ଭୁବନେଶ୍ୱର/ବ୍ରହ୍ମପୁର: ‘ବ୍ରେନ୍‌ ଷ୍ଟ୍ରୋକ୍’ ବା ‘ମସ୍ତିଷ୍କାଘାତ’ ଆଜି ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ସମସ୍ୟା ହୋଇଛି। ତେଣୁ, ଏ ବିଷୟରେ ଯୁବପିଢ଼ିଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଲାଗି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟଠାରେ ସୋମବାର ଦିନ ‘ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ’ ଶୀର୍ଷକରେ ଏକ ବିଶେଷ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଜନସ୍ୱାସ୍ଥ୍ୟ ଓ ସୂଚନା ବିଶେଷଜ୍ଞ ଏବଂ ଶିକ୍ଷାବିତ୍ ଯୋଗଦେଇ ଷ୍ଟ୍ରୋକର କିପରି ମୁକାବିଲା କରାଯାଇପାରିବ ସେ ବିଷୟରେ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଥିଲେ।

Advertisment

ସମସ୍ତେ ଏକାଠି ହେବାର ଆବଶ୍ୟକତା ରହିଛି

ବିଶ୍ୱବିଦ୍ୟାଳୟର ସହଭାଗିତାରେ ଆଇଏଫଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍ ଏବଂ ଓଡ଼ିଶାଲାଇଭ୍ ପକ୍ଷରୁ ଏହି ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ବିଭିନ୍ନ ବିଭାଗର ଶତାଧିକ ଛାତ୍ରଛାତ୍ରୀଙ୍କ ସହ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗଦେଇ କହିଥିଲେ, ‘‘ବ୍ରେନ୍ ଷ୍ଟ୍ରୋକ ଭଳି ଜଟିଳ ସମସ୍ୟାର ମୁକାବିଲା ପାଇଁ ସମସ୍ତେ ଏକାଠି ହେବାର ଆବଶ୍ୟକତା ରହିଛି। ଦେଶର ଆର୍ଥିକ ବିକାଶ ପାଇଁ ଶିକ୍ଷା ଏବଂ ଜନସ୍ୱାସ୍ଥ୍ୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଷୟ। ତେଣୁ ଯୁବଗୋଷ୍ଠୀକୁ ସଚେତନ କରିବା ସହ ଷ୍ଟ୍ରୋକର ଲକ୍ଷଣକୁ ଚିହ୍ନିବା ଏବଂ ଏହାର ନିରାକରଣ କରିପାରିଲେ ଏକ ଷ୍ଟ୍ରୋକ-ମୁକ୍ତ ସମାଜ ଗଠନ ହୋଇପାରିବ। ଏଥିରେ ଯୁବଗୋଷ୍ଠୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଡକ୍ଟର ବନ୍ଦିତା କୁମାରୀ ପଣ୍ଡା ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ଷ୍ଟ୍ରୋକ ବିଷୟରେ ସଚେତନ କରିବା ଲାଗି ଚଳିତବର୍ଷ ଆମେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲୁ। ଷ୍ଟ୍ରୋକର ଲକ୍ଷଣକୁ ଚିହ୍ନି ଠିକଣା ସମୟରେ ଉଚିତ ପଦକ୍ଷେପ ନେଇପାରିଲେ ଆଗାମୀ ଦିନରେ ସେମାନେ ବାସ୍ତବରେ ଷ୍ଟ୍ରୋକ୍ ଯୋଦ୍ଧା ହୋଇପାରିବେ,’’ କହିଛନ୍ତି ‘ଷ୍ଟ୍ରୋକ୍-ମୁକ୍ତ ଜୀବନ ଅଭିଯାନ’ର ଅଧ୍ୟକ୍ଷ ନୀଳାମ୍ବର ରଥ।

ଆହୁରି ପଢ଼ନ୍ତୁ: Harishankar: ପ୍ରସିଦ୍ଧ ହରିଶଙ୍କର ଠାରୁ ୫କିମି ଦୂରରେ ଥିବା କନ୍ଧରାଭଟା ତ୍ରିଲିଙ୍ଗେଶ୍ବର ଅବହେଳିତ

ଷ୍ଟ୍ରୋକ୍‌ମୁକ୍ତ ଜୀବନ

କାର୍ଯ୍ୟକ୍ରମରେ ବିଶିଷ୍ଟ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସରୋଜ କୁମାର ମିଶ୍ର ଯୋଗଦେଇ ଷ୍ଟ୍ରୋକ୍ ମୁକାବିଲାର ବିଭିନ୍ନ ଦିଗ ବିଷୟରେ କହିଥିଲେ। ସେହିପରି ଷ୍ଟ୍ରୋକ ମୁକାବିଲାରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ସଶକ୍ତ କରିବା ଉପରେ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ମଧ୍ୟ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ‘ଷ୍ଟ୍ରୋକ୍‌ମୁକ୍ତ ଜୀବନ’ ଶୀର୍ଷକରେ ଏକ ସୂଚନା ପୁସ୍ତିକା ଲୋର୍କାପଣ କରାଯିବା ସହ ବ୍ରେନ ଷ୍ଟ୍ରୋକର କାରଣ, ଲକ୍ଷଣ, ଚିକିତ୍ସା ଏବଂ ଷ୍ଟ୍ରୋକ ପରବର୍ତ୍ତୀ ଅବସ୍ଥାରେ ରୋଗୀଙ୍କ ସେବା ଯତ୍ନ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ଭିଡିଓ ପ୍ରଦର୍ଶନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: Delhi Red Fort Explosion: ଭୟଙ୍କର ବିସ୍ଫୋରଣ ପରେ ଦିଲ୍ଲୀ-ମୁମ୍ବାଇରେ ହାଇଆଲର୍ଟ ଜାରି, ସିଲ୍ ହେଲା ପୂରା ଅଞ୍ଚଳ...

ଡିଜିଟାଲ ପୋଷ୍ଟର ମେକିଙ୍ଗ୍

ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ‘ଡିଜିଟାଲ ପୋଷ୍ଟର ମେକିଙ୍ଗ୍’ ପ୍ରତିଯୋଗିତାରେ ସାମିଲ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପୋଷ୍ଟରକୁ ପ୍ରଦର୍ଶନ କରାଯିବା ସହ ଅଂଶଗ୍ରହଣକାରୀଙ୍କୁ  ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। ଉପସ୍ଥିତ ସମସ୍ତ ଅତିଥି, ଛାତ୍ରଛାତ୍ରୀ ଏକ ସ୍ୱରରେ ଷ୍ଟ୍ରୋକ୍ ସଚେତନତା ଉପରେ ଶପଥ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଆଇଏଫଆଇ ଫାଉଣ୍ଡେସନର ସହ-ଅଧ୍ୟକ୍ଷା ପ୍ରଣତି ପରିଡ଼ା ଯୋଗଦେଇଥିଲେ। ଓଡ଼ିଶାଲାଇଭ୍ ପକ୍ଷରୁ ଅମିତ କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ସେହିପରି ସ୍ୱାସ୍ଥ୍ୟପ୍ଲସ ପକ୍ଷରୁ ସୁଶ୍ରୀସ୍ମିତା ବେହେରା କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ସୀତାଂଶୁ ଶେଖର ସୂତାର, ପ୍ରିୟଙ୍କା ସୁଚରିତା, ସ୍ମୃତିରେଖା ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥଲେ।