ନୂଆଦିଲ୍ଲୀ/ଭୁବନେଶ୍ବର: ବରଗଡ଼ ରୋଡ୍‌-ନୂଆପଡ଼ା ରୋଡ୍‌ ନୂଆ ରେଳ ଲାଇନକୁ ‘ସ୍ୱତନ୍ତ୍ର ରେଳ ପ୍ରକଳ୍ପ’ ଭାବେ ବିଜ୍ଞପିତ କରାଯାଇଛି ଏବଂ ଏହି ପ୍ରକଳ୍ପ ଲାଗି ଦ୍ରୁତ ଗତିରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଲୋକସଭାରେ ସୂଚନା ଦେଇଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି ବରଗଡ଼ ଏବଂ ନୂଆପଡ଼ାରେ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ (ସିଏଏଲଏ)ଙ୍କୁ ନିଯୁକ୍ତ କରାଯାଇଛି। ୭୩ଟି ଗ୍ରାମରେ ଜମି ଅଧିଗ୍ରହଣ ଲାଗି ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଏଥିପାଇଁ ୪୩ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ୧୩୮ କିଲୋମିଟର ଲମ୍ବ ବରଗଡ଼ ରୋଡ୍‌-ନୂଆପଡ଼ା ରୋଡ୍‌ ନୂଆ ରେଳ ଲାଇନ ନିର୍ମାଣ ଲାଗି ୨,୬୨୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। କୌଣସି ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଲାଗି ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି, ବିଭିନ୍ନ ଆନୁସଙ୍ଗିକ ଭିତ୍ତିଭୂମିକୁ ସ୍ଥାନାନ୍ତର, ବୈଧାନିକ ମଞ୍ଜୁରି, ଭୌଗଳିକ ସ୍ଥିତି, ଆଇନଶୃଙ୍ଖଳା ପରିସ୍ଥିତି ଆଦି ଉପରେ ନିର୍ଭର କରିବାକୁ ପଡ଼ିଥାଏ।

ଆହୁରି ପଢ଼ନ୍ତୁ: Ashwini Vaishnaw: ରେଳ କର୍ମଚାରୀଙ୍କୁ ପ୍ରଶଂସା କରି ଦୀପାବଳିର ଶୁଭେଚ୍ଛା ଜଣାଇଲେ ଅଶ୍ବିନୀ ବୈଷ୍ଣବ

ପ୍ରକଳ୍ପ ପାଇଁ ବିଭିନ୍ନ ପଦକ୍ଷେପ 

ତେବେ ରେଳ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ଲାଗି ଏବଂ ଦ୍ରୁତ ଅନୁମୋଦନ ହାସଲ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିପାଇଁ ଯଥେଷ୍ଟ ପାଣ୍ଠି ବ୍ୟବସ୍ଥା କରାଯାଇଛି। କ୍ଷେତ୍ର ସ୍ତରରେ କ୍ଷମତା ହସ୍ତାନ୍ତର ସହିତ ବିଭିନ୍ନ ସ୍ତରରେ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରାଯାଉଛି। ରାଜ୍ୟ ସରକାର ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହିତ ନିୟମିତ ଯୋଗାଯୋଗ ରକ୍ଷା କରାଯାଇ ଜମି ଅଧିଗ୍ରହଣ, ଜଙ୍ଗଲ ଓ ବନ୍ୟପ୍ରାଣୀ ମଞ୍ଜୁରି ଏବଂ ପ୍ରକଳ୍ପ ସହ ଜଡ଼ିତ ଅନ୍ୟାନ୍ୟ ଅନୁମୋଦନ ଲାଗି ପ୍ରୟାସ କରାଯାଉଛି। ଫଳରେ ଗତ ଏକ ଦଶନ୍ଧି ମଧ୍ୟରେ ରେଳ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦ୍ରୁତ ଗତିରେ ଜାରି ରହିଛି। 

ଆହୁରି ପଢ଼ନ୍ତୁ: Easy Mushroom Recipe: ଛତୁରେ ତିଆରି କରନ୍ତୁ ନୂଆ ରେସିପି, ହାତଚାଟି ଚାଟି ଖାଇବେ ଆପଣଙ୍କ ପରିବାର ଲୋକ