ଝରିଗାଁ: ଦୁଇ ବର୍ଷ ପରେ ମଧ୍ୟ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସରକାରୀ ବାସଭବନ ନିର୍ମାଣ କାମ ସଂପୂର୍ଣ୍ଣ ହୋଇପାରୁନି। ସରକାରୀ ବାସଭବନଗୁଡ଼ିକ ଅଧାପନ୍ତରିଆ ଅବସ୍ଥାରେ ଥିବାରୁ ବାଧ୍ୟ ହୋଇ ଡାକ୍ତର ଓ କିଛି କର୍ମଚାରୀ ପୁରୁଣା ଦଦରା ସରକାରୀ ବାସଭବନରେ ରହୁଛନ୍ତି। ଏଭଳି ଅବ୍ୟବସ୍ଥା ଦେଖା ଦେଇଛି ନବରଙ୍ଗପୁର ଜିଲ୍ଲାର ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ।

Advertisment

ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀଙ୍କ ରହିବା ନିମନ୍ତେ ସରକାରୀ ବାସଭବନ ନିର୍ମାଣ ପାଇଁ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଅନୁଦାନ ମିଳିଥିଲା। ଡାକ୍ତରଙ୍କ ନିମନ୍ତେ ୮ଟି ଓ କର୍ମଚାରୀଙ୍କ ନିମନ୍ତେ ୧୨ଟି ସରକାରୀ ବାସଭବନ ନିର୍ମ‌ାଣ ପାଇଁ ଏହି ଅନୁଦାନ ମିଳିଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ୨୦୨୨ ଏପ୍ରିଲ୍‌ ୬ ତାରିଖ ଦିନ ନିର୍ମାଣ କାମ ଆରମ୍ଭ ହୋଇଥିଲା।

୨୦୨୩ ଫେବୃୟାରୀ ୫ ତାରିଖରେ ଏହି କାମ ସାରିବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଅବଧି ସରିବାର ଦୁଇ ବର୍ଷ ପରେ ବି କାମ ସଂପୂର୍ଣ୍ଣ ହୋଇ ନ ଥିବା ଅଭିଯୋଗ ହୋଇଛି। ଦାୟିତ୍ୱରେ ଥିବା ବିଭାଗ ଓ ଠିକାଦାରଙ୍କ ଅବହେଳା ଯୋଗୁଁ କାମ ସମ୍ପୂର୍ଣ୍ଣ ହୋଇପାରୁ ନ ଥିବା ଅଭିଯୋଗ ହୋଇଛି।

ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବା ଯୋଗୁ ଡାକ୍ତର ଏବଂ କର୍ମଚାରୀମାନେ ବିପଦ ଶଙ୍କୁଳ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି। ଆଜି ଡ଼ାକ୍ତର ବିଭୁତି ଭୂଷଣ ଦାସ ଡାକ୍ତରଖାନାରେ କାର୍ଯ୍ୟରତ ଥିବା ବେଳେ ହଠାତ ତାଙ୍କ ରହୁଥିବା ସରକାରୀ ବାସଭବନର ଛାତରୁ ପ୍ରାୟ ୧୦ ଫୁଟ ଓସାରର ପ୍ଲାଷ୍ଟର ତଳେ ଖସି ପଡ଼ିଥିଲା।

 କାର୍ଯ୍ୟ ସାରି ଘରକୁ ଆସିବା ପରେ ସେ ଏହା ଦେଖି ଛାନିଆ ହୋଇଯାଇଥିଲେ।ପ୍ଲାଷ୍ଟର ଖସିବା ସମୟରେ ଅନୁପସ୍ଥିତ ରହିଥିବା ଯୋଗୁଁ ବଡ଼ ଅଘଟଣାରୁ ବର୍ତ୍ତି ଯାଇଥିଲେ।

ସେହିପରି ଅନ୍ୟ ଡାକ୍ତରମାନେ ରହୁଥିବା ଘରର ମଧ୍ୟ ଅବସ୍ଥା ଖରାପ। ଗୋଷ୍ଠୀ ଚିକିତ୍ସା ଅଧିକାରୀ ରହୁଥିବା ଘରର ଚଟାଣ ନଷ୍ଟ ହୋଇ ଯାଇଥିବା ବେଳେ ବର୍ଷା ଦିନେ ଛାତରୁ ପାଣି ଗଳୁଛି। କର୍ମଚାରୀମାନେ ରହୁଥିବା ଘରର ଅବସ୍ଥା ନ କହିଲେ ଭଲ। ଛାତ ଉପରେ ପଲିଥିନ ପକାଇ ବର୍ଷା ଦିନ ବିତୁଛି।

ଆଉ କିଛି କର୍ମଚାରୀଙ୍କ ଶୌଚାଳୟର କାନ୍ଥ କେଉଁ ସମୟରେ ଭୁଶୁଡି ପଡିବ କହିହେବ ନାହିଁ। ସେହିପରି ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ପାଇଁ ସରକାରୀ ବାସଭବନ ଅଭାବ ଯୋଗୁ ଜଣେ ଡାକ୍ତର ଭଡା ଘରେ ରହୁଥିବା ବେଳେ ଆଉ କିଛି କର୍ମଚାରୀ ୧୮ କିଲୋମିଟର ଦୂର ଉମରକୋଟରେ ରହି ଯିବା ଆସିବା କରୁଥିବାରୁ ସ୍ବାସ୍ଥ୍ୟ ସେବା କାର୍ଯ୍ୟରେ  ସମସ୍ୟା ଦେଖା ଦେଇଛି।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ବୁଲୁଛି ବିହାରୀ ଠକସଂସ୍ଥା: ପ୍ରଶାସନ ଜାଣି ସୁଦ୍ଧା ଅଜଣା

ତେଣୁ ତୁରନ୍ତ ସରକାରୀ ବାସଭବନ କାମ ସାରିବାକୁ ଦାବି ହୋଇଛି। ସେହିପରି ଔଷଧ ଗଛିତ ଥିବା ଘରର ଅବସ୍ଥା ମଧ୍ୟ ଦୟନୀୟ ହୋଇ ପଡିଛି। ବର୍ଷା ଦିନେ ଛାତରୁ ପାଣି ଗଳୁଥିବା ବେଳେ ଔଷଧ ସୁରକ୍ଷିତ ଭାବେ ରଖିବା ପାଇଁ ସମସ୍ୟା ଦେଖା ଦେଇଛି। ତେଣୁ ତୁରନ୍ତ ମରାମତି ପାଇଁ ଦାବି ହୋଇଛି।

ଅଧିକ ପଢ଼ନ୍ତୁ: ଚେପଟିଆମ୍ବାରେ ଝାଡ଼ାବାନ୍ତି ଥମୁନି: ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି