jagatsinghpur police caught accused in cyber kabach operation
ଜଗତସିଂହପୁର: ସାଇବର ଅପରାଧ ଓ ଅପରାଧୀଙ୍କୁ ଦମନ ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ୍ ‘କବଚ’ରେ ଜଗତସିଂହପୁର ପୁଲିସ ଦୁଇଟି ମ୍ୟୁଲ ଆକାଉଣ୍ଟ ଠାବ କରିଛି। ଆକାଉଣ୍ଟରେ ଲକ୍ଷାଧିକ ଟଙ୍କା କାରବାର ହୋଇଥିବା ପୁଲିସ ଜାଣିବାକୁ ପାଇଛି। ଗୋଟିଏ ମାମଲାରେ ଋଣ ଦେବା ନାଁରେ ଟଙ୍କା ଠକେଇ ହୋଇଥିବା ବେଳେ ଅନ୍ୟ ଏକ ମାମଲାରେ ଚାକିରି ଦେବା ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନା ଆଇଆଇସି ଭାସଟ୍ ରଞ୍ଜନ ରାୟଙ୍କ ଅଭିଯୋଗ ଆଧାରରେ ଜଗତସିଂହପୁର ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି।
ମାମଲା ନଂ-୧୬୯/୨୬ରୁ ଜଣାପଡ଼ିଛି, ଜଗତସିଂହପୁର ଥାନା କୋଲର ଅଞ୍ଚଳର ଭାଗିରଥୀ ମହାରଣାଙ୍କ ନାଁରେ ମ୍ୟୁଲ ବ୍ୟାଙ୍କ ଆକାଉଣ୍ଟ ଠାବ କରାଯାଇଛି। ଅଭିଯୋଗରୁ ଜଣାପଡ଼ିଛି, ଆଇଆଇସି ଭାସଟ ରଞ୍ଜନ ରାୟ ଏସପିଙ୍କ ନିର୍ଦ୍ଦେଶ ପାଇଥିଲେ ସନ୍ଦିଗ୍ଧ ମ୍ୟୁଲ ଆକାଉଣ୍ଟ ଥିବା ଭାଗିରଥୀ ମହାରଣାଙ୍କ ବିରୋଧରେ ତଦନ୍ତ କରିବା ପାଇଁ। ଏହା ପରେ ସେ ‘ସାଇବର କବଚ’ ଆଧାରରେ ତଦନ୍ତ ଆରମ୍ଭ କରିଥିଲେ। ନ୍ୟାସନାଲ ସାଇବର କ୍ରାଇମ ଅଭିଯୋଗ ପୋର୍ଟାଲରେ ରୁଜୁ ହୋଇଥିବା ଏକ ଅଭିଯୋଗରୁ ଜଣାପଡ଼ିଥିଲା ଢେଙ୍କାନାଳର ଭାପୁରର ଭାବଗ୍ରାହୀ ନାୟକ ଏକ ବ୍ୟାଙ୍କ ଆକାଉଣ୍ଟକୁ ୩ ହଜାର ଟଙ୍କା ପଠାଇଥିଲେ। ଭାବଗ୍ରାହୀଙ୍କୁ ପଚରାଉଚରା ପରେ ଜଣାପଡ଼ିଥିଲା ତାଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା ଋଣ ନେବା ପାଇଁ। ଏହା ବଦଳରେ ସେ ଫୋନ୍ ପେ ମାଧ୍ୟମରେ ଉକ୍ତ ବ୍ୟାଙ୍କ ଆକାଉଣ୍ଟକୁ ୩ ହଜାର ଟଙ୍କା ପଠାଇଥିଲେ। କୌଣସି ଋଣ ଟଙ୍କା ପାଇ ନ ଥିଲେ। ଭାଗିରଥୀ ମହାରଣାଙ୍କ ଦ୍ବାରା ଜଗତସିଂହପୁର ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆର ଏହି ଆକାଉଣ୍ଟ ପରିଚାଳିତ ହେଉଥିବା ତଦନ୍ତରୁ ଜଣାପଡ଼ିଥିଲା। ୨୦୨୫ ନଭେମ୍ବର ୧୦ ତାରିଖରେ ଉକ୍ତ ବ୍ୟାଙ୍କ ଆକାଉଣ୍ଟକୁ ୩ ହଜାର ଟଙ୍କା ଆସିଥିଲା। ଏହା ପରେ ଏଟିଏମ୍ ଜରିଆରେ ଭାଗିରଥୀ ୨୯୦୦ ଟଙ୍କା ଉଠାଇ ନେଇଥିଲେ। ତଦନ୍ତରେ ମଧ୍ୟ ସହଯୋଗ କରି ନ ଥିଲେ। ସେହିପରି ୨୦୨୫ ଜୁନ୍ ୧ରୁ ୨୦୨୬ ଫେବ୍ରୁଆରି ୧୮ ତାରିଖ ଭିତରେ ସେହି ଆକାଉଣ୍ଟକୁ ୨ ଲକ୍ଷ ୮୧ ହଜାର ୬୯୭ ଟଙ୍କା ଆସିଥିବା ବେଳେ ସେଥିରୁ ୨ ଲକ୍ଷ ୭୫ ହଜାର ୯୭୧ ଟଙ୍କା ଉଠାଇ ନିଆଯାଇଛି। ସେହିପରି ଏହି ଆକାଉଣ୍ଟରୁ ଅନ୍ୟ କେତେକ ବ୍ୟାଙ୍କ ଆକାଉଣ୍ଟ ଓ ନଗଦ ଟଙ୍କା ଟ୍ରାନ୍ସଫର କରାଯାଇଛି।
ଆହୁରି ପଢ଼ନ୍ତୁ: Formula 1 Back: ବୁଦ୍ଧ ସର୍କିଟକୁ ଫେରିବ ଫର୍ମୁଲା-୧
ଦୁଇଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ
ସେହିପରି କେସ୍ ନଂ-୧୭୧/୨୬ରୁ ଜଣାପଡ଼ିଛି, ଜଗତସିଂହପୁର ଥାନା ପୁରୁଷୋତ୍ତମପୁର ସରସ୍ବତୀ ହାଟ ରହୁରା ଅଞ୍ଚଳର ଅଭିଜିତ ରାୟ ଏବଂ ଅନୁଗୁଳର ସନ୍ଦିଗ୍ଧ ସିଦ୍ଧାର୍ଥ ସାହୁଙ୍କ ନାଁରେ ମ୍ୟୁଲ ଆକାଉଣ୍ଟ ରହିଛି। ଅନୁଗୁଳ ବାଗେଡ଼ିଆର ସୁଶାନ୍ତ କୁମାର ସାହୁ ମ୍ୟୁଲ ଆକାଉଣ୍ଟକୁ ୩୦ ହଜାର ୯୭୦ ଟଙ୍କା ଟ୍ରାନ୍ସଫର କରିଥିଲେ। ଟଙ୍କା ଯାଇଥିବା ଆକାଉଣ୍ଟ ଅନଲାଇନ୍ ଚାକିରି ଠକେଇ, ଆର୍ଥିକ ଠକେଇରେ ଜଡ଼ିତ ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ଠକେଇର ଶିକାର ସୁଶାନ୍ତ କୁମାର ସାହୁଙ୍କୁ ପୁଲିସ ପଚରାଉଚରା କରିବା ପରେ ଜାଣିବାକୁ ପାଇଥିଲା ସନ୍ଦିଗ୍ଧ ସିଦ୍ଧାର୍ଥ ସାହୁ ତାଙ୍କୁ ଅନୁଗୁଳରେ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଏ ବାବଦରେ ୩୦ ହଜାର ୯୭୦ ଟଙ୍କା ନେଇଥିଲା। ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ପରେ ସନ୍ଦିଗ୍ଧ ଅଭିଜିତ ରାୟ ଆକାଉଣ୍ଟକୁ ୨ ହଜାର ଟଙ୍କା ପଠା ଯାଇଥିବା ତଦନ୍ତରୁ ଜଣାପଡ଼ିଛି। ଟଙ୍କା ଆସିବା ପରେ ସିଦ୍ଧାର୍ଥ ଆଉ ଫୋନ୍ ଉଠାଇ ନ ଥିଲା। ସୁଶାନ୍ତ ଏ ନେଇ ନ୍ୟାସନାଲ ସାଇବର କ୍ରାଇମ ପୋର୍ଟାଲରେ ଅଭିଯୋଗ କରିଥିଲେ। ପୁଲିସ ଅଧିକ ତଦନ୍ତ ପରେ ବ୍ୟାଙ୍କ ଆକାଉଣ୍ଟ ଅଭିଜିତ ରାୟ ନାଁରେ ଥିବା ଜଣାପଡ଼ିଥିଲା। ୨ ହଜାର ଟଙ୍କା ଉଠାଯିବା ପରେ ଅନ୍ୟ ଜଣେ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଖକୁ ପଠା ଯାଇଥିବା ପୁଲିସ ଜାଣିବାକୁ ପାଇଛି। ସେହିପରି ୨୦୨୫ ଜୁନ୍ ୧ ତାରିଖରୁ ୨୦୨୬ ଫେବ୍ରୁଆରି ୧୮ ତାରିଖରେ ଉକ୍ତ ଆକାଉଣ୍ଟରେ ଅନେକ ଟଙ୍କା କାରବାର ହୋଇଛି ଓ ଏହାକୁ ପରବର୍ତ୍ତୀ ସମୟରେ ଉଠାଇ ନିଆଯାଇଥିବା ଏବଂ ଟ୍ରାନ୍ସଫର କରାଯାଇଥିବା ପୁଲିସ ଦର୍ଶାଇଛି। ଏ ନେଇ ପୁଲିସ ଦୁଇଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।
Follow Us