ବାଲେଶ୍ବର (କବିତା ପାତ୍ର):ଜଗା ! ଜଗା ବିନା ଏ ଜୀବନ ଅଧୁରା… ଜଗା ବିନା ଏ ଜାତିର ପରିଚୟ ହିଁ ନାହିଁ । ଜଗନ୍ନାଥ ଓଡିଆ ଜାତିର ଜାତକ । ଆମ ଜାତକରେ ଜଗନ୍ନାଥଙ୍କ ନାଁ ହିଁ ଲେଖା । ଏଠି ଏନ୍ତୁଡି ଜଳିଲେ ବି ଜଗାକୁ ଡକାହୁଏ, ଏଠି ଜୁଇ ଜଳିଲେ ବି ଜଗାକୁ ମୁଣ୍ଡିଆ ମାରେ ମଡା ଚଣ୍ଡିଆ । ନିଆଁ ଜଳିଲେ କି ନିଆଁ ଲିଭିଲେ ଏ ହାତ ଆପେ ଆପେ ମୁଣ୍ଡକୁ ଉଠିଯାଇ ମୁହଁରୁ 'ମହାପ୍ରଭୁ ଉଦ୍ଧାର କର' ବୋଲି ବାହାରି ଆସେ… 

Advertisment

ଯେଉଁଠି ଜଗନ୍ନାଥ ଏ ଜଗତର ଜମିଦାର, ଏ ଜଗତର ମାଲିକ, ଯାହାଙ୍କ ଇଚ୍ଛା ବିନା ପତ୍ରଟେ ବି ହଲେନି ସେଠି ବା ନିଆଁ ତାଙ୍କର କଣ କରିପାରିବ । ବରଂ ଅଗ୍ନିଦେବ ମହାପ୍ରଭୁଙ୍କ ଆଗରେ ନତମସ୍ତକ ହୋଇ ନିଜକୁ ସେଇଠି ବ୍ୟାପିବାରେ ବ୍ରେକ ଲଗାଇଥିଲେ ନହେଲେ ହୁତୁହୁତୁ ହୋଇ ଜଳୁଥିବା କୋଠାଘର ନିଆଁ କାଳିଆକୁ ଛୁଇଁବା ଆଗରୁ ହଠାତ୍ କେମିତି ଲିଭିଗଲା…? ସବୁ ସେଇ କାଳିଆର ଇଚ୍ଛା ...

lord jagannath idol
lord jagannath idol Photograph: (sambad.in)

ଗତ ବୁଧବାର ଦିନ ବାଲେଶ୍ବର ସିନେମା ଛକ ନିକଟରେ ଥିବା ଏକ ଷ୍ଟେସନାରୀ ଦୋକାନରେ ଭୟଙ୍କର ନିଆଁ ଲାଗି ସବୁକିଛି ଜଳିପୋଡ଼ି ପାଉଁଶ ହୋଇଗଲା । ନିଆଁ ଏତେ ଜୋର ଲାଗିଥିଲା ଯେ- ସଙ୍ଗେସଙ୍ଗେ ନିଆଁ ଆଁରେ ଦୋକାନର ସବୁକିଛି ପଶିଗଲା । ଫଟୋଫ୍ରେମ ଠାରୁ ଆରମ୍ଭ କରି ଗିଫ୍ଟ ଆଇଟମ, ଚୁଡି ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଜିନିଷ ଯେତେବେଳେ ନିଆଁରେ ପୋଡି ପାଉଁଶ ହେଇଯାଉଥିଲା । ଆଉ ନିଆଁକୁ ଆୟତ୍ତ କରିବାକୁ ୩୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ଲାଗିଥିଲେ । ଠିକ୍ ସେତେବେଳେ ନିଆଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ଛୁଇଁ ପାରି ନଥିଲା । ଦୋକାନରେ ସବୁ ଜଳିଗଲା କିନ୍ତୁ ଜଗା ରହିଗଲା ଜଗାକୁ ଛୁଇଁବା ଆଗରୁ ନିଆଁ ଯେମିତି ସେଇଠି ଲିଭି ସାରିଥିଲା । ଖାଲି ଯାହା କଳା ଧୂଆଁ କାଳିଆର କଳାବଦନକୁ ଆଉ ଟିକେ କଳା କରିଥିଲା ନହେଲେ ନିଆଁର ଧାସ ଦାରୁ ଦେବତାଙ୍କୁ ଟିକେ ବି ଛୁଇଁପାରିନଥିଲା । 

ଆହୁରି ପଢନ୍ତୁ-

Farmers Wear Bear Dress ଥମୁନି ମାଙ୍କଡ଼ ଉତ୍ପାତ: ଭାଲୁ ବେଶରେ ବିଲ ଭିତରେ ପଇଁତରା ମାରୁଛି ଚାଷୀ...

ସୋସିଆଲ ମିଡିଆରେ ଦୁଇ ଦିନ ଧରି ଗୋଟେ ଫଟୋ ଭାଇରାଲ ହେଉଛି । ଯେଉଁଠି ଉକ୍ତ ଦୋକାନରୁ ମହାପ୍ରଭୁଙ୍କୁ ପୋଡା ପାଉଁଶ ତଳୁ ଉଦ୍ଧାର କରୁଛନ୍ତି ଜଣେ ଅଗ୍ନିଶମ କର୍ମଚାରୀ । ଯାହାର ଫଟୋକୁ ଲୋକେ ନିଜ ଆବେଗ, ଭାବାବେଗ ସହ ଲେଖୁଛନ୍ତି । କିଏ କହୁଛି କାଳିଆକୁ କଣ ନିଆଁ ଛୁଇଁପାରେ... ପୁଣି କିଏ କହୁଛି କାଳିଆକୁ ଛୁଇଁବା ଆଗରୁ ଲିଭିଗଲା ବୋଧେ ନିଆଁ... ସେ ଯାହା ବି ହେଉ- କୋଟି ଓଡିଆଙ୍କ ମଉଡମଣି, ଆମ ଆରାଧ୍ଯ ଦେବତାଙ୍କୁ ନେଇ ଏହି ଫଟୋଟି ହୃଦୟ କିଣିନେଇଛି । 

fire
fire Photograph: (sambad.in)

ତେବେ ସେଦିନର ଘଟଣା ନେଇ ଅନୁଭୂତି ବଖାଣିଛନ୍ତି ଅଗ୍ନିଶମ କର୍ମଚାରୀ । କାଳିଆ ମୁହଁରେ ପାଉଁଶ ଲାଗିଥିବାର ଦେଖି ଅଗ୍ନିଯୋଦ୍ଧା ଜଣକ ମହାପ୍ରଭୁଙ୍କ ମୁହଁକୁ ନିଜ ହାତରେ ପୋଛି ଦେଇଥିଲେ । ମୁଣ୍ଡିଆ ମାରି ତାଙ୍କୁ ସୁରକ୍ଷିତ ସ୍ଥାନରେ ରଖିଦେଇ ଥିଲେ । ସେତେବେଳର ସେ ମୁହୂର୍ତ୍ତ ବଖାଣିବା ବେଳେ ଅଗ୍ନିଯୋଦ୍ଧାଙ୍କ ଆଖିରେ ଲୁହ ଜକେଇ ଆସିଥିଲା ।

ଆହୁରି ପଢନ୍ତୁ-

Mid Air Mimicry, Odia Passenger: ବିମାନକୁ ବସ୍ ଭାବିଦେଲେ ଓଡ଼ିଆ ଯାତ୍ରୀ: କଣ୍ଡକ୍ଟର ଭଳି ଫ୍ଲାଇଟରେ ଡାକିଲେ ପିଆଜି-ପକୁଡ଼ି… ଇଆଡ଼େ ଆସ, ଇଆଡ଼େ ଆସ…

ସତରେ ଏତେ ବଡ଼ ନିଆଁ ଭିତରେ ମହାପ୍ରଭୁଙ୍କୁ ନେଇ ଏ ଘଟଣା ସମସ୍ତଙ୍କୁ ଚକିତ କରିଛି । ଦୃଶ୍ୟ ଦେଖିଲେ ଏମିତି ଲାଗୁଛି କଳା ଧୂଆଁ କାଳିଆ ଆଖିରେ କଜଳର ଧାର ଲଗାଇ ତାଙ୍କୁ ଶୃଙ୍ଗାର କରିଥିଲା, ଆଉ ଅଗ୍ନିଦେବ ଯେମିତି ମହାପ୍ରଭୁଙ୍କୁ ଦେଖି ଶାନ୍ତ ପଡ଼ିଯାଇଥିଲେ । ଆଉ ମୁଣ୍ଡିଆ ମାରି କହିଥିଲେ ପ୍ରଭୁ ! ଆପଣଙ୍କୁ ଦେଖି କିଏ କଣ ଆଗକୁ ଯାଇପାରେ… ଏଇଠି ଅଟକିଲି… 

jay jagannath | lord jagannath | Baleswar | Fire