ଦେବଗଡ଼ (ଶକ୍ତି ସୌରଭ ନନ୍ଦ): ରାଜ୍ୟକୁ ୨୦୩୦ ସୁଦ୍ଧା ବାଲ୍ୟବିବାହ ମୁକ୍ତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସରକାର ଲକ୍ଷ୍ୟ ରଖି ସମସ୍ତ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଦେବଗଡ ଜିଲ୍ଲାର ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ସମାଜ ମଙ୍ଗଳ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ପୁଲିସ ପକ୍ଷରୁ ମିଳିତ ଭାବେ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ ସହିତ ବାଲ୍ୟ ବିବାହ ନିଷେଧ ଆଇନ ପ୍ରବର୍ତ୍ତନ ମାଧ୍ୟମରେ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି।
ବାଲ୍ୟ ବିବାହକୁ ପ୍ରତିହତ ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡ଼ିକୁ ବାଲ୍ୟ ବିବାହ ମୁକ୍ତ ପରିସର ଭାବେ ଘୋଷିତ କରାଯାଇଛି। ଏହାସହିତ ସମସ୍ତ ଗ୍ରାମରେ ସରପଞ୍ଚ ଓ ସଂପୃକ୍ତ ବ୍ଲକର ବିଡିଓଙ୍କ ଅଧ୍ୟକ୍ଷତାରେ ବାଲ୍ୟବିବାହ ନିଷେଧ ଟାସ୍କ ଫୋର୍ସ ଗଠନ କରାଯିବା ସହ ପ୍ରତ୍ୟେକ ଅଙ୍ଗନବାଡି କର୍ମୀମାନେ ବିବାହ ପଞ୍ଜିକରଣ ରେଜିଷ୍ଟାରରେ ସମସ୍ତ ବିବାହକୁ ବାଧ୍ୟତାମୂଳକ ଭାବେ ପଞ୍ଜୀକରଣ କରୁଛନ୍ତି। ବାଲ୍ୟ ବିବାହ ସୂଚନାକାରୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ୩୦୦୦ ଟଙ୍କା ପୁରସ୍କାର ଘୋଷଣା କରାଯିବା ସହ ଜରୁରୀକାଳୀନ ସହାୟତା ପାଇଁ କଣ୍ଟ୍ରୋଲ ରୁମ ଖୋଲାଯାଇଛି।
ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୧୪ରେ ଜିଲ୍ଲାର ବାଲ୍ୟବିବାହ ହାର ୨୩ ଥିବା ବେଳେ ୨୦୧୯ରେ ୧୯ ପ୍ରତିଶତ ରହିଥିଲା। ତେବେ ଦ୍ଵିତିୟ ପର୍ଯ୍ୟାୟରେ ସମସ୍ତ ବ୍ଲକର ବିଡିଓଙ୍କ ବିବରଣୀ ସମୀକ୍ଷା କରିବା ପରେ ଜିଲ୍ଲା ଟାସ୍କ ଫୋର୍ସ ବୈଠକରେ ପାରିତ ହେବାପରେ ଜିଲ୍ଲାପାଳ କବୀନ୍ଦ୍ର ସାହୁ ଓ ଜିଲ୍ଲା ପରିଷଦ ସଭାପତି କୌଶିକ ପ୍ରଧାନଙ୍କ ଅନୁମୋଦନକ୍ରମେ ଜିଲ୍ଲାର ୩୬୪ ଗ୍ରାମ ଓ ପୌରାଞ୍ଚଳର ୧୧ଟି ୱାର୍ଡକୁ ‘ବାଲ୍ୟ ବିବାହ ମୁକ୍ତ’ଭାବେ ଘୋଷଣା କରାଯାଇଛି।
ଆହୁରି ପଢ଼ନ୍ତୁ: Literature: ମାଧବଚନ୍ଦ୍ର ସ୍ବାଇଁଙ୍କ ଏକ ମନଛୁଆଁ ଗଳ୍ପ ‘ୟୁଟ୍ୟୁବ୍ ମେଡିସିନ୍’...
ସୂଚନଯୋଗ୍ୟ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଗ୍ରାମରେ ପଲ୍ଲିସଭା, ସରକାରୀ ମାର୍ଗଦର୍ଶିକା ଓ ମୂଲ୍ୟାଙ୍କନ ପ୍ରକ୍ରିୟା ଅନୁଯାୟୀ ସମସ୍ତ ବ୍ଲକର ବିଡିଓଙ୍କ ପାଖରେ ପଲ୍ଲିସଭା ବିବରଣୀ ସରପଞ୍ଚଙ୍କ ଜରିଆରେ ସମୀକ୍ଷା ପାଇଁ ଉପସ୍ଥାପିତ କରାଯାଇଥିଲା। ପଲ୍ଲୀସଭା ବିବରଣୀର ସମୀକ୍ଷା ପରେ ତିନି ବ୍ଲକର ବିଡିଓମାନେ ଜିଲ୍ଲାପାଳଙ୍କ ଅନୁମୋଦନ ପାଇଁ ସୁପାରିଶ କରିଥିଲେ। ଜିଲ୍ଲାପାଳ ଏନେଇ ପତ୍ର ସଂଖ୍ୟା-୪୬/୨୬ , ତା-୨୯/୦୧/୨୬ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ସୂଚିତ କରିଛନ୍ତି। ଦ୍ଵିତୀୟ ପର୍ଯ୍ୟାୟରେ ବାରକୋଟ ବ୍ଲକର ୧୪୦ ଗ୍ରାମ, ରିଆମାଳ ବ୍ଲକର ୧୧୬ ଗ୍ରାମ, ତିଲେଇବଣି ବ୍ଲକର ୧୦୮ ଗ୍ରାମ ଓ ପୌରାଞ୍ଚଳର ୧୧ ୱାର୍ଡକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ସୂଚନା ଦେଇଛନ୍ତି।
Follow Us