ପାରଳାଖେମୁଣ୍ଡି (ସୁଜିତ୍‌ ବିଷୋୟୀ):  ଅବ୍ୟବସ୍ଥାରେ ସଢୁଛନ୍ତି ଅନ୍ତେବାସୀ। ନା ଅଛି ଛାତ୍ରାବାସ ନା ରହିଛି ଆନୁସାଙ୍ଗିକ ବ୍ୟବସ୍ଥା। ଦୟନୀୟ ଅବସ୍ଥାରେ ରହି ଆସୁଛନ୍ତି ଅନ୍ତେବାସୀ। ଶୀତ କାକରରେ ଥରି ଥରି ଶ୍ରେଣୀ ଗୃହରେ ରାତ୍ରିଯାପନ କରୁଛନ୍ତି ୪୦ ଜଣ କୋମଳମତି ଛାତ୍ର। ଆଦିବାସୀ ଅନ୍ତେବାସୀଙ୍କ ଏହିଭଳି ଦୟନିୟ ଚିତ୍ର ଦେଖିବାକୁ ମିଳିଛି ଗଜପତିଜିଲ୍ଲା ଗୁମ୍ମା ବ୍ଲକ କୁଜାସିଂ ପ୍ରାଥମିକ ବିଦ୍ୟାଳୟରେ। ବହୁ ପୁରାତନ ବିଦ୍ୟାଳୟ ସତ୍ତ୍ଵେ ଭିତ୍ତିଭୂମିର ବିକାଶ ହୋଇ ପାରିନାହିଁ। ଏଯାଏଁ ନିର୍ମାଣ ହୋଇପାରିନାହିଁ ଛାତ୍ରାବାସ। ବିଦ୍ୟାଳୟରେ ୧୯୯୮ ମସିହାରୁ ମଙ୍ଗଳ ବିଭାଗ ପକ୍ଷରୁ ପରିଚାଳିତ ହୋଇ ଆସୁଛି ୪୦ ସଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରାବାସ। ଏଠି ଦୂର ଦୂରାନ୍ତରୁ ଆସି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ଆଦିବାସୀ ଛାତ୍ରମାନଙ୍କ ପାଇଁ ବିଭାଗ ପକ୍ଷରୁ ରହିବା ଖାଇବାର ସୁବ୍ୟବସ୍ଥା କରାଯିବା କଥା। କିନ୍ତୁ ଛାତ୍ରାବାସ ନଥିବାରୁ ପିଲାଙ୍କୁ ରହିବାକୁ ସ୍ଥାନ ନାହିଁ। 

Advertisment

ବିଦ୍ୟାଳୟରେ ୮ଟି ଶ୍ରେଣୀର ୧୧୪ ଜଣ ଛାତ୍ର ଛାତ୍ରୀ ପାଠପଢୁଥିବା ବେଳେ ୮ଟି ଶ୍ରେଣୀ ଗୃହ ରହିଛି। ସାତଟି ଶ୍ରେଣୀଗୃହରେ ଶିକ୍ଷାଦାନ ଚାଲିଥିବା ଗୋଟିଏ ଶ୍ରେଣୀ ଗୃହରେ ୨ଟି ଶ୍ରେଣୀର ପିଲା ପାଠ ପଢୁଛନ୍ତି ଆଉ ଗୋଟିଏ ଗୃହରେ, ଗୋଦାମ ଗୃହ ସହ ହୋଷ୍ଟେଲ ଚାଲିଛି। ସେଇଠି ଖାଇବା ସେଇଠି ଶୋଇବା ଆଉ ସେଇଠି ସମସ୍ତ ଆସବାବ ପତ୍ର ତାହାବି ୪୦ ଅନ୍ତେବାସୀଙ୍କ ସହିତ ହୋଷ୍ଟେଲ ଅଧକ୍ଷ ବି ସେଇଠି ରାତ୍ରି ଯାପନ କରନ୍ତି। ବହୁ ପୁରୁଣା ଶ୍ରେଣୀଗୃହ  ରେ ଦୀର୍ଘ ବର୍ଷ ହେଲା ଅବ୍ୟବସ୍ଥା ରେ ଚାଲିଛି ଛାତ୍ରାବାସ, ଯାହାର ସ୍ଥିତିକୁ ଦେଖିଲେ ବିଭାଗର କାର୍ଯ୍ୟ ଶୈଳୀ ସ୍ଵଷ୍ଟ ବାରି ହେଉଛି। 

Gajapati1

ଜାଡ଼ରେ ଥରୁଛନ୍ତି ପିଲା!

ଖଟ ସେଜ ନଥିବା ବେଳେ ଶୀତ ଜାଡ଼ରେ ଥରି ଥରି ଖାଲି ଚଟାଣରେ ରାତି ବିତାଉଛନ୍ତି ଏହି ପିଲାମାନେ। ଛାତ୍ରାବାସର ନିଜସ୍ଵ କୋଠା, ଗାଧୁଆ ଘର, ଶୈଚାଳୟ, ରୋଷେଇ ଘର ଆଦି ନଥିବାରୁ ଅନ୍ତେବାସୀଙ୍କ ପରିଚାଳନାରେ ବହୁ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ତତ୍ପର ହେଉ ନ ଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: Woman Attempts Death ଗୁରାଣ୍ଡି ଥାନା ଅଧିକାରୀଙ୍କ ଆପତ୍ତିଜନକ ଆଚରଣ ପ୍ରତିବାଦରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଖତ ଖାଉଛି ଶଯ୍ୟା

ସୂଚନାଯୋଗ୍ୟ, ୪୦ ଜଣ ଅନ୍ତେବାସୀଙ୍କ ପାଇଁ ୪୦ ପରିବର୍ତ୍ତେ ୨୦ଟି ଖଟ ସହି ସେଜ ମିଳିଛି, ଯାହା ଗୋଦାମରେ ଖତ ଖାଉଛି। ଏଥିସହ ସହ ଟିଭି, ଓ୍ବାସିଂ ମେସିନ, ଗ୍ରାଇଣ୍ଡର ଆଦି ସାମଗ୍ରୀ ଅବ୍ୟବହୃତ ହୋଇ ଗୋଦାମରେ ପଡ଼ି ରହିଛି, ଅନ୍ତେବାସୀଙ୍କ ପାଇଁ ସରକାରଙ୍କ ସମସ୍ତ ଅନୁଦାନ ଆସୁଛି, ସ୍ବାସ୍ଥ୍ୟ ପରୀକ୍ଷା ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯୋଗାଇ ଦିଆଯାଉଛି କିନ୍ତୁ ସେସବୁ ଏଠି ଠିକ୍ ଭାବେ ବ୍ୟବହାର ହୋଇ ପାରୁ ନାହିଁ। ପରିଚାଳନା ଗତ ତୃଟି ହେଉ ଅବା କର୍ତୃପକ୍ଷଙ୍କ ନିରୀକ୍ଷଣ ଅଭାବରୁ ଛାତ୍ରାବାସର ନିଜସ୍ଵ କୋଠା ନିର୍ମାଣ ହୋଇ ପାରିନାହିଁ। ଫଳରେ ବହୁ ସମସ୍ୟାର ଶୀକାର ହେଉଛନ୍ତି କୁନି କୁନି ଅନ୍ତେବାସୀ। ଯାହା ପ୍ରଶାସନର ଚରମ ଅବହେଳାକୁ ଇଙ୍ଗିତ କରୁଛି। ତେବେ କେତେ ଦିନ ଏଭଳି ଅବହେଳାର ଶିକାର ହେଉଛନ୍ତି ଅନ୍ତେବାସୀ, କେବେ ସେମାନଙ୍କ ସମସ୍ୟା ଦୂର ହେବ ତାହା ବଡ଼ ପ୍ରଶ୍ନ ହୋଇରହିଛି। ଅପରପକ୍ଷରେ ସ୍ଵାଧୀନତା ପୂର୍ବରୁ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ୧୯୯୮ ମସିହାରୁ ଛାତ୍ରାବାସ ପରିଚାଳିତ ହେଉଛି। କିନ୍ତୁ ଏଯାବତ ଅର୍ଥାତ ୨୭ ବର୍ଷ ବିତିଗଲା ଛତ୍ରାବାସ ପାଇଁ ନିଜସ୍ୱ କୋଠା ନିର୍ମାଣ ହୋଇପାରିଲା ନାହିଁ। ତେବେ ଏନେଇ ଜିଲା ସମାଜ ମଙ୍ଗଳ ଅଧିକାରୀ ସୋଲମନ ରାଇକାଙ୍କ କହିବା ହେଲା ଜମି ଚିହ୍ନଟ ହୋଇଛି ଅନୁଦାନ ଆସିଛି ଯଥା ଶୀଘ୍ର ଛାତ୍ରାବାସ ନିମନ୍ତେ କୋଠା ନିର୍ମାଣ ହେବ। 

ଆହୁରି ପଢ଼ନ୍ତୁ: MGNREGA : ଗାନ୍ଧି ଓ ରାମରାଜ୍ୟ ମଧ୍ୟରେ କୌଣସି ଫରକ ନାହିଁ : ଶଶୀ ଥରୁର