ଭଞ୍ଜନଗର (ବିଶ୍ବମ୍ବର ଜେନା):ଗଂଜାମଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ ହାତୀପଲର ଦୌରାତ୍ମ୍ୟ ଅଣାୟତ୍ତ ହୋଇ ପଡ଼ିଛି। ମୁଜାଗଡ଼ ଓ ଗାଲେରୀ ବନାଞ୍ଚଳ ପରେ ଗତକାଲି ରାତିରେ ହାତୀପଲ କେନ୍ଦ୍ରୀୟ ବନାଞ୍ଚଳରେ ଆତଙ୍କ ଖେଳାଇଛନ୍ତି। କାଳିଆମ୍ବା ସେକ୍ସନ୍‌ ପୁରୁଣାପାଣି ବଞ୍ଜରମାଳରେ ଏକ ଦନ୍ତାହାତୀ ଗାଈଗୋଠରେ ପଶି ଆକ୍ରମଣ କରିବାରୁ ଗୋଟିଏ ଗାଈର ମୃତ୍ୟୁ ଘଟିଥିବା ବେଳେ ୩ଟି ଗାଈ ଆହତ ହୋଇଛନ୍ତି। ଡମ୍ବୁରୁ ପାତ୍ର ପୁରୁଣାପାଣି, କାଳିଆମ୍ବା ଓ ମଳାସପଦର ଅଞ୍ଚଳର ଲୋକଙ୍କ ଗାଈକୁ ଗୁହାଳରେ ରଖି ଚରାଉଥିଲେ। ଗତକାଲି ରାତିରେ ଦନ୍ତାହାତୀଟି ପଶି ଭଙ୍ଗାରୁଜା କରିବାରୁ ଗାଈ‌ଗୋରୁ ଏଣେତେରେ ଦୌଡ଼ିଥିଲେ। ତେବେ ୩ଟି ଗାଈକୁ ସେ ଦାନ୍ତରେ ଆକ୍ରମଣ କରି କ୍ଷତାକ୍ତ କରିଥିଲା। କାଳିଆମ୍ବାର ପୂର୍ଣ୍ଣ ନାୟକଙ୍କ ଗାଈକୁ ଆକ୍ରମଣ କରି ତା’ର ଅନ୍ତବୁଜୁଳା ବାହାର କରିଦେବାରୁ ୧୨ ଘଣ୍ଟା ଚିକିତ୍ସା ପରେ ମୃତ୍ୟୁ ଘଟିଥିଲା। ଉକ୍ତ ବନାଞ୍ଚଳରେ ପୂର୍ବରୁ ହାତୀ ନଥିବା ବେଳେ ମୁଜାଗଡ଼ରେ ଥିବା ଏକ ୨୬ଟିକିଆ ହାତୀପଲ ଫୁଲବାଣୀ ବନଖଣ୍ଡ ଆଡ଼କୁ ପଳାଇଛନ୍ତି। ସେଥିରୁ ଏକ ଦନ୍ତା ଖାଦ୍ୟ ଅନ୍ବେଷଣରେ କେନ୍ଦ୍ରୀୟ ବନାଞ୍ଚଳକୁ ଚାଲିଆସିଥିବା ଅନୁମାନ କରାଯାଉଛି।

Advertisment

ତେବେ ଏହି ଘଟଣା ପରେ ପଶୁପାଳକ ଓ ଚାଷୀ ଭୟଭୀତ ହୋଇ ରହିଛନ୍ତି। ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁଶେଖର ମହାନ୍ତି ଓ ରେଞ୍ଜର୍ ପୃଥ୍ବୀରାଜ ପ୍ରଧାନ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ବନପାଳ ସଙ୍କର୍ଷଣ ଗୌଡ଼ ଅନ୍ୟ ବିଭାଗୀୟ କର୍ମଚାରୀଙ୍କ ସହ ସେଠାରେ ପହଞ୍ଚି ଆହାତ ଗାଈମାନଙ୍କ ଚିକିତ୍ସା କରିଥିଲେ। ଗାଈ ମାଲିକମାନଙ୍କୁ ସରକାରୀ ନିୟମାନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉକ୍ତ ଦନ୍ତାଟି ତିଲିକି ଜଙ୍ଗଲରେ ରହିଥିବା ବେଳେ ତାର ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: No Tilak, No Entry: ତିଳକ ଲଗାଇନ ଯଦି ପ୍ରବେଶ ମନା

୪୪ଟିକିଆ ହାତୀପଲ

ବର୍ତ୍ତମାନ ଉତ୍ତର ଘୁମୁସର ବନଖଣ୍ଡରେ ୪୪ଟି ହାତୀ ଅଛନ୍ତି। ସନ୍ଧ୍ୟା ହେଲେ ଜନବସତିମୁହାଁ ହୋଇ ଫସଲ କ୍ଷୟକ୍ଷତି କରୁଥିବା ଅଭିଯୋଗ ‌ହୋଇଛି। ଗତ ଦୁଇ ଦିନ ତଳେ ଗାଲେରୀ ଓ ତାରସିଂ ବନାଞ୍ଚଳ ମଧ୍ୟରେ ଥିବା ଚନ୍ଦ୍ରଗିରି ଜଙ୍ଗଲର ଚକରାଘାଟି ପୀଠକୁ ଯିବା ରାସ୍ତାରେ ଉପରକୁ ଏକ ଦନ୍ତା ଆସିଯାଇଥିଲା। ଚକରାଘାଟିକୁ ବୁଲିବାକୁ ଆସିଥିବା କିଛି ଲୋକ ହାତୀକୁ ରାସ୍ତା ଉପରେ ଦେଖି ଅଟକି ଥିଲେ। ବନ ବିଭାଗ କର୍ମଚାରୀ ମାନେ ହାତୀକୁ ଘଉଡ଼ାଇବା ପ‌ରେ ଯାତାୟାତ ସ୍ବଭାବିକ ହୋଇଥିଲା।

ଆହୁରି ପଢ଼ନ୍ତୁ: Shanti Bill : ରାଜ୍ୟସଭାରେ ଶାନ୍ତି ବିଲ୍ ଗୃହୀତ, ପରମାଣୁ କ୍ଷେତ୍ରରେ ପ୍ରବେଶ କରିପାରିବେ ଘରୋଇ କମ୍ପାନି