି ନିଜ ଗାଁକୁ ଫେରି ଆସିଥିଲେ। ବାସ ସେହିଦିନ ଠାରୁ ମାନସିକ ଅବସାଦର ଶିକାର ହୋଇ ଅର୍ଣ୍ଣ ଅନ୍ୱେଷଣରେ ଅଭାବୀ ଜୀବନରେ ବଂଚିବାର ରାହା ଖୋଜୁଛନ୍ତି। ସଂଘର୍ଷ ଜୀବନର ଯବନିକା କେବେ ପଡୁଛି, କିଏ ପକାଇ ପାରିବ ନା ଏଇମିତି ଗଛ ମୂଳେ ଜୀବନ ବଞ୍ଚି ରହିଥିବ? ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବା ଅପେକ୍ଷାରେ ରୁମାଞ୍ଚଳ ବେହେରା। ଯିଏ ପର ପାଇଁ ଜୀବନ ଦେବା ଆଶାରେ ନିଜ ଜୀବନକୁ ବାଜି ଲଗାଇ ଦିଏ, ସେ ଆଜି ନିଜ ଜୀବନ ସହିତ ସଂଘର୍ଷ କରୁଛନ୍ତି ବୋଲି ଗାଁ ଲୋକେ କହୁଛନ୍ତି। ଏଥିପାଇଁ ପ୍ରଶାସନ ରୁମାଞ୍ଚଳ ପ୍ରତି ଦୃଷ୍ଟି ଆକର୍ଷଣ କଲେ ସେ ଆଗକୁ ବଞ୍ଚି ପାରନ୍ତା ବୋଲି ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe